ପିଏମ୍ କେଆର୍ ଫଣ୍ଡକୁ ୩୦୦୦ ଟଙ୍କା ଦାନ କରିଲେ କୁନିଝିଅ କୁନ୍ତଳା

ଚାନ୍ଦବାଲି: ଅଦୃଶ୍ୟ ଭୂତାଣୁ ସାରା ବିଶ୍ଵକୁ କବଳିତ କରିଥିବା ବେଳେ ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିସାରିଲାଣି। ଆମଦେଶରେ ୫୦ ହଜାର ଆକ୍ରାନ୍ତ ହୋଇସାରିଲେଣି, ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସାମାଜିକ ଦୂରତା ରକ୍ଷା କରି ଏହି ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ସରକାର ପ୍ରୟାସ କରିଛନ୍ତି । ରାଜ୍ୟ ବାହାରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବହୁ କଷ୍ଟରେ ରହୁଥିବା ବେଳେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟର ସାହାପୁର ତାରାଚାନ୍ଦ ବିନ୍ଧା ଗାଁର ରମେଶ ସାହୁଙ୍କ କୁନି ଝିଅ କୁନ୍ତଳା ସାହୁଙ୍କ କାମ ଚର୍ଚ୍ଚାର ବିଷୟ ହୋଇଛି।

ବୟସ ୧୩ ହେଲେ ମଧ୍ୟ ତାଙ୍କର ଚିନ୍ତାଧାରା ମହତ। ସ୍କୁଲ ଯିବା ସମୟରେ ଘରୁ ନେଉଥିବା ଅର୍ଥକୁ ଖର୍ଚ୍ଚ ନ କରି ସାଇତି ରଖୁଥିବା ବେଳେ ଆଜି ବିଶ୍ଵ ମହାମାରୀ ସମୟରେ ନିଜର ସଞ୍ଚିତ ୩୦୦୦ ଟଙ୍କାକୁ ଲୋକଙ୍କ କଲ୍ୟାଣ ନିମନ୍ତେ ଦାନ କରିଛନ୍ତି । ଲକଡାଉନ ସମୟରେ ସ୍ଥାନୀୟ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଜାଗ୍ରତ ସେନା ମାଧ୍ୟମରେ ପିଏମ୍ କେଆର୍ ଫଣ୍ଡକୁ ୩୦୦୦ ଟଙ୍କା ଦାନ କରିଛନ୍ତି କୁନ୍ତଳା।

ବିଶ୍ଵର ଏଭଳି ବିପଦ ସମୟରେ ଅନ୍ୟ ପିଲାମାନେ କିଛିକିଛି ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି କୁନ୍ତଳା । ଛୋଟ ଝିଅର ଏଭଳି ଚିନ୍ତାଧାରା ଅଞ୍ଚଳରେ ଉଦାହରଣ ପାଲଟିଥିବା ବେଳେ ଜାଗ୍ରତ ସେନା ସଂଗଠନ ତରଫରୁ ସ୍ଵାଗତ ଜଣାଇ ତାଙ୍କ ହାତରୁ ଆଣିଥିବା ଚେକ ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର