ଏ ଯୁଗରେ ବି ଅଛନ୍ତି ଏମିତି ଲୋକ ! ନିଜ ପେନସନ ଟଙ୍କାରେ ନିର୍ମିତ ପୋଲକୁ ଲୋକାର୍ପଣ କଲେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ

ତିନୋଟି ପଞ୍ଚାୟତବ‌ାସୀ ଉପକୃତ ହେବେ, ସଂଯୋଗ ରାସ୍ତା କଲାନି ପ୍ରଶାସନ

ହାଟଡିହି :  ପେନସନ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ନିର୍ମିତ ହୋଇଥିବା ଏକ ପୋଲକୁ ଆଜି ଲୋକାର୍ପିତ କରାଯାଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଗ୍ରାମର ଗଙ୍ଗାଧର ରାଉତ ଆଜି ପିଉସା-ପୁତୁରା ସେତୁକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ସମୟରେ ସାମାଜିକ ଦୂରତ୍ବ ନିୟମ ପାଳନ କରାଯାଇଥିଲା।

କାନପୁର ଗାଁର ଗୋପବନ୍ଧୁ ସାଜିଥିବା ଗଙ୍ଗାଧର ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟକରି ଅବସର ନେଇଥିଲେ। ଯେଉଁ ଟଙ୍କାପାଇଥିଲେ ସେଥିରେ କାର କିଣିବାକୁ ଘର ଲୋକ କହିଥିଲେ। ମାତ୍ର ଗଙ୍ଗାଧରଙ୍କ ସ୍ୱପ୍ନ ଥିଲା ଅଲଗା। ଗାଁ ଲୋକଙ୍କ ବର୍ଷବର୍ଷର ସମସ୍ୟାକୁ ସେ ଦୂର କରିବାପାଇଁ ସେ ଏକ ପୋଲ ନିର୍ମାଣକରିବାକୁ ସ୍ବପ୍ନ ଦେଖିଥିଲେ। ମାର୍ଚ୍ଚ ୨୦୧୮ରେ ଏହି ପୋଲ କାମ ଆରମ୍ଭ କରିଥିଲେ। ମୋଟ ୧୮ଲକ୍ଷ ୧୦ହଜାର ଟଙ୍କା ବ୍ୟୟକରି ସେ ୨୧୦ ଫୁଟ ଲମ୍ବ, ୧୦ଫୁଟ ଓସାରର ଏକ ଫୁଟ ବ୍ରିଜ ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି। ଏଥିରେ ଗଙ୍ଗାଧରଙ୍କ ନିଜସ୍ୱ ୧୬ଲକ୍ଷ ଟଙ୍କା, ତାଙ୍କ ପତ୍ନୀଙ୍କ ସଞ୍ଚିତ ଅର୍ଥରୁ ୧ଲକ୍ଷ, ପୁଅ ମନୋରଞ୍ଜନ ରାଉତଙ୍କ ୧ଲକ୍ଷ ଓ ଝିଅ ଜିଜ୍ଞାସା ରାଉତ ୧୦ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି।

ଶ୍ରୀ ରାଉତ ଆଜି ତାଙ୍କ ବାପା ସ୍ବର୍ଗତ ପରବାସୀ ରାଉତ ଓ ଭାଇ ସ୍ବର୍ଗତ ପ୍ରାଣବନ୍ଧୁ ବେହେରାଙ୍କ ସ୍ମୃତିରେ ଏହାକୁ ଉତ୍ସର୍ଗ କରିଛନ୍ତି। ଏହି ପୋଲ ଦ୍ୱାରା କାନପୁର, ମରଚାଇପଦା, ନିଉଦାନି, ଦନେଇପୁର ଆଦି ଗ୍ରାମର ଲୋକମାନେ ସହଜରେ ନଦୀର ଏପଟରୁ ସେପଟକୁ ଯାତାୟାତ କରିପାରିବେ। ଚାଷୀମାନେ ମଧ୍ୟ ନିଜର ଚାଷଜମିକୁ ହଳବଳଦ ଧରି ଯାଇପାରିବେ।

ଏହି କାର୍ଯ୍ୟ ପାଇଁ ତାଙ୍କୁ ରାଜ୍ୟ ତଥା ଜାତୀୟସ୍ତରରେ ତାଙ୍କୁ ବିଭିନ୍ନ ସଂଗଠନ ସମ୍ମାନିତ କରିଛନ୍ତି। ରାଜ୍ୟର ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ମଧ୍ୟ ପୋଲ ନିର୍ମାଣସ୍ଥଳକୁ ଆସି ଅନୁଧ୍ୟାନ କରିଛନ୍ତି। ଏହାସତ୍ତ୍ବେ ସଂଯୋଗୀକରଣ ରାସ୍ତା ନିର୍ମାଣ ଦିଗରେ ପ୍ରଶାସନ ଧ୍ୟାନ ଦେଇନଥିବା ଗ୍ରାମର ବୃନ୍ଦାବନ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର