‘ଲକ୍‌ଡାଉନ୍‌-୪’କୁ ନେଇ ରାଜଧାନୀବାସୀଙ୍କ ମତ : ଛୋଟ ବ୍ୟବସାୟୀ, ଗାଡ଼ି ଚାଳକ ଓ ଦିନ ମଜୁରିଆଙ୍କ ଦୁଃଖ ବୁଝନ୍ତୁ

ଭୁବନେଶ୍ବର : ତିନିଟି ପର୍ଯ୍ୟାୟକୁ ମିଶାଇ ଦେଶରେ ଲାଗୁ ହୋଇଥିବା ୫୪ ଦିନର ତାଲାବନ୍ଦ ଅବଧି ରବିବାର ଶେଷ ହେବାକୁ ଯାଉଛି। ଲକ୍‌ଡାଉନ୍‌-୪ ନେଇ ସରକାର ସଂକେତ ଦେଇ ସାରିଲେଣି। ତେବେ ଏହି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ର ରୂପରେଖକୁ ନେଇ ବିଭିନ୍ନ ମହଲରେ ମନରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ‘ସମ୍ବାଦ’ ପକ୍ଷରୁ କରାଯାଇଥିବା ଫୋନ୍‌-ଇନ୍ କାର୍ଯ୍ୟକ୍ରମରେ ଅଧିକାଂଶ ରାଜଧାନୀବାସୀଙ୍କ ମତ ହେଉଛି ଲକ୍‌ଡାଉନ୍ ଜାରି ରହୁ, କିନ୍ତୁ କଟକଣା କୋହଳ ହେଉ।

ଲକ୍‌ଡାଉନ୍ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀ, ଯାତ୍ରୀ ସେବାରେ ନିୟୋଜିତ ଗାଡ଼ି ଚାଳକ ଓ ଦିନ ମଜୁରିଆମାନଙ୍କ ଭିତରେ ଏବେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ତାଲାବନ୍ଦ ଉଠିବା ପରେ ସେମାନେ କିଭଳି ନିଜ ଜୀବିକାକୁ ଫେରିପାରିବେ, ସେନେଇ ସଂଶୟ ମଧ୍ୟରେ ରହିଛନ୍ତି। ତେଣୁ ସରକାର ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ରୋଜଗାର କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ଲୋକେ ମତ ରଖିଛନ୍ତି। ଅପରପକ୍ଷରେ ଧାର୍ମିକ ଅନୁଷ୍ଠାନ, ସିନେମା ହଲ୍, ସପିଂ ମଲ୍, ପାର୍ଲର, ମଦ ଦୋକାନ, ସ୍କୁଲ୍, କଲେଜ୍ ଓ ଚା’ ଦୋକାନ ଗୁଡ଼ିକ ନ ଖୋଲୁ ବୋଲି ଲୋକେ ଦାବି କରିଛନ୍ତି। ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ଏହି ସବୁ ଅନୁଷ୍ଠାନ ବନ୍ଦ ରହୁ ବୋଲି ମତ ଦେଇଛନ୍ତି। ତଥାପି ଏଭଳି ସଂସ୍ଥା ଉପରେ ନିର୍ଭର କରି ଚଳୁଥିବା କର୍ମଜୀବୀମା‌ନଙ୍କ କଥା ମଧ୍ୟ ଚିନ୍ତା କରିବାର ଅଛି। ଅଧିକ ଭିଡ଼ ଆଶା କରାଯାଉଥିବା ଅନୁଷ୍ଠାନଗୁଡ଼ିକ ପୂରା ବନ୍ଦ ରହୁ ଏବଂ ସେଲୁନ୍‌, ପାର୍ଲର, ଚା’ ଦୋକାନ ଭଳି କିଛି ଛୋଟ ଛୋଟ ସଂସ୍ଥାଗୁଡ଼ିକ କଟକଣା ଭିତରେ ଖୋଲିବା ଉଚିତ୍ ବୋଲି କୁହାଯାଉଛି।

ତେବେ ସାମାଜିକ ଦୂରତା ବଜାୟ ରଖିବା, ସମସ୍ତେ ମାସ୍କ, ଗ୍ଲୋବ୍‌ସ ପିନ୍ଧିବା ଓ ସାନିଟାଇଜେସନ୍‌କୁ ପୂର୍ବଭଳି ବାଧ୍ୟତାମୂଳକ ହୋଇ ରହୁ ବୋଲି ଲୋକେ କହିଛନ୍ତି। ଏହା ବ୍ୟତୀତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦେଇ ଅଟୋମୋବାଇଲ୍ସ, ଶିକ୍ଷା, ଖଣି, ଘରୋଇ କୁଟୀର ଶିଳ୍ପ କ୍ଷେତ୍ର ସମୂହକୁ ପୁଣି ଚାଲୁ କରିବା ଉଚିତ ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି।

ସମ୍ବନ୍ଧିତ ଖବର