ନାବାଳିକାଙ୍କୁ ବିବାହ ମହଙ୍ଗା ପଡ଼ିଲା : ନାବାଳିକା ଉଦ୍ଧାର, ଯୁବକ ଅଟକ

ଭୋଗରାଇ : ଭୋଗରାଇ ଥାନା ମନ୍ଦାରସାହି ପାଟଣା ଗାଁର ଜଣେ ଯୁବକ ଆଧାରକାର୍ଡ ଜାଲିଆତି କରି କଟକ ଅଞ୍ଚଳର ଜନୈକା ନାବାଳିକାଙ୍କୁ ବିବାହ କରିବା ମହଙ୍ଗା ପଡ଼ିଲା। ମାସେ ତଳେ ଜନୈକ ଦଲାଲଙ୍କ ସହଯୋଗରେ ସମ୍ପୃକ୍ତ ଯୁବକ ସହିତ ଝିଅକୁ ବିବାହ ଦେଇଥିଲେ ମା’ ଓ ସମ୍ପର୍କୀୟ ଅଜା, ଆଈ ଓ ମାମୁ। ନାବାଳିକାଙ୍କ ବାପାଙ୍କର ଲିଖିତ ଅଭିଯୋଗ ଓ ଏକ ସ୍ବେଚ୍ଛାସେବୀ ସଂଗଠନର ସହଯୋଗ ସହ ଭୋଗରାଇ ଆଇସିଡିଏସ ଓ ପୁଲିସ ସହାୟତାରେ ସଂପୃକ୍ତ ବିବାହିତା ନାବାଳିକା ଓ ଯୁବକଙ୍କୁ ଆଜି ଘରୁ ଉଠାଇ ଆଣିବାରେ ସକ୍ଷମ ହୋଇଛି ବାଲେଶ୍ବର ଚାଇଲଡଲାଇନ। ଉଦ୍ଧାର ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଇବା ପାଇଁ ପୁଲିସ ଭୋଗରାଇ ଆଇସିଡିଏସ ଅଧିକାରିଣୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଭୋଗରାଇ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯିବା ସହ ନାବାଳିକାଙ୍କୁ ବିବାହ କରିଥିବା ଯୁବକଙ୍କୁ ଅଟକ ରଖିଛି ପୁଲିସ। ଅଟକ ଯୁବକ ହେଲେ ମନ୍ଦାରସାହି ପାଟଣା ଗାଁର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଗୋପାଳ ଦାସ(୨୮)।

ସୂଚନା ଅନୁଯାୟୀ ବାଲେଶ୍ବର ସଦର ଥାନା ପଦାସାହି ବେଣାପୁରିଆ ଗାଁର ଉମାକାନ୍ତ ପାତ୍ରଙ୍କ ଝିଅ ମାଣିକ ସ୍ବାମୀ ପରିତ୍ୟକ୍ତା ହେବା ପରେ ପ୍ରଥମ ସ୍ବାମୀଙ୍କର ସାଢ଼େ ଚାରି ବର୍ଷ ଓ ୬ ମାସର ଶିଶୁକନ୍ୟାକୁ ନେଇ କଟକ ମଙ୍ଗଳାବାଗ ଥାନା ମାଛୁଆବଜାର ଅଶୋକ କାହାଳୀଙ୍କ ପାଖରେ ଆଶ୍ରୟ ନେଇଥିଲେ। ମାଣିକକୁ ପତ୍ନୀର ମାନ୍ୟତା ଦେବା ସହ ତାଙ୍କର ଦୁଇ ଶିଶୁକନ୍ୟାକୁ ଝିଅର ପରିଚୟ ଦେଇ ଲାଳନପାଳନ କରିଆସୁଥିଲେ ଅଶୋକ। ବାପାର ପରିଚୟ ଦେଇ ମାଣିକଙ୍କର ଦୁଇଝିଅଙ୍କୁ ସ୍କୁଲରେ ପାଠ ପଢ଼ାଇବା ସହ ସେମାନଙ୍କର ସମସ୍ତ ପ୍ରକାର ଦାୟିତ୍ବ ତୁଲାଉଥିଲେ। ବଡ଼ଝିଅକୁ କଟକ ଅଞ୍ଚଳରେ ବିବାହ ମଧ୍ୟ ଦେଇଛନ୍ତି ଅଶୋକ। ଗତ ଦୀପାବଳି ସମୟରେ ଅଶୋକ ଓ ମାଣିକ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଫଳରେ ମାଣିକ ସାନଝିଅକୁ ନେଇ ବାଲେଶ୍ବର ସହର ପଦାସାହି ବଣପାରିଆସ୍ଥିତ ବାପ ଘରକୁ ଆସି ରହିଥିଲେ। ଏହି ସମୟରେ ଗ୍ରାମର ମଧୁସୂଦନ ମଲ୍ଲିକ ନାମକ ଜଣେ ଦଲାଲଙ୍କ ସହାୟତାରେ ଝିଅର ଜନ୍ମ ତାରିଖ ବଦଳାଇ ଏକ ନକଲି ଆଧାର କାର୍ଡ ତିଆରିକରି ସାବାଳିକା କରିଥିଲେ। ପରେ ଭୋଗରାଇ ଥାନା ମନ୍ଦାରସାହି ପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଗୋପାଳ(୨୮)ଙ୍କ ସହିତ ନାବାଳିକା ଝିଅର ବିବାହ ଦେଇଥିଲେ। ଦଲାଲ ମଧୁସୂଦନ ଓ ନାବାଳିକାର ମା’ ମାଣିକ କାହାଳୀଙ୍କୁ ଏହି କାର୍ଯ୍ୟରେ ନାବାଳିକାଙ୍କ ଅଜା ଉମାକାନ୍ତ ପାତ୍ର, ଆଈ ଅଗଣୀ ପାତ୍ର ଓ ମାମୁ କୌଳାସ ପାତ୍ର ସହଯୋଗ କରିଥିବା ଅଭିଯୋଗ ହୋଇଛି।

ସାବତ ବାପା ନାବାଳିକା ଝିଅକୁ ବହୁ ଖୋଜାଖୋଜି କରିବା ପରେ ଏ ସମ୍ପର୍କରେ ଖବର ପାଇ କଟକ ସ୍ଥିତ ରାଜ୍ୟ ମାନବାଧିକାର ସୁରକ୍ଷା ସଙ୍ଗଠନର ସଭାପତି ନରୋତ୍ତମ ଦାସଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କ ସହଯୋଗରେ ନାବାଳିକା ଝିଅକୁ ଉଦ୍ଧାର ପାଇଁ ଚାଇଲଡଲାଇନରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଶ୍ରୀ ଦାସ ଓ ସଙ୍ଗଠନର ସଦସ୍ୟା ଗୋଲାପ ସିଂ ଓ କିରଣବାଳା ନାୟକଙ୍କ ସମେତ ବାଲେଶ୍ବର ଚାଇଲଡଲାଇନର ଜିଲ୍ଲା ଯୁଗ୍ମ ସଂଯୋଜକ ପ୍ରଶାନ୍ତ କୁମାର ରାଉତ, ବାଲିଆପାଳ ଶାଖା ମୁଖ୍ୟ ଉତ୍ତମ ନାୟକ, ଭୋଗରାଇ ଆଇସିଡିଏସ ସୁପରଭାଇଜର ଶାନ୍ତି ହାସଁଦା, ଭୋଗରାଇ ଥାନା ଆଇଆଇସି ସୁଜାତା ଖମାରୀ,ଏସଆଇ କୈଳାସ ମହାଳିକ, ଏଏସଆଇ ଭାଗ୍ୟଜିତ ନାୟକ ପ୍ରମୁଖ ଆଜି ପୁଲିସ ଫୋର୍ସ ନେଇ ଗୋପାଳ ଦାସଙ୍କ ମନ୍ଦାରସାହି ପାଟଣା ସ୍ଥିତ ଘରେ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଗୋପାଳଙ୍କୁ ଧରି ଥାନାକୁ ଆଣିଥିଲେ। ସିଆରପିସି ଧାରା ୧୬୧ ମୁତାବକ ନାବାଳିକାଙ୍କର ବୟାନ ରେକର୍ଡ କରିବା ସହିତ ଆଇସିଡିଏସ ସୁପରଭାଇଜର ଶାନ୍ତି ହାସଁଦାଙ୍କ ଲିଖିତ ଅଭିଯୋଗକ୍ରମେ ଭୋଗରାଇ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗୋପାଳଙ୍କୁ ଥାନାରେ ଅଟକ ରଖିଛି। ଏହା ସହିତ ଉଦ୍ଧାର ନାବାଳିକାକୁ ସିଡବ୍ଲ୍ୟୁସିରେ ହାଜର କରାଇବା ପାଇଁ ଆଇସିଡିଏସ ଅଧିକାରିଣୀଙ୍କୁ ହସ୍ତାନ୍ତର କରିଛି ପୁଲିସ।
ଅନ୍ୟପକ୍ଷରେ ଆଧାର କାର୍ଡରେ ଜାଲିଆତି କରିଥିବା ଓ ନାବାଳିକାଙ୍କୁ ବିବାହ କରାଇବାରେ ସହଯୋଗ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଶୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର