ଯୁବତୀଙ୍କ ନଗ୍ନ ଭିଡିଓ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଲେ

ରାଜ୍ୟରେ ନାରୀଙ୍କୁ ସମ୍ମାନ ଏମିତି?

ଭୁବନେଶ୍ୱର: ମା’ର ସମ୍ମାନ କଥା କହୁଛନ୍ତି ରାଜ୍ୟ ସରକାର। ହେଲେ ଦିନ ଦିପହରେ ଏବେ ଜଣେ ଯୁବତୀଙ୍କ ସମ୍ମାନକୁ ନେଇ ଖେଳ ଚାଲିଛି। ଭାଇରାଲ ହୋଇଛି, ଜଣେ ଯୁବତୀଙ୍କ ଉଲଗ୍ନ ଫଟୋ। ଯାହା ସୂଚନା ମିଳୁଛି, ସଂପୃକ୍ତ ଯୁବତୀଙ୍କୁ କେହି ଜୋର ଜବରଦସ୍ତ ଉଲଗ୍ନ କରି ତାଙ୍କ ଫଟୋ ଉଠାଇବା ପରେ ଏହାକୁ ସୋସିଆଲ ମିଡିଆରେ ଛାଡିଦେଇଛି।

ସବୁଠାରୁ ସାଂଘାତିକ କଥା ହେଉଛି, ଖୋଦ୍‌ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ଶର୍ମା କଟକରେ ସାଇବର ଅପରାଧ କର୍ମଶାଳା ଉଦ୍‌ଘାଟନ କରି ଏହାକୁ ରୋକିବା ଲାଗି ତନାଘନା କରୁଥିବା ବେଳେ ଅପରାଧୀ ଏଭଳି ଅଭାବନୀୟ କାଣ୍ଡ ଭିଆଇ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ହେଲେ ଦୁର୍ଭାଗ୍ୟର କଥା, ଏଯାଏ ସାଇବର ସେଲ୍‌ ଏହି ଫଟୋ କେଉଁଠୁ ଆସିଲା ସେ ନେଇ ଖୋଳତାଡ଼ କରୁନି, କିଏ ଭାଇରାଲ୍‌ କଲା ତାହା ପାଖରେ ପହଞ୍ଚିବାକୁ ଚେଷ୍ଟା କରିନି। ଏହି ଫଟୋ କିଭଳି ରୋକାଯାଇପାରିବ, ସୋସିଆଲ ମିଡ଼ିଆରୁ ହଟିବ, ସେ ନେଇ ବି ସର୍ବନିମ୍ନ ପ୍ରୟାସ ଆରମ୍ଭ ହୋଇନାହିଁ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୁଲିସ ବିଭାଗ ମୂଳରୁ ଅଣଦେଖା କରି ଦେଇଛି। ପୁଲିସ କହିଛି ଏନେଇ କେହି ଅଭିଯୋଗ କରି ନାହାନ୍ତି। ଆମେ କିଛି କରି ପାରିବୁ ନାହିଁ। ଓଲଟା ଗଣମାଧ୍ୟକୁ ପ୍ରତିକ୍ରିୟା ଦେବାବେଳେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ଏହା ଆମ ଅଞ୍ଚଳର ଘଟଣା ନୁହେଁ। ଭିଡିଓଟି ପୁରୁଣା, ଉତ୍ତର ଓ଼ଡ଼ିଶାରେ ହୋଇଥାଇପାରେ। ଏହି ଗୋଟିଏ ଉଦାହରଣ ସୂଚାଇ ଦେଉଛି, ପୁଲିସ ବିଭାଗର ବିଭିନ୍ନ ଅଙ୍ଗ ଭିତରେ ସମନ୍ଵୟ କେତେ। ଏକଥା ବି ସଙ୍କେତ ମିଳୁଛି ଯେ ପୁଲିସକୁ ଆଉ ଭୟ କରୁନାହାନ୍ତି ଅପରାଧୀ।

କୁହାଯାଉଛି, ଏହି ଭିଡିଓ ଖଣ୍ଡଗିରି ଥାନା ଅଧୀନସ୍ଥ ଜୟଦେବ ବାଟିକା ପାର୍ଶ୍ୱ ରାସ୍ତାର ଘଟଣା। ଯେଉଁଠାରେ କି କିଛି ଇଂଜିନିୟରିଂ ଛାତ୍ର ଏଭଳି କାଣ୍ଡ କରିଛନ୍ତି। ଜଣେ ଛାତ୍ର ତାଙ୍କର ଜଣେ ବାନ୍ଧବୀଙ୍କ ସହିତ ଏକା ନିକାଞ୍ଚନ ସ୍ଥାନରେ ଥିବା ଦେଖି ସେହି ରାସ୍ତାରେ ଯାଉଥିବା ତିନି ଜଣ ଇଂଜିନିୟରିଂ ଛାତ୍ର ଅଟକିଥିଲେ। ଏବଂ ସଂପୃକ୍ତ ଯୁବକଙ୍କୁ ଧମକଚମକ ଦେବାସହିତ ଯୁବତୀଙ୍କ ପ୍ରତି ଅସଦାଚରଣ କରିଥିଲେ। ଏପରିକି ସେମାନେ ଯୁବତୀଙ୍କୁ ଧମକ ଦେଇ ତାଙ୍କର ଉଲଗ୍ନ କରିଥିଲେ। ସଂପୃକ୍ତ ଯୁବତୀ ଯେତେ କାକୁତି ମିନତି ହେଲେ ବି ତାର ପ୍ରଭାବ ସେମାନଙ୍କ ଉପରେ ପଡିନଥିଲା। ବରଂ ସେମାନେ ସଂପୃକ୍ତ ଯୁବତୀଙ୍କ ନଗ୍ନ ଫଟୋ ମୋବାଇଲ ଉଠାଇବା ସହିତ ଭିଡିଓ କରିଥିଲେ। ପରବର୍ତୀ ସମୟରେ ଏହି ଭିଡିଓ ଏବେ ଭାଇରାଲ ହୋଇଛି ସୋସିଆଲ ମିଡିଆରେ। ଯାହାକୁ ନେଇ ଆଜି ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି।

ଡିସିପି କହିଛନ୍ତି, ଜୟଦେବ ବାଟିକା ସଂଧ୍ୟା ୫ଟା ପରେ ବନ୍ଦ ହୋଇଥାଏ । ଭିଡିଓରେ ଥିବା କଥାବାର୍ତାରୁ ସ୍ପଷ୍ଟ ହେଉଛି ଘଟଣା ଉତ୍ତର ଓଡ଼ିଶାରେ ହୋଇଥାଇପାରେ। ତେବେ ଏ ନେଇ କେହି ଥାନାରେ ଅଭିଯୋଗ କରିନାହାନ୍ତି। ଅଭିଯୋଗ ହେଲେ ତଦନ୍ତ ହେବ।କିନ୍ତୁ ଅନ୍ୟପକ୍ଷରେ ଏନେଇ ଖଣ୍ଡଗିରି ଥାନା ପୁଲିସ ଭିତିରି ଅନୁସନ୍ଧାନ ଆରମ୍ଭ କରିଛି। କାରଣ ଭିଡିଓରେ ଥିବା ଯୁବତୀଙ୍କ ପୁରୁଷ ବନ୍ଧୁ ଜଣକ ହେଉଛନ୍ତି ଖଣ୍ଡଗିରି ଥାନା ଅଧୀନରେ ଥିବା ଏକ ବିଶ୍ୱବିଦ୍ୟାଳୟର ଛାତ୍ର। ତେଣୁ ପୁଲିସ ସେହି ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଙ୍କୁ ଡାକି ପଚରା ଉଚରା କରିଛି। ପୁଲିସ ଯୁବତୀ ଓ ସେହି ଛାତ୍ରଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରିଛି। କିନ୍ତୁ ଘଟଣା ଉପରୁ ପରଦା ହଟାଇ ପାରିନାହିଁ।

ରାଜ୍ୟର ଯେ କୌଣସି ସ୍ଥାନରେ ହେଉନା କାହିଁକି ଦିନ ଦିପହରେ ଜଣେ ଯୁବତୀଙ୍କୁ ଅସଦାଚରଣ କରି ମୋବାଇଲରେ ତାଙ୍କ ନଗ୍ନ ଫଟୋ ଉତ୍ତୋଳନ କରିଥିବା ଏହି ଦୁର୍ବୃତ୍ତମାନେ କିଏ? ଯଦି ସାଇବର ସେଲ୍‌ ୨୪ ଘଣ୍ଟା ମଧ୍ୟରେ ଏସବୁ ଅପରାଧୀଙ୍କୁ ଖୋଜି ପାଇନି କି ଏହି ଭିଡିଓକୁ ଭାଇରାଲ୍‌ରୁ ଅଟକାଇ ପାରୁନି, ଏହି ସେଲ୍‌ କାହା ସ୍ୱାର୍ଥରେ ଲାଗିବ?

ସମ୍ବନ୍ଧିତ ଖବର