ମନରେଗାକୁ ନେଇ ବିଜେପି-ବିଜେଡି ଟଣାଓଟରା

ଭୁବନେଶ୍ବର : ମନରେଗା ଯୋଜନାରେ ୧୦୮୮ କୋଟି ୭୨ଲକ୍ଷ ଟଙ୍କା ଦେବାକୁ ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ପରେ ଗତ ୪ତାରିଖରେ କେନ୍ଦ୍ର ସରକାର ୮୪୭କୋଟି ଟଙ୍କା ପ୍ରଦାନ କରିଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ସର୍ତ୍ତ ପାଳନ ନକରି, ଅଡିଟ୍ ରିପୋର୍ଟ ନଦେଇ ମୁଖ୍ୟମନ୍ତ୍ରୀ କିପରି ଟଙ୍କା ମାଗୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଏପଟେ ବିଜେଡି କହିଛି ଯେ, ପ୍ରତ୍ୟେକ ପ୍ରସଙ୍ଗରେ ରାଜନୀତିକରଣ କରିବା ଓ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି।

ରାଜ୍ୟ ବିଜେପି ଓ ବିଜେଡି ମଧ୍ୟରେ ଦୋଷ ଲଦାଲଦି ଚାଲିଥିବାବେଳେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ସାନ୍ଦିଲ୍ୟ ଗିରିରାଜ ସିଂହ ଅପରାଜିତାଙ୍କ ଏ ସମ୍ପର୍କିତ ଟୁଇଟ୍‌ରେ ମତ ରଖି କହିଛନ୍ତି ଯେ, ଶୀଘ୍ର ରାଜନୈତିକ ଲାଭ, ଦ୍ବନ୍ଦ୍ବ ଏବଂ ବିଳମ୍ବ ପାଇଁ ଅସ୍ପଷ୍ଟ ବିବୃତି ଦେବା ମୋଦୀ ସରକାରଙ୍କ ‌ଶୈଳୀ ନୁହେଁ। ଆମେ ଉତ୍ସାହ ଓ ପ୍ରତିବଦ୍ଧତା ସହ କାର୍ଯ୍ୟ କରୁ। ଓଡ଼ିଶାରୁ ଅଡିଟ୍ ରିପୋର୍ଟ ପାଇବା ପରେ ଆମେ ରେକର୍ଡ ସମୟ ମଧ୍ୟରେ ରାଶି ମଞ୍ଜୁର କରିଛୁ।

ଆଜି ଭୁବନେଶ୍ବର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶା ସରକାର ମନରେଗା ଯୋଜନାର ଅଡିଟ୍ ରିପୋର୍ଟ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା ପରେ ଏହି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ତେଣୁ ମନରେଗା ଅର୍ଥ ମାଗିବାବେଳେ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶା ସରକାର ମଧ୍ୟ ସମସ୍ତ ନୀତିନିୟମ ପାଳନ କରନ୍ତୁ। ସମସ୍ତ ରାଜ୍ୟ ନୀତିନିୟମ ପାଳନ କରି ନିଜର ବକେୟା ଅର୍ଥ ନେଉଥିବାବେଳେ ଓଡ଼ିଶା କାହିଁକି ଏ ସଂକ୍ରାନ୍ତ ଅଡିଟ୍ ରିପୋର୍ଟ ଓ ବିନିଯୋଗ ପ୍ରମାଣପତ୍ର ଦେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଯେଉଁ ରାଜ୍ୟ ଠିକ୍ ସମୟରେ ୟୁସି ଦେବ ତାକୁ ଠିକ୍ ସମୟରେ ଅର୍ଥ ମଞ୍ଜୁର ହେଉଛି। ନିୟମ ଅନୁସାରେ ପ୍ରତ୍ୟେକ ରାଜ୍ୟ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଅଡିଟ୍ ଓ ୟୁସି ରିପୋର୍ଟ ଦାଖଲ କରିବେ। କିନ୍ତୁ ଓଡ଼ିଶା ସରକାର ଦେଇନଥିଲେ। ଦ୍ବିତୀୟରେ ସୋସିଆଲ ଅଡିଟ୍ କରିବାକୁ କୁହାଯାଇଛି। ଏହା ହେବା ପରେ ଜଣାପଡ଼ିଛି ଯେ, ଚଳିତ ଆର୍ଥିକ ବର୍ଷରେ ୪କୋଟି ୮୦ଲକ୍ଷ ଟଙ୍କାର ‌ହେରଫେର ହୋଇଥିବା ଜଣାପଡ଼ିଥିଲା। ଏହାପରେ ମାତ୍ର ୧କୋଟି ୫୮ଲକ୍ଷ ୭୫ହଜାର ଟଙ୍କା ଉଦ୍ଧାର ହୋଇଛି। ଯାହା ବାକି ରାଜ୍ୟ ତୁଳନାରେ କମ୍‌। ପ୍ରତି ଜିଲ୍ଲାରେ ଓମବଡ୍‌ସ ପର୍ସନ ରହିବା ନିୟମ ଥିବାବେ‌େଳ ୮ଟି ଜିଲ୍ଲାରେ ନାହାନ୍ତି, ସମୟ ସୀମାରେ କାମ ଶେଷ କରିବାକୁ କୁହାଯାଇଥିଲେ ହେଁ ୨୦୨୦-୨୧ରେ ମାତ୍ର ୨୧% ସରିଛି। ୨୦୨୧-୨୨ରେ ୪୪୫୨କୋଟି ଟଙ୍କା ମିଳିଥିବାବେଳେ ୬ମାସରେ ୩% କାମ ଶେଷ ହୋଇଛି। ରାଜ୍ୟ ସରକାର ସବୁଥିରେ ଖିଲାପ କରୁଥିବାବେଳେ ନିଜ ଦୋଷ ଲୁଚାଇବାକୁ ଚିଠି ଲେଖୁଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି। ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଟୁଇଟ୍ କରିଛନ୍ତି ଯେ,ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ମନରେଗା ପାଇଁ ଅର୍ଥ ମାଗିଛନ୍ତି। ହେଲେ ପୂର୍ବରୁ ପାଇଥିବା ଅର୍ଥ କେମିତି ଖର୍ଚ୍ଚ କରିଛନ୍ତି ତା’ର ହିସାବ ଦେବାକୁ ପ୍ରସ୍ତୁତ ନାହାନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫୭୭ କୋଟି ଟଙ୍କା ପାଇସାରିଛନ୍ତି। ହେଲେ ବାକି ଟଙ୍କା ପାଇବାର ସର୍ତ୍ତ ପୂରଣ ନକରି ଆହୁରି ଅର୍ଥ ମାଗିବା ହାସ୍ୟାସ୍ପଦ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଜବାବ୍ ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଆଧାର କରି କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିସାରିଛନ୍ତି। ବିଜେପି ନେତାମାନେ ଗଣମାଧ୍ୟମରେ ବିବୃତି ଦେବା ପୂର୍ବରୁ ଏବଂ ନିଜକୁ ଲାଜ ଲାଗିବା ପୂର୍ବରୁ ହୋମ୍‌ୱାର୍କ କରିଥିଲେ ଭଲ ହୋଇଥାନ୍ତା। ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ଅଭ୍ୟାସ ଛାଡ଼ନ୍ତୁ।

ସମ୍ବନ୍ଧିତ ଖବର