ମାଓବାଦୀଙ୍କ ବନ୍ଦ ବେଳେ ହତ୍ୟା, ଅପହରଣ ଗୁଜବ

ଘଟଣାସ୍ଥଳକୁ ଯିବାକୁ ପୁଲିସର ଡର!

ତୁମୁଡ଼ିବନ୍ଧ/କୋଟଗଡ଼ : କନ୍ଧମାଳ ପୁଲିସର ମାଓ ମୁକାବିଲା ବାଟବଣା। ଆଜି ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ବେଳେ କନ୍ଧମାଳ ଜିଲ୍ଲାରେ ଏହାର ବେଶ୍‌ ପ୍ରଭାବ ଦେଖିବାକୁ ମିଳିଥିଲା। ସେପଟେ ପୁଲିସ, ପ୍ରଶାସନକୁ ଉଡ଼ା ଖବର ଯୋଗୁଁ ନାକେଦମ୍‌ ହେବାକୁ ପଡ଼ିଥିଲା। ମାଓବାଦୀ ଜଣଙ୍କୁ ହତ୍ୟା ଓ ଜଣକୁ ଅପହରଣ କରିଥିବା ଗୁଜବ ବ୍ୟାପିଯିବା ପରେ ରାଜ୍ୟ ପୁଲିସ ପ୍ରଶାସନ ବି ହଡ଼ବଡ଼େଇ ଗଲା। ଏଭଳିକି ଗୁଜବର ସତ୍ୟାସତ୍ୟ ତଦନ୍ତ ନ କରି ପ୍ରଥମେ ଗଣମାଧ୍ୟମ ପ୍ରତିନିଧିଙ୍କୁ କେତେକ ପୁଲିସ ଅଧିକାରୀ ମୋହରା ବନାଇଥିଲେ।

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଗୁମୁଡ଼ୁମାହା ନିକଟସ୍ଥ ଲାଡ଼ି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରା ଯାଇଥିବା ଖବର ଦେଇଥିଲେ। ଏ ନେଇ ପୁଲିସ ଡିଜି ବି ଗଣମାଧ୍ୟମକୁ ବିବୃତି ଦେଇଦେଲେ। ହେଲେ ମାଓ ସଂପୃକ୍ତି ନେଇ ସ୍ପଷ୍ଟ କଲେନି। ଘଟଣା ଘଟିଥିବା ଅଞ୍ଚଳରେ ମୋବାଇଲ ସେବା ଉପଲବ୍ଧ ନଥିବା ଯୋଗୁଁ ଏ ସମ୍ପର୍କରେ ପୁଲିସ ପାଖରେ ବି ସଠିକ୍‌ ଖବର ନଥିଲା। ଶେଷରେ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଏହା ଗୁଜବ ବୋଲି ସ୍ପଷ୍ଟ କରିବା ପର୍ଯ୍ୟନ୍ତ ପୁଲିସ ଥାନାରୁ ବାହାରି ନଥିଲା। ଭୟ ଥିଲା କାଳେ ଲ୍ୟାଣ୍ଡମାଇନ ବିଛା ଯାଇଥିଲେ କିଛି ଅଘଟଣ ଘଟିବ।

ସେହିଭଳି ପରମପାଙ୍ଗା ପଞ୍ଚାୟତର ବନିମିଲାର ଗାଁ ସାଥୀଙ୍କୁ ମାଓବାଦୀ ଉଠାଇ ନେଇଥିବା ଖବର ମଧ୍ୟ ଗୁଜବ ବୋଲି ଜଣା ଯାଇଥିଲା। କିଏ ଓ କାହିଁକି ଏଭଳି ଗୁଜବ କଲା ତାହା ଏବେ ପ୍ରଶ୍ନବାଚୀ।  ଗତ ସପ୍ତାହରେ କୋଟଗଡ଼ ଦୁର୍ଗାପାଙ୍ଗାର ଗାଁ ସାଥୀ ବସନ୍ତ ଭଟ୍ଟଙ୍କୁ ମାଓବାଦୀ ଘରୁ ଉଠାଇ ନେଇ ହତ୍ୟା କରିଥିଲେ। ଏହା ପରେ ପୋଷ୍ଟର ଲଗାଇ ୨୧ ଅକ୍ଟୋବର ବନ୍ଦକୁ ସଫଳ କରିବାକୁ ମାଓ ସଂଗଠନ ବିଜିଏନ୍‌(ବାଶଧାରା-ଘୁମୁସୁର-ନାଗାବଳୀ) ପକ୍ଷରୁ ଡାକରା ଦିଆ ଯାଇଥିଲା। କୁନ୍ଦୁଲି ନାବାଳିକା ଗଣବଳାତ୍କାର, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବନ୍ଧ ବାନ୍ଧିବା, ଚାଷୀଙ୍କୁ ପାଣି ନ ଦେଇ କମ୍ପାନିକୁ ଦେବା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆ ଯାଇଥିଲା। ଏହାର ପ୍ରଭାବ ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଓ ବେଲଘର ଥାନା ଅଞ୍ଚଳରେ।

ଗତକାଲି ବାଲିଗୁଡ଼ା-ତୁମୁଡ଼ିବନ୍ଧ ଜାତୀୟ ରାଜପଥ୫୯ର କୁର୍ତ୍ତମଗଡ଼ ଠାରେ ଗଛକାଟି ରାସ୍ତା ଅବରୋଧ କରିଥିଲେ। ସକାଳୁ ତୁମୁଡ଼ିବନ୍ଧ, କୁର୍ତ୍ତମଗଡ଼ରେ ଦୋକାନ ବଜାର ବନ୍ଦ ରହଥିଲା। ଆଜି ଶନିବାର ସକାଳୁଆ ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖୁବ୍‌ କମ୍‌ ଥିଲା। ବ୍ୟାଙ୍କ ବନ୍ଦ ରହିଥିଲା । ଦିନ ୮ଟା ବେଳେ ରାସ୍ତାରେ ପଡ଼ିଥିବା ଗଛ କାଟି କିଛି ଗାଡ଼ି ଯିବା ଆସିବା କରିଥିଲେ। କାଁ ଭାଁ ଟ୍ରକ ଏବଂ କାର୍‌, ଜିପ୍‌ ଯାତାୟାତ କରୁଥିଲେ। ସରକାରୀ ବେସରକାରୀ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏପଟେ ଆଜି ଦିନ ତମାମ ମାଓବାଦୀଙ୍କ ବନ୍ଦ ଡାକରା ସହ ହତ୍ୟା, ଅପହରଣ ଗୁଜବ ପୁଲିସର ନିଦ ହଜାଇ ଦେଇଥିଲା।

ସମ୍ବନ୍ଧିତ ଖବର