ଶୀତରେ ଉନ୍ମତ୍ତ ହେଉଛି ମାକ୍‌ନା : ପୁଣି ୩ ମଇଁଷି ମାରିଲା

ଖଣ୍ଡଗିରି/ବାରଙ୍ଗ : ଶୀତ ବଢ଼ିବା ସହ ଭରତପୁର ମାକ୍‌ନା ଉନ୍ମତ୍ତ ହେବାରେ ଲାଗିଛି। ‘ମସ୍ତ’ ହେବାରୁ ମଇଁଷିଙ୍କୁ ମାରୁଛି। ବଡ଼ ହେଉ କି ଛୁଆ ହେଉ କେହି ତା ହାବୁଡ଼ରୁ ରକ୍ଷା ପାଉନାହାନ୍ତି। ବାଛୁରୀମାନଙ୍କୁ ଅତି ନିର୍ଦୟଭାବେ ଦଳିଚକଟି ପକାଉଛି। ଗୁରୁବାର ଚନ୍ଦକା ଶିମିଳିପାଟଣାରେ ମଇଁଷି ମାରିଥିଲା। ଶନିବାର ରାତିରେ ପୁଣି ୩ ମଇଁଷିଙ୍କ ପ୍ରାଣ ନେଇଛି। ଜଗନ୍ନାଥପ୍ରସାଦ ଜଙ୍ଗଲ ଭିତରେ ଦୁଇଟି ବଡ଼ ଓ ଗୋଟିଏ ଛୁଆ ମଇଁଷିଙ୍କୁ ଦଳିଚକଟି ମାରି ପକାଇଛି। ତେଣୁ ମାକ୍‌ନାର ଏଭଳି କାଣ୍ଡ ପୁଣି ବନ ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଅନ୍ଧାରୁଆ ଗାଁର ଗୁଣ୍ଡିଚି ଦାସଙ୍କ ମଇଁଷି ପଲ ସବୁଦିିନ ଜଙ୍ଗଲକୁ ଯାଇ ସଂଜ ହେଲେ ଫେରି ଆସନ୍ତି। ବେଳେବେଳେ ସେମାନେ ଜଙ୍ଗଲ ଭିତରେ ରହି ଯାଆନ୍ତି। ଶନିବାର ରାତିରେ ସେମିତି ଗୁଣ୍ଡିଚିଙ୍କ ମଇଁଷିମାନେ ଜଗନ୍ନାଥପ୍ରସାଦ ଜଙ୍ଗଲ ଭିତରେ ରହି ଯାଇଥିଲେ। ମାତ୍ର ଦୁର୍ଭାଗ୍ୟକୁ ମସ୍ତ ହେବା ଯୋଗୁଁ ଉନ୍ମତ୍ତ ଅବସ୍ଥାରେ ଥିବା ମାକ୍‌ନା ହାବୁଡ଼ରେ ପଡ଼ିଗଲେ। ମାକ୍‌ନା ସେମାନଙ୍କ ଭିତରୁ ୨ଟି ବଡ଼ ମଇଁଷିଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବା ସହ ଗୋଟିଏ ମାଈଛୁଆକୁ ଦଳି ମାରି ପକାଇଥିଲା। ମଇଁଷିମାନେ ବନ୍ଧା ହୋଇନଥିବାରୁ ଅନ୍ୟମାନେ ଜୀବନ ନେଇ ଅନ୍ଧାରରେ ଦୌଡ଼ି ଦୌଡ଼ି ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ। ତଥାପି ପ୍ରାୟ ୫ଟି ମଇଁଷି ଆହତ ହୋଇଥିବା ଜଣାପଡ଼ିଛି।

ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ମାକ୍‌ନାର ତାଣ୍ଡବ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଖବର ପାଇ ବନ ବିଭାଗ ବି ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ମାକ୍‌ନା ସଂରକ୍ଷିତ ଜଙ୍ଗଲ ଭିତରେ ମଇଁଷି ଶିକାର କରିଥିବାରୁ ବନ ବିଭାଗ କ୍ଷତିପୂରଣ ଦେବାକୁ ମନା କରିଥିଲା। ସଂରକ୍ଷିତ ଜଙ୍ଗଲ ଭିତରକୁ ପ୍ରବେଶ ବାରଣ କରାଯାଇଥିବାରୁ ଭିତରେ ହାତୀ କିଛି ବି କ୍ଷତି କଲେ ଲୋକଙ୍କୁ କ୍ଷତିପୂରଣ ଦିଆଯାଇପାରିବ ନାହିଁ ବୋଲି ବିଭାଗୀୟ ଅଧିକାରୀ କହିଥିଲେ। ତେଣୁ ବିଚରା ଗୁଣ୍ଡିଚିଙ୍କ କ୍ଷତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର