ମାନସ ଦେବତା ହେବେ ସୂଚନା କମିସନ ସଚିବ

୩ଜଣ ଓଏଏସ୍‌ଙ୍କୁ ବଦଳି, ନିଜ ପଦରେ ରହିଲେ ଆଉ ୩ଜଣ

ଭୁବନେଶ୍ବର : ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ୍‌ ଡେଭଲପ୍‌ମେଣ୍ଟ(ଏସ୍‌ଆଇଆର୍‌ଡି) ନିର୍ଦେଶକ ମାନସ ଚନ୍ଦ୍ର ଦେବତାଙ୍କୁ ରାଜ୍ୟ ସୂଚନା କମିସନ୍‌ର ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସମେତ ୩ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଆଉ ୩ଜଣଙ୍କୁ ନିଜ ପଦବିରେ ରହିବାକୁ ଅନୁମତି ଦେଇଛନ୍ତି ସରକାର।

ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରକାଶ କରିଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଜୟପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସର୍‌କା ଏସ୍‌ଟି ଓ ଏସ୍‌ସି ବିଭାଗକୁ ଉପ ସଚିବ ଭାବେ ବଦଳି ହୋଇଛନ୍ତି। ସେହିପରି କ୍ରାଡା ଓ ଯୁବସେବା ବିଭାଗର ଉପ ସଚିବ ବେଦବନ୍ଧୁ ମିଶ୍ରଙ୍କୁ ରାଜ୍ୟପାଳଙ୍କ ଉପ ସଚିବ ଭାବେ ବଦଳି କରାଯାଇଛି। ତେବେ ଜୟପୁର ଉପ ଜିଲ୍ଲାପାଳ ଲୋକନାଥ ଦଳବେହେରାଙ୍କୁ ତାଙ୍କ ପଦବିରେ ରହିବାକୁ ଅନୁମତି ମିଳିବା ସହିତ ତାଙ୍କୁ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବନ୍ୟସ୍ତ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପ ସଚିବ ଶାରଦା ପ୍ରସାଦ ପଣ୍ଡାଙ୍କୁ ଖଣ୍ଡପଡ଼ା ତହସିଲଦାର ଭାବେ ବଦଳି କରାଯାଇଥିଲା। ଆଜି ସେହି ବଦଳି ଆଦେଶ ବାତିଲ କରି ତାଙ୍କୁ ନିଜ ପଦବିରେ ରହିବାକୁ କୁହାଯାଇଛି। ଅନୁରୂପ ଭାବେ ଇଡ୍‌କୋ ଅତିରିକ୍ତ ଭୂ ଅଧିକାରୀ କୈଳାସ ଚନ୍ଦ୍ର ଦାସଙ୍କୁ ଭଣ୍ଡାରିପୋଖରୀ ତହସିଲଦାର ଭାବେ ବଦଳି କରାଯାଇଥିଲା। କିନ୍ତୁ ଏହି ବଦଳି ଆଦେଶ ବାତିଲ କରି ତାଙ୍କୁ ନିଜ ପଦବିରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର