କାର୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ: ରାସ୍ତାରେ ଶବ ରଖି କ୍ଷତିପୂରଣ ମାଗିଲେ, ଉତ୍ତେଜନା

ସାହାଜପାଲ: ଜାତୀୟ ରାଜପଥ ୫୭ର ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଥାନା ସିଦ୍ଧପୁର ଛକଠାରେ ଗୁରୁବାର ଏକ କାର୍‌ (ଓଡି ୦୩ ଏନ୍‌ ୬୧୮୮) ଧକ୍କାରେ ସିଦ୍ଧପୁର ଗ୍ରାମର ସୂର୍ଯ୍ୟନାରାୟଣ ମେହେର (୨୨ବର୍ଷ)ଙ୍କ ମୃତ୍ୟୁ ହୋଇଛି। ସୂର୍ଯ୍ୟନାରାୟଣ ଭୋର ସକାଳେ ଶୌଚ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଉକ୍ତ କାର୍‌ ଏକ ଟ୍ରକ୍‌କୁ ଓଭରଟେକ କରୁଥିବା ସମୟରେ ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ସୂଚନା ପାଇ ସୋନପୁର ପୁଲିସ ଉକ୍ତ କାର୍‌କୁ ଧରିଥିଲା।

ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସୂର୍ଯ୍ୟନାରାୟଣଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଲୟକୁ ନିଆଯାଉଥିଲା। ହେଲେ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସୋନପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଦିନ ଅଢ଼େଇଟାରେ ଦୁର୍ଘଟଣାସ୍ଥଳରେ ଶବ ରଖି ରାସ୍ତାରୋକ କରାଯାଇଥିଲା। ଅପରାହ୍‌ଣ ସାଢ଼େ ୩ଟାରେ ମାଜିଷ୍ଟ୍ରେଟ ଭାବେ ବୌଦ୍ଧ ତହସିଲଦାର ଦେବୀପ୍ରସାଦ ଦାଶ ପହଞ୍ଚି ଆଲୋଚନା କରିଥିଲେ। ସନ୍ଧ୍ୟା ୬ଟାରେ ଏସ୍‌ପି ଜ୍ଞାନରଞ୍ଜନ ମହାନ୍ତି ପହଞ୍ଚି ବୁଝାସୁଝା କରିଥିଲେ। ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା ଦିଆଯିବା ପରେ ସନ୍ଧ୍ୟା ସାଢ଼େ ୬ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ବାଉଁଶୁଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର