ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣା : ଦୀଘାରେ ନିିର୍ମାଣ ହେବ ଜଗନ୍ନାଥ ମନ୍ଦିର

ଭୋଗରାଇ : ଦୀଘାଠାରେ ପଶ୍ଚିମବଙ୍ଗ ସରକାର ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାକୁ ଗସ୍ତରେ ଆସିଥିବା ସମୟରେ ଏହି ଘୋଷଣା କରିଛନ୍ତି। ଏଥିସହିତ, ଦୀଘା ପର୍ଯ୍ୟଟନସ୍ଥଳୀକୁ ଆକର୍ଷଣୀୟ କରିବା ପାଇଁ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଗତ ୧୯ ତାରିଖ ସୋମବାର ଠାରୁ ସୁଶ୍ରୀ ବାନାର୍ଜୀ ୪ ଦିନିଆ ଦୀଘା ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ‌େସ ବେଳାଭୂମି ତଥା ପର୍ଯ୍ୟଟକଙ୍କ ପାଇଁ ବହୁ ଯୋଜନା ଘୋଷଣା କରିଥିଲେ। ଦୀଘା-କୋଲକାତା ହେଲିକପ୍ଟର ସର୍ଭିସ, ବିଦ୍ୟୁତ୍‌ଚାଳିତ ବସ୍‌ ସେବା ଆଦି ବିଷୟରେ ଘୋଷଣା କରିଥିଲେ। ଏହାସହିତ, ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଭଳି ଦୀଘାରେ ମଧ୍ୟ ଏକ ସୁରମ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି।

ବିବରଣୀ ଅନୁଯାୟୀ, ଗୋଆ ପରି ଦୀଘାରେ ସି-ପ୍ଲେନ ପରିସେବା ଚାଲିବା ପାଇଁ ପଶ୍ଚିମବଙ୍ଗ ସରକାର ଅଣ୍ଟା ଭିଡ଼ିଛନ୍ତି। ପୁରୀର ବିଶ୍ବବିଖ୍ୟାତ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ସେଠାରେ ଏକ ଶ୍ରୀମନ୍ଦିର ପ୍ରତିଷ୍ଠା କରିବା ପାଇଁ ମଧ୍ୟ ମମତା ଆଗଭର ହୋଇଛନ୍ତି। ଏଥିପାଇଁ ପୁରୁଣା ଦୀଘାରେ ପ୍ରଥମ ପର୍ଯ୍ୟାୟରେ ୨ କୋଟି ୨୪ ଲକ୍ଷ ଟଙ୍କା ମଞ୍ଜୁର କରି ଶିଳାନ୍ୟାସ କରିଛନ୍ତି। ଏହାଛଡ଼ା ବେଳାଭୂମିକୁ ସ୍ବଚ୍ଛ ସୁନ୍ଦର ତଥା ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ପୁଲିସ ପ୍ରଶାସନକୁ ତାଗିଦ୍‌ ମଧ୍ୟ କରିଛନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ସୀମାନ୍ତରୁ ମାତ୍ର ଅଳ୍ପ କେଇ କିମି ଦୂରରେ ଦୀଘାକୁ ପଶ୍ଚିମବଙ୍ଗ ସରକାର ଓ ପ୍ରଶାସନ ଚମକାଇବାକୁ ଚେଷ୍ଟା କରୁଥିବା ବେଳେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅଧୀନ ଭୋଗରାଇର ଉଦୟପୁର ଓ ତାଳସାରୀର ଅନୁରୂପ ବିକାଶ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର