ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ : ସମ୍ବଳ ଓ ସମ୍ଭାବନା ଭିତ୍ତିରେ ନିଜ ଜିଲ୍ଲା ପାଇଁ ପ୍ରକଳ୍ପ ପ୍ରସ୍ତୁତ କର

ଭୁବନେଶ୍ବର : ବର୍ତ୍ତମାନ ରାଜ୍ୟରେ ମୌଳିକ ଆବଶ୍ୟକତା ଭିତ୍ତିକ ଯୋଜନାଗୁଡ଼ିକ ବ୍ୟାପକ ଭାବେ ସମ୍ପ୍ରସାରିତ ହୋଇଛି। ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ସଡ଼କ ଯୋଗାଯୋଗ, ବିଜୁଳି ସଂଯୋଗ, ପାନୀୟ ଜଳ, ଶିକ୍ଷା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ବିକାଶ ପ୍ରକ୍ରିୟାକୁ ପରବର୍ତ୍ତୀ ଉନ୍ନୀତ ପର୍ଯ୍ୟାୟକୁ ନେବାର ସମୟ ଆସିଛି। ଏଥିପାଇଁ ନିଜ ଜିଲ୍ଲାରେ ସମ୍ବଳ ଓ ସମ୍ଭାବନା ଭିତ୍ତିରେ ଅଭିନବ ପ୍ରକଳ୍ପମାନ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର ତିନି ରାଜସ୍ବ ଡିଭିଜନ୍‌ର ଜିଲ୍ଲାପାଳମାନଙ୍କ ସହ ତିନିଟି ପର୍ଯ୍ୟାୟରେ ଶ୍ରୀ ମହାପାତ୍ର ଆଲୋଚନା କରିଥିଲେ। ସେ କହିଥିଲେ ଯେ କୋଭିଡ୍‌ ମହାମାରୀ ଯୋଗୁ ଗତ ୯ରୁ ୧୦ ମାସ ମଧ୍ୟରେ ଆର୍ଥିକ ପ୍ରଗତିର ବିଭିନ୍ନ ଦିଗ ଧିମେଇ ଯାଇଥିଲା। ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ସମସ୍ତ ଦିଗ ପୁଣି ଚଳଚଞ୍ଚଳ ହୋଇଛି। ବିକାଶ ହାର ମଧ୍ୟ କୋଭିଡ୍‌ ପୂର୍ବବର୍ତ୍ତୀ ସ୍ଥିତି ଆଡ଼କୁ ଗତି କରୁଛି। ଏହାକୁ ଅଧିକ ତ୍ବରାନ୍ବିତ କରି ନିରନ୍ତର ବିକାଶ ଜାରି ରଖିବା ପାଇଁ ବ୍ୟାପକ ପ୍ରୟାସ ହେବା ଦରକାର। ଏଥି ନିମନ୍ତେ ପ୍ରତି ଜିଲ୍ଲାର କୃଷି-ଜଳବାୟୁ, ପ୍ରାକୃତିକ ସମ୍ପଦ, ମାନବ ସମ୍ବଳ ଓ ନୂଆ ସୁଯୋଗ ଆଦିକୁ ଭିତ୍ତି କରି ଅଭିନବ ଜୀବିକା ନିର୍ବାହ ଓ ଆର୍ଥିକ କାର୍ଯ୍ୟକାଳପ ବୃଦ୍ଧି ନିମନ୍ତେ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଜିଲ୍ଲାଗୁଡ଼ିକରେ ଚାଲିଥିବା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପଗୁଡ଼ିକର ତ୍ବରିତ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ବାରୋପ କରି ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ଜଙ୍ଗଲ ଓ ପରିବେଶ ଅନୁମତି, ବିଭିନ୍ନ ପ୍ରକାର ପ୍ରମାଣପତ୍ର ପ୍ରଦାନ, ଜମି ଅଧିଗ୍ରହଣ ଆଦି ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ସମୀକ୍ଷା ବେଳେ ଉଭୟ ସରକାରୀ ଓ ଘରୋଇ ପୁଞ୍ଜିନିବେଶରେ ହେଉଥିବା ପ୍ରକଳ୍ପଗୁଡ଼ିକୁ ବିଚାରକୁ ନେବା ପାଇଁ ସେ କହିଥିଲେ। ପ୍ରକଳ୍ପଗୁଡ଼ିକର ଫଳାଫଳ ମୂଲ୍ୟାୟନ ପାଇଁ ନିର୍ଦ୍ଦିଷ୍ଟ ମାନକ ନିର୍ଦ୍ଧାରଣ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିସନର୍‌ ରାଜ କୁମାର ଶର୍ମା କୃଷି ଉତ୍ପାଦନ ବୃଦ୍ଧି ଏବଂ କୃଷି ଉତ୍ପାଦ ବିପଣୀ ନିମନ୍ତେ ଶୃଙ୍ଖଳ ଭିତ୍ତିକ ସମନ୍ବିତ ପ୍ରକଳ୍ପମାନ ପ୍ରସ୍ତୁତ କରିବାକୁ କହିଥିଲେ। ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଓ ଇଡ୍‌କୋ ସିଏମ୍‌ଡି ସଞ୍ଜୟ କୁମାର ସିଂହଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର