କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଆରମ୍ଭ ହେଲା କ୍ରାଇମ୍‌ବ୍ରାଞ୍ଚ ତନାଘନା

ବେଙ୍ଗାଲୁରୁରେ ଶର୍ମିଷ୍ଠା! ଖୋଜୁଛି ୪ ଜଣିଆ ଟିମ୍, ଭଦ୍ରକ ଗଲା ୫ ଜଣିଆ ଟିମ୍, ୩୮ ଦିନ ପରେ ଠାବ ହେଲା କାର୍

ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ଦୀର୍ଘ ୩୮ ଦିନ ଧରି ତଦନ୍ତ କରି ଚାନ୍ଦବାଲି ପୁଲିସ ପୂରା ଘଟଣାର ପର୍ଦ୍ଦାଫାସ୍ କରି ପାରି ନ ଥିବା ପରିପ୍ରେକ୍ଷୀରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଶର୍ମିଷ୍ଠା ରାଉତଙ୍କ ପାଖରେ ପୁଲିସ ଏବେ ବି ପହଞ୍ଚିପାରିନାହିଁ। ମାମଲାର ଗମ୍ଭୀରତା ଓ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟର ଲିଙ୍କ୍ ଥିବାରୁ ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି।

ପୁଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ତତ୍‌କ୍ଷଣାତ ତଦନ୍ତ ଆରମ୍ଭ କରି ଦେଇଛି କ୍ରାଇମବ୍ରାଞ୍ଚ। ଡିଏସପି କଳ୍ପନା ସାହୁ ତଦନ୍ତର ନେତୃତ୍ବ ନେବେ। ତେବେ ଆଜି ଏକ ୫ ଜଣିଆ ଟିମ୍ ଭଦ୍ରକ ଚାନ୍ଦବାଲି ଯାଇ ଥାନାରୁ ଦସ୍ତାବିଜ୍ ସଂଗ୍ରହ କରିଛି। ଅନ୍ୟ ୪ ଜଣିଆ ଟିମ୍ ଶର୍ମିଷ୍ଠାଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଯାଇଛି। ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ରାଉତ ଆନ୍ଧ୍ରପ୍ରଦେଶର ବିଜୟଵାଡ଼ାରୁ ଗିରଫ ହୋଇଥିବା ବେଳେ ସେ ତାଙ୍କୁ ଫେରାର କରାଇଥିବା ଜଣାପଡ଼ିଛି। ଏପରିକି ଜଣେ ସମ୍ପର୍କୀୟଙ୍କ ଜରିଆରେ ମାର୍ଚ୍ଚ ୧୩ ତାରିଖରେ ପରମେଶ୍ବର ୧୦ ହଜାର ଟଙ୍କା ପଠାଇଥିଲେ। ଯାହାକୁ ଶର୍ମିଷ୍ଠା ଏକ ଏଟିଏମରୁ ଉଠାଇଥିବାର ପ୍ରମାଣ ମଧ୍ୟ ପୁଲିସ ହାତରେ ଲାଗିଛି। କିନ୍ତୁ ଏହା ପରଠାରୁ ଶର୍ମିଷ୍ଠାଙ୍କର ଆଉ କୌଣସି ପତ୍ତା ମିଳୁନାହିଁ। ଟଙ୍କା ଉଠାଇବା ପରେ କୁଆଡ଼େ ଗଲେ ଶର୍ମିଷ୍ଠା? ସେ ସମ୍ପର୍କରେ ମଧ୍ୟ ତଦନ୍ତକାରୀ ଟିମ୍ କୌଣସି ତଥ୍ୟ ହାସଲ କରିପାରି ନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶର୍ମିଷ୍ଠା ବିଜୟଵାଡ଼ାରୁ ବେଙ୍ଗାଲୁରୁ ଚାଲି ଯାଇଛନ୍ତି। ସେଠାରେ ଜଣେ ସମ୍ପର୍କୀୟଙ୍କ ପାଖରେ ଆତ୍ମଗୋପନ କରିଛନ୍ତି। ଏପରିକି ବେଙ୍ଗାଲୁରୁ-ତାମିଲନାଡ଼ୁ ସୀମା ଦେଇ ଫେରାର ହେବାକୁ ଯୋଜନା ଚଳାଇଛନ୍ତି। ଏଥିପାଇଁ ଅର୍ଥ ଯୋଗାଡ଼ କରୁଛନ୍ତି। ବେଙ୍ଗାଲୁରୁରେ ଥିବା ସମ୍ପର୍କୀୟଙ୍କ ଠାରୁ ମଧ୍ୟ ଆର୍ଥିକ ସହାୟତା ନେଇଥିବା କୁହାଯାଉଛି। ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ କେବେ ଧରି ପୂରା ଘଟଣା ଉପରୁ ପରଦା ଉଠାଇବ ଏବେ ତଦନ୍ତକାରୀ ସଂସ୍ଥା ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଅନ୍ୟପକ୍ଷରେ ଫେବ୍ରୁଆରି ୧୪ ତାରିଖ ଦିନ ମାନସ ନିଖୋଜ ନେଇ ଥାନାରେ ଏତଲା ହେବା ପରଠାରୁ ଚାନ୍ଦବାଲି ଥାନା ପୁଲିସ ଦୁର୍ବଳ ତଦନ୍ତର ଗୋଟିଏ ପରେ ଗୋଟିଏ ଦିଗ ସାମ୍ନାକୁ ଆସିବାରେ ଲାଗିଛି। ଆଜି ପୁଲିସ ଅଧିକାରୀମାନେ ଅପହରଣରେ ବ୍ୟବହାର ହୋଇଥିବା ଶର୍ମିଷ୍ଠାଙ୍କ କାର୍ ଜବତ କରିଛନ୍ତି। ହେଲେ ଏହା ହିଁ ପ୍ରମାଣ କରିଛି ଯେ ତଦନ୍ତ କେମିତି ଚାଲିଥିଲା। କାରଣ, ମାନସଙ୍କ ବାପା ଯେଉଁ ଏତଲା ଦେଇଥିଲେ ସେଥିରେ ‘ସମ୍ପୂର୍ଣ୍ଣ’ ୱେବ ଚ୍ୟାନେଲ ମାଲିକ ନିଜେ ଆସି ଅପହରଣ କରିଥିବା ଦର୍ଶାଇଥିଲେ। ମାନସ ଚାନ୍ଦବାଲି ପଳାସପୁରରେ ଯେଉଁ ବାହାଘର ସୁଟିଂରେ ଯାଇଥିଲେ ବିବାହ କରିଥିବା ଯୁବକ ବାପି ପ୍ରତ୍ୟକ୍ଷଦର୍ଶୀ ଭାବେ ବୟାନ ଦେଇଥିଲେ। ଯେଉଁ କାରରେ ଯାଇଥିଲେ ସେଥିରେ ‘ସମ୍ପୂର୍ଣ୍ଣ’ ନ୍ୟୁଜ୍ ଉଲ୍ଲେଖ ରହିଥିଲା ବୋଲି ମାନସଙ୍କ ବାପା ପୁଲିସକୁ କହିଥିଲେ। କିନ୍ତୁ ସେହି କାରକୁ ଆଜିଯାଏ ପୁଲିସ ଠାବ ନ କରିପାରିବା ତଦନ୍ତକାରୀ ଟିମର ଅପାରଗତା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଶର୍ମିଷ୍ଠାଙ୍କ ଏହି କାର(ଓଡି୦୨ବିଏ-୬୫୯୯)ରେ ହିଁ ମାନସଙ୍କୁ ଅପହରଣ କରା ଯାଇଥିଲା। ଘଟଣା ଦିନ ଶର୍ମିଷ୍ଠାଙ୍କ ସହ ଝୁନା ଓ ଅନ୍ୟ ୩ ଅଭିଯୁକ୍ତ ଥିଲେ। ଅପହରଣ ପରେ ମାନସଙ୍କୁ ଭୁବନେଶ୍ବର ଅଣା ଯାଇଥିଲା। ହତ୍ୟା ପରେ ମୃତଦେହକୁ ନୟାଗଡ଼ ନେଇ ପୋତି ଦିଆ ଯାଇଥିଲା। ଏଥିରେ ଆଉ ଗୋଟିଏ ବୋଲେରୋ ମଧ୍ୟ ଜବତ କରା ଯାଇଥିଲା। ଯାହା ପୂର୍ବରୁ ପୁଲିସ ଜବତ କରି ସାରିଛି।

ଭୁବନେଶ୍ବରର ‘ସମ୍ପୂର୍ଣ୍ଣ’ ‌େୱବ୍‌ ଅଫିସକୁ ଚାନ୍ଦବାଲି ପୁଲିସ ସିଲ୍‌ କରୁଛି

ଏଠାରେ ପ୍ରଶ୍ନ ଉଠୁଛି କାହିଁକି ପୁଲିସ ଶର୍ମିଷ୍ଠା ରହୁଥିବା ସ୍କାଏ ଟାଵାର୍ସରେ ଆରମ୍ଭରୁ ଚଢ଼ଉ କରି ନ ଥିଲା କି କାର୍ ସମ୍ପର୍କରେ ଖୋଳତାଡ଼ କରି ନ ଥିଲା? ଯେଉଁ ତାରିଖ କଥା କୁହା ଯାଇଥିଲା ସେହି ତାରିଖରେ କାର କେତେବେଳେ ଆପାର୍ଟମେଣ୍ଟରୁ ବାହାରିଥିଲା, କେତେବେଳେ ଆଶ୍ରମ ନିକଟକୁ ଆସିଥିଲା, ଏ ଦିଗରେ ପୁଲିସ ସିସିଟିଭି ଯାଞ୍ଚ କରି ଥିଲା କି? ଯଦି କରିଥିଲା ତାହେଲେ କାରକୁ କାହିଁକି ଜବତ କରି ନ ଥିଲା? ଯଦି ଆପାର୍ଟମେଣ୍ଟ ଯାଇନି, ତେବେ କାହାକୁ ଖସାଇବାକୁ ଚେଷ୍ଟା ହୋଇଥିଲା?
ପୁଲିସ ଦୁର୍ବଳ ତଦନ୍ତର ଆଉ ଗୋଟିଏ ଦିଗ ମଧ୍ୟ ସାମ୍ନାକୁ ଆସିଛି। ଅପହରଣ ମାମଲା ରୁଜୁ ହେବା ପରେ ଶର୍ମିଷ୍ଠା ପୁଲିସ ଡାକରା ପାଇ ଦୁଇ ଥର ହାଜର ହୋଇଥିଲେ। ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପରେ ଅର୍ଥାତ୍ ମାର୍ଚ୍ଚ ୧ରୁ ୩ ତାରିଖ ଭିତରେ ଆଉ ଥରେ ହାଜର ହେବା ଲାଗି ପୁଲିସ କହିଥିଲା। କିନ୍ତୁ ତୃତୀୟ ଥର ଶର୍ମିଷ୍ଠା ଥାନାରେ ହାଜର ହୋଇ ନ ଥିଲେ। ଭୁବନେଶ୍ବରରେ ଥାଇ ବିଭିନ୍ନ ଜାଗାରେ ବୁଲୁଥିଲେ। ଆଇନ ପରାମର୍ଶ ଚଳାଇଥିବା ବେଳେ କେମିତି ମାମଲାରୁ ମୁକୁଳିବେ ସବୁ ପ୍ରକାର ଚେଷ୍ଟା କରୁଥିଲେ। ବଡ଼ବଡ଼ିଆଙ୍କ ସହାୟତା ନେଉଥିଲେ। କିନ୍ତୁ ସେତେବେଳେ ମଧ୍ୟ ପୁଲିସ ତାଙ୍କୁ ଖୋଜି ନ ଥିଲା କି ନିଜ ହେପାଜତକୁ ନେବା ପାଇଁ ଚେଷ୍ଟା କରି ନ ଥିଲା। ଯେତେବେଳେ ସହଯୋଗୀଙ୍କୁ ପୁଲିସ ନିଜ କବ୍‌ଜାକୁ ନେଲା ସେତେବେଳେ ଗିରଫଦାରି ଭୟରେ ଶର୍ମିଷ୍ଠା ଫେରାର ହୋଇଗଲେ।

ଏସବୁ ଭିତରେ ଶର୍ମିଷ୍ଠା ଫେରାର ହେବା ପଛରେ କେଉଁ ବଡ଼ବଡ଼ିଆଙ୍କ ହାତ ରହିଛି ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସେହିପରି ମାନସଙ୍କ ଘରୁ କମ୍ପ୍ୟୁଟରରୁ ଏକ ହାର୍ଡଡିସ୍କକୁ ଜବତ କରିଛି ତଦନ୍ତକାରୀ ଟିମ୍। ଯେଉଁ କ୍ୟାମେରା ମେମୋରି ଚିପ୍ ପାଇଁ ହତ୍ୟାକାଣ୍ଡ ଘଟିଛି ତାହା ଏଯାଏ ମିଳି ନ ଥିବା ବେଳେ ହାର୍ଡଡିସ୍କରେ ତାହାର କିଛି କପି ରହିଥିବା ଅନୁମାନ କରାଯାଉଛି। କିନ୍ତୁ ପୁଲିସ ଜବତ ହାର୍ଡଡିସ୍କକୁ ଏଯାଏ ଫରେନସିକ୍ ଲାବରେଟୋରିକୁ ପଠାଇ ନ ଥିବାରୁ ଅନେକ ପ୍ରଶ୍ନ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର