ଭୁବନେଶ୍ବର : ଆସନ୍ତା ୩/୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗତ ୨ ଦିନ ହେଲା ୪୦ ଡିଗ୍ରି ତଳକୁ ଖସିଥିବା ତାପମାତ୍ରା ପୁଣିଥରେ ୪୨ ଛୁଇଁବ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ନଥିବାରୁ ତାତି ବଢ଼ିବ। ୧୯ ଓ ୨୦ ତାରିଖ ଅପରାହ୍ଣ ଆଡ଼କୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରର ସୂଚନା ମୁତାବକ, କିଛି ଦିନ ହେଲା ରାଜ୍ୟରେ କାଳବୈଶାଖୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ଫଳରେ ରାଜ୍ୟର ପାଗ ଥଣ୍ଡା ରହିବା ସହ ପାରଦ ଖସିଥିଲା। କିନ୍ତୁ ଆସନ୍ତା ୪ ଦିନରେ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାଜ୍ୟରେ ପାଗ ଶୁଖିଲା ରହିବା ସହ ଟାଣ ଖରା ହେବ। ୧୯ ତାରିଖ ଅପରାହ୍ଣ ଆଡ଼କୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ ଓ ଗଜପତିରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ୨୦ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ ବାଲେଶ୍ବରରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏଥିଯୋଗୁଁ ସାମୟିକ ସମୟ ପାଇଁ ପରିବେଶ ଥଣ୍ଡା ରହିଲେ ବି ତାପମାତ୍ରା ଉପରେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳର ତାପମାତ୍ରା ୩୯ ଡିଗ୍ରି ପାଖାପାଖି ରହିଥିବା ବେଳେ ଆସନ୍ତାକାଲି ୪୦ ଡିଗ୍ରି ଅତିକ୍ରମ କରିପାରେ ବୋଲି କେନ୍ଦ୍ର ଆକଳନ କରିଛି।