ଭକ୍ତ ପାଇବେ ମହାପ୍ରସାଦ: ପ୍ରଶାସନ ପକ୍ଷରୁ ଆଡ଼ପ ଅବଢ଼ା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି। କରୋନା ଭାଇରସ ଗାଇଡଲାଇନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଡ଼ପ ଅବଢ଼ା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କୁ ବହୁ ପ୍ରତୀକ୍ଷିତ ଆଡ଼ପ ଅବଢ଼ା କାଲିଠାରୁ ମିଳିବ। ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଶ୍ରୀଜିଉମାନଙ୍କୁ ବିଜେ କରାଯାଇଛି। ମହାପ୍ରଭୁଙ୍କର ଆଡ଼ପ ବିଜେ ଶୃଙ୍ଖଳିତ ଭାବେ ହେବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତାକାଲି ଠାରୁ ଶ୍ରୀଗୁଣ୍ଡିଚାମନ୍ଦିରରେ ଆଡ଼ପ ଅବଢ଼ା ମିଳିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥି ପାଇଁ ଟୋକନ ବ୍ୟବସ୍ଥା ହେବ। ମହାପ୍ରଭୁଙ୍କ ନୀତି ଓ କୋଭିଡ କଟକଣାକୁ ନେଇ ଆସନ୍ତାକାଲି ଛତିଶାନିଯୋଗର ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କୋଭିଡ-୧୯ ନିୟମକୁ ପାଳନ କରାଯାଇ ସେବାୟତମାନେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଆଡ଼ପକୁ ବିଜେ କରାଇଛନ୍ତି। ଏହି ଅବସରରେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ଆଡ଼ପ ମଣ୍ଡପକୁ ନିଆଯାଇଥିଲା। ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡିରେ ଆଡ଼ପ ମଣ୍ଡପକୁ ନିଆଯାଇଥିଲା। ଦେବୀ ସୁଭଦ୍ରାଙ୍କ ପହଣ୍ଡି ଶେଷ ହେବା ପରେ ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଜନ୍ମବେଦୀଙ୍କୁ ନିଆଯାଇଥିଲା। ଆଡ଼ପ ମଣ୍ଡପ ବିଜେ ପୂର୍ବରୁ ଆଜି ରଥ ଉପରେ ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଲାଗି କରାଯାଇଥିଲା।

ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ। ଆଡ଼ପ ଅବଢା ବି ପ୍ରସ୍ତୁତ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଆଡ଼ପ ଦର୍ଶନ ବନ୍ଦ ରଖାଯାଇଛି। ବିନା ଭକ୍ତରେ ଜନ୍ମବେଦିରେ ୯ ଦିନ ଦର୍ଶନ ଦେବେ ମହାପ୍ରଭୁଯ ସନ୍ଧ୍ୟା ଦର୍ଶନ ପାଇଁ ବି ଭକ୍ତମାନେ ଆତୁର ହୋଇଥାନ୍ତି। ଏଥର ସଂଧ୍ୟା ଦର୍ଶନରୁ ବି ଭକ୍ତ ବଞ୍ଚିତ ରହିବେ।

ସେପଟେ ପ୍ରତିବର୍ଷ ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ଏହି ଠାରେ ହିଁ ଅବଢା ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିରରେ ଅବଢା ପ୍ରସ୍ତୁତ ବନ୍ଦ ରହିଥାଏ। ଆଡ଼ପ ଅବଢାର ସ୍ୱାଦ ଭିନ୍ନ ଥିବାରୁ ଭକ୍ତମାନେ ଏହି ମହାପ୍ରସାଦକୁ ପାଇବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି। ଚଳିତ ବର୍ଷ ଆଡ଼ପ ଅବଢା ମିଳିବାର ଥିଲେ ବି ପୂର୍ବଭଳି ଅଧିକ ପରିମାଣ ରନ୍ଧା ଉପରେ କଟକଣା ଲଗାଯାଇଛି।

ସମ୍ବନ୍ଧିତ ଖବର