ପଞ୍ଚଭୂତରେ ବିଲୀନ କାର୍ତ୍ତିକେଶ୍ବର : ପୈତୃକ ଗାଁରେ ଶେଷକୃତ୍ୟ ସଂପନ୍ନ

ଭୋଗରାଇ: ବାଲେଶ୍ବରର ପୂର୍ବତନ ସାଂସଦ, ଭୋଗରାଇ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ଷୀୟାନ କଂଗ୍ରେସ ନେତା ଡକ୍ଟର କାର୍ତ୍ତିକେଶ୍ବର ପାତ୍ର (୮୧)ଙ୍କର ଶେଷକୃତ୍ୟ ମଙ୍ଗଳବାର ତାଙ୍କ ପୈତୃକ ଗାଁ ସୁନ୍ଦରାଡିରେ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶ ଭିତରେ ପ୍ରିୟ ନେତାଙ୍କୁ ସମସ୍ତେ ବିଦାୟ ଦେଇଥିଲେ। ଏକମାତ୍ର ପୁଅ ଦେବାଶିଷ ମୁଖାଗ୍ନି ଦେଇଥିବା ବେଳେ ଝିଅ ମମତା, ଅନିତା, ଅମିତା, ଜ୍ବାଇଁ ପ୍ରଶାନ୍ତ, ପରେଶ, ରଘୁରାଜନଙ୍କ ସମେତ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ଡକ୍ଟର ପାତ୍ର କରୋନାରେ ଆକ୍ରାନ୍ତ ହୋଇ ଭୋଗରାଇ ମହେଶପୁରସ୍ଥିତ ଫାର୍ମହାଉସ ଘରେ ଚିକିତ୍ସିତ ହେଉଥିଲେ। ସୋମବାର ସନ୍ଧ୍ୟାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ବର ନିଆଯିବାବେଳେ ରାତି ପ୍ରାୟ ୧୧ଟା ୪୦ରେ ପାଣିକୋଇଲି ନିକଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ। ମଙ୍ଗଳବାର ଭୋର ସମୟରେ ଭୋଗରାଇ ବ୍ଲକ ମହେଶପୁରସ୍ଥିତ ବାସଭବନରେ ମରଶରୀର ପହଞ୍ଚିବା ପରେ କୋଭିଡ୍ ଗାଇଡ୍‌ ଲାଇନ୍‌ ଅନୁସାରେ ତାଙ୍କୁ ଦୂରରୁ ସମସ୍ତେ ଶେଷଦର୍ଶନ କରିଥିଲେ। ତେବେ ପତ୍ନୀ ତଥା ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର ସଂଗରୋଧରେ ଥିବାରୁ ଦିବଂଗତ ସ୍ବାମୀଙ୍କର ଶେଷଦର୍ଶନ କରିପାରି ନଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଶୋକ
ଡ.ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏ ସଂପର୍କରେ ଟୁଇଟ୍‌ କରି ସେ କହିଛନ୍ତି ବାଲେଶ୍ଵରର ପୂର୍ବତନ ସାଂସଦ, ଭୋଗରାଇର ପୂର୍ବତନ ବିଧାୟକ ତଥା ସୁଲେଖକ ଡ.କାର୍ତ୍ତିକେଶ୍ୱର ପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଶୋକ
ବାଲେଶ୍ଵରର ପୂର୍ବତନ ସାଂସଦ, ଭୋଗରାଇର ପୂର୍ବତନ ବିଧାୟକ ଡ.କାର୍ତ୍ତିକେଶ୍ୱର ପାତ୍ରଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଡ.ପାତ୍ର କେବଳ ଜଣେ ରାଜନେତା ଭାବେ ନୁହେଁ, ଜଣେ ସୁସାହିତ୍ୟିକ ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି।

ସମ୍ବନ୍ଧିତ ଖବର