ଶ୍ରୀମନ୍ଦିରକୁ ବଜ୍ରପାତ ଭୟ, ଦୁର୍ବଳ ଆର୍ଥିଂ ବଢ଼ାଇଲା ବିପଦ

କୁଆଡ଼େ ଗଲା ବାଉଁଶ ସହ ବାନା

ପୁରୀ : ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିବା ପରେ ପ୍ରତିଦିନ ଅଘଟଣ ଘଟୁଛି। ଆଜି ମଧ୍ୟ ଶ୍ରୀମନ୍ଦିରରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଆଜି ପୁଣି ଥରେ ବର୍ଷା ଓ ପବନରେ ଉଡ଼ିଯାଇଛି। କିନ୍ତୁ ଆଜି ନୀଳଚକ୍ରରେ ବନ୍ଧା ଯାଇଥିବା ବାଉଁଶ ସହ ବାନା କେଉଁଆଡ଼େ ଉଡ଼ିପଳାଇଛି। ପତିତପାବନ ବାନା ଚିରିଯିବା ଅବା ଉଡ଼ିଯିବା ଘଟଣାକୁ ଅଶୁଭ ବୋଲି ବିବେଚନା କରାଯାଏ। ବାରମ୍ବାର ଏଭଳି ଅଘଟଣକୁ ଭକ୍ତମାନେ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଆଜି ଘଟଣାକୁ ନେଇ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି।

medium.com

ଆଜି ସକାଳେ ବର୍ଷା ହେଉଥିବାବେଳେ ଏତେଟା ପବନ ନଥିଲା। ମାତ୍ର ନୀଳଚକ୍ରର ବାନା ବାଉଁଶ ସହିତ ଉଡିଯାଇଥିଲା। ତେବେ ଏହା ଉଡ଼ିଯାଇଛି ବୋଲି କିଛି ଲୋକ କହୁଥିବାବେଳେ ଆଉ କିଛି ଲୋକ ବଜ୍ରପାତ ଯୋଗୁଁ ବାଉଁଶ ଜଳିଯାଇଥିବା କହୁଛନ୍ତି। ବାନା ଓ ବାଉଁଶ ମିଳିନଥିବାରୁ ଏହାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଏ ପ୍ରକାର ବଜ୍ରପାତ କଥା ଉଠିବା ପରେ ଏବେ ଶ୍ରୀମନ୍ଦିର ଆଉ ବଜ୍ରପାତ ମୁକ୍ତ ନୁହେଁ ବୋଲି କୁହାଯାଉଛି। ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ବଜ୍ରପାତ ମୁକ୍ତ ରହିଥିଲା। ସୁଉଚ୍ଚରେ ଥିବ‌ା ଶ୍ରୀମନ୍ଦିରରେ କେବେ ବଜ୍ର ପଡ଼େ ନାହିଁ। ଏହାର ଆର୍ଥିଂ ପୂରା କାଳରୁ ରହିଥିଲା। ମାତ୍ର ଏବେ ଶ୍ରୀମନ୍ଦିର ଆର୍ଥିଂରେ ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଛି। ପୂର୍ବରୁ କେବେ ବଜ୍ରପାତରେ ମନ୍ଦିରର ସାମାନ୍ୟ କ୍ଷତି ହୋଇନଥିବା ବେଳେ ଆଜି ସାମାନ୍ୟ ବଜ୍ରପାତରେ ଯଦି ଏହି ଘଟଣା ଘଟିଥିବ ତେବେ ଏହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି।
ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ତୁରନ୍ତ ଏହାର ଯାଞ୍ଚ କରାଯାଇ ପ୍ରତିକାର କରା ନଗଲେ ଶ୍ରୀମନ୍ଦିର ଉପରେ ଭୟଙ୍କର ବିପଦ ମାଡ଼ି ଆସିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ଶ୍ରୀଜଗନ୍ନାଥ ସେନ‌ା ପକ୍ଷରୁ ମଧ୍ୟ ଆର୍ଥିଂ ବ୍ୟବସ୍ଥାରେ ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଛି। ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୂର୍ବରୁ ଥିବା ଭୟଙ୍କର ବିଜୁଳି ସହନକାରୀ ଆର୍ଥିଂ ବଦଳା ଯାଇ ନିମ୍ନମାନର ଆର୍ଥିଂ ଲଗାଯାଇଥିବା ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ଆର୍ଥିଂରେ ଠିକ୍ ନଥିବାରୁ ଏଭଳି ଘଟିଥିବ‌ା ନେଇ ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ବାନା ଉଡ଼ିଯିବା ଘଟଣାକୁ ଏକ ବଡ଼ ଅଘଟଣର ଆଶଙ୍କା ବୋଲି ଭକ୍ତବୃନ୍ଦ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ବିଗତ ଦୁଇମାସ ଭିତରେ ଅର୍ଥାତ୍‌ ଯେବେଠୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି, କେତେବେଳେ ପତିତପାବନ ବାନା ଉଡ଼ିଗଲାଣି ତ’ କେତେବେଳେ ବାନା ଚିରିଗଲାଣି। ପୁଣି କେତେବେଳେ ବାନାରେ ନିଆଁ ଲାଗିଯିବା ଭଳି ଅଘଟଣ ବି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର