ମିଳିଲାନି ସାମାଜିକ ସ୍ବୀକୃତି : ଗଛରେ ଝୁଲି ପଡ଼ିଲେ ପ୍ରେମୀଯୁଗଳ

କବିସୂର୍ଯ୍ୟନଗର : ପ୍ରେମକୁ ମିଳିଲାନି ସ୍ବୀକୃତି। ଗ୍ରାମସଭାରେ ଆଲୋଚନା ବିଫଳ ହେବା ପରେ ପ୍ରେମୀଯୁଗଳ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ବାଛିନେଲେ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ବାଲିଛାଇ ଫାଣ୍ଡି ଅଧୀନ ସୁନାପଲ୍ଲୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାଲୁଭାଇ ପୋଖରୀ ନିକଟରେ ଥିବା ଏକ ଗଛରୁ କୈଳାସ ନାହାକ ଓ ବିଜ୍ଞାନୀ ନାହାକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସଦଳବଳ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତରଖାନାକୁ ପଠାଇଥିଲେ। ଏନେଇ କେସ୍‌ ନମ୍ବର ୧୪ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତକ ବିଜ୍ଞାନୀ ୪ ମାସର ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ସୁନାପଲ୍ଲୀ ଗ୍ରାମ ହରିଜନ ସାହିର ପୀତାମ୍ବର ନାହାକଙ୍କ ପୁଅ କୈଳାସ ଓ ଜୁନା ନାହାକଙ୍କ ଝିଅ ବିଜ୍ଞାନୀ ପରସ୍ପରକୁ ୨ ବର୍ଷ ହେଲା ଭଲ ପାଉଥିଲେ। ତେବେ କୈଳାସଙ୍କ ପରିବାରବର୍ଗ ଏହାକୁ ପସନ୍ଦ କରୁ ନ ଥିଲେ। ଏପରିକି କୈଳାସଙ୍କ ବାପା ଜୁନାଙ୍କ ଘରେ ପଶି ମାରଧର କରୁଥିବା ଅଭିଯୋଗ ହୋଇଥିଲା। ଏହା ମଧ୍ୟରେ ବିଜ୍ଞାନୀ ୪ ମାସର ଗର୍ଭବତୀ ଥିବାରୁ ବିବାହ ପାଇଁ ପରିବାର ଲୋକେ ଚିନ୍ତିତ ହୋଇଥିଲେ। ଏଥିପାଇଁ ସେମାନେ କୁଳସଭାର ସହାୟତା ନେଇଥିଲେ। ଗାଁରେ ଗତ ବୁଧବାର, ଗୁରୁବାର ଓ ଗତକାଲି ରାତିରେ ବୈଠକ ବସିଥିଲା। ୪ ମାସ ପରେ ଉଭୟଙ୍କ ବିବାହ ହେବ ବୋଲି କୈଳାସଙ୍କ ବାପା ପୀତାମ୍ବର ଗତକାଲି ବୈଠକରେ କହିଥି‌ଲେ। କିନ୍ତୁ କୈଳାସ ଶୀଘ୍ର ବାହାଘର ପାଇଁ ଜିଦ୍ ଧରି ବସିଥିଲେ। ଆଉ ଉତ୍‌କ୍ଷିପ୍ତ ହୋଇ ଉଠି ଆସିଥିଲେ।

ଗତକାଲି ରାତିରେ କୈଳାସ ଓ ବିଜ୍ଞାନୀ ମୋବାଇଲ୍‌ରେ କଥାବାର୍ତ୍ତା କରିବା ପରେ ଆଜି ସକାଳେ ନାଲୁଭାଇ ପୋଖରୀ ନିକଟକୁ ଆସି ସେଠାରେ ଥିବା ଏକ ଗଛରେ ଚୁନି ବାନ୍ଧି ଝୁଲି ପଡ଼ିଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରିଥିଲା। ଉଭୟଙ୍କୁ ଶୀଘ୍ର ବିବାହ କରିଥିଲେ ହୁଏତ ଏତେବଡ଼ ଅଘଟଣ ଘଟି ନଥାନ୍ତା ବୋଲି ବିଜ୍ଞାନୀଙ୍କ ମା ନମିତା କହିଛନ୍ତି। ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ଗାଁରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର