ବଦଳିଲେ ମାଲକାନଗିରି ଜିଲ୍ଲାପାଳ; ୧୩ ଆଇଏଏସ୍‌ଙ୍କ ବଦଳି, ୪ ଜିଲ୍ଲାରେ ନୂଆ ଜିଲ୍ଲାପାଳ

ଭୁବନେଶ୍ବର : ଲଘୁ ଖଣିଜ ସମ୍ପଦ ଟେଣ୍ଡର୍‌ ଫିକ୍ସିଂ ଅଭିଯୋଗ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ସେଠାରୁ ରାଜ୍ୟ ସରକାର ବଦଳି କରିଛନ୍ତି। ଯାଜପୁରର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବିଶାଲ ସିଂହଙ୍କୁ ମାଲକାନଗିରିର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ବିଜୟଙ୍କୁ କଟକର ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

୨୦୧୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ ପ୍ରେମଚନ୍ଦ୍ର ଚୌଧୁରୀ କିଛି ଦିନ ତଳେ ବିଏମ୍‌ସିରୁ ବଦଳି ହେଲା ପରେ ସାଧାରଣ ପ୍ରଶାସନ ବିଭାଗରେ ଓଏସ୍‌ଡି ଭାବେ ଅବସ୍ଥାପିତ ହୋଇଥିଲେ। ତାଙ୍କୁ ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି।

ଏହି ବଦଳି ସହ ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମାଲକାନଗିରି ସମେତ ଚାରିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳାଯାଇଛି। ବରିଷ୍ଠ ଆଇଏଏସ୍‌ ଅଫିସର୍‌ ସୁରେଶ ବଶିଷ୍ଠଙ୍କୁ କୃଷି ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସୌରଭ ଗର୍ଗ କେନ୍ଦ୍ରୀୟ ଡେପୁଟେସନ୍‌କୁ ଗଲା ପରେ ଶ୍ରୀ ବଶିଷ୍ଠ କୃଷି ବିଭାଗର ଭାରପ୍ରାପ୍ତ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ଏବେ ସେ ପୂର୍ଣ୍ଣକାଳୀନ ସଚିବ ଭାବେ କାର୍ଯ୍ୟ କରିବେ।

୨୦୦୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍ ତଥା ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ଆନ୍ତଃ ରାଜ୍ୟ ଡେପୁଟେସନ୍‌ରେ ମହାରାଷ୍ଟ୍ର ଯିବେ। ଫଳରେ ଓପେସାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଭୂପିନ୍ଦର ସିଂହ ପୁନିଆଙ୍କୁ ଇପିକଲ୍‌ରେ ନିଯୁକ୍ତି ଦିଆଯାଇଛି। ସେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଗଜପତିର ଜିଲ୍ଲାପାଳ ଥିବା ଅନୁପମ ସାହାଙ୍କୁ ଓପେସାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସୋନପୁର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ ଓ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରଭାନେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ରାଉରକେଲା ମହାନଗର ନିଗମର କମିସନର୍‌ ଦିବ୍ୟଜ୍ୟୋତି ପରିଡ଼ା ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଭାବେ ଅତରିକ୍ତ ଦାୟିତ୍ବ ତୁଲାଇବେ।

୨୦୧୭ ବ୍ୟାଚ୍‌ର ତିନି ଆଇଏଏସ୍‌ ଅଫିସର୍‌ଙ୍କ ବଦଳି ହୋଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡି ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବାରିପଦା ଉପଜିଲ୍ଲାପାଳ ପି ଅନ୍‌ଭେଶ ରେଡ୍ଡିଙ୍କୁ ମୟୂରଭଞ୍ଜ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଧର୍ମଗଡ଼ ଉପଜିଲ୍ଲାପାଳ ଦିବଙ୍କର ଟି ଏସ୍‌ଙ୍କୁ ଓକାକ୍‌ର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି।

ଦ୍ବିତୀୟ ପର୍ଯ୍ୟାୟ ତାଲିମ୍‌ ସାରି କାର୍ଯ୍ୟରେ ଯୋଗ ଦେଇଥିବା ୨୦୧୯ ବ୍ୟାଚ୍‌ର ୫ ଅଫିସର୍‌ଙ୍କୁ ନୂଆ ନିଯୁକ୍ତି ମିଳିଛି। ଅଗ୍ରୱାଲ ଅକ୍ଷୟ ସୁନୀଲ୍‌ଙ୍କୁ ନବରଙ୍ଗପୁର ଉପଜିଲ୍ଳାପାଳ, ଆନ୍ୟା ଦାସଙ୍କୁ ବାରିପଦା ଉପଜିଲ୍ଲାପାଳ, ଆଦିତ୍ୟ ଗୋଏଲ୍‌ଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ମହାରାଜ ମନୋଜ ସତ୍ୟବାନଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ, ପାୱାର ସଚିନ ପ୍ରକାଶଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଓ ଇଶାଲୱାର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ‌ରେ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର