ଦାଦନ ଋତୁରେ ସରକାରୀ ଚିନ୍ତା, ବୈଠକରେ ୫ ଜିଲ୍ଲାପାଳ

ବଲାଙ୍ଗୀର-ନୂଆପଡ଼ାର ୩୦ ପଞ୍ଚାୟତରେ ସ୍ୱତନ୍ତ୍ର ଯୋଜନା

ଖର୍ଚ୍ଚ ହେବ ୧୩୪ କୋଟି / ଟାଟା ଟ୍ରଷ୍ଟ ନେଇଛି କାମ

ବଲାଙ୍ଗୀର : ସବୁଥର ସମୀକ୍ଷା ବୈଠକ ହୁଏ। ଚିନ୍ତା, ପରିକଳ୍ପନା ସବୁ ଚାଲେ। କିନ୍ତୁ ସେ ସବୁ ଅସଲରେ ଲୋକଙ୍କ କାମରେ ଲାଗେ ତ? କାରଣ ନୂଅାଁଖାଇ ପରେ ପରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର ଭଳି ଜିଲ୍ଲାରୁ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଆନ୍ତି। ବିଶେଷ କରି ବଲାଙ୍ଗୀର ଜିଲ୍ଲାର ଅଧାରୁ ଅଧିକ ବ୍ଲକ ଦାଦନ ପ୍ରବଣ ବ୍ଲକ ଥିବା ବେଳେ ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା ସୀମାରେ ଥିବା ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବି ଲୋକେ ଦାଦନ ଖଟିବାକୁ ଯାଆନ୍ତି। ଆଉ ଦାଦନ ଋତୁରେ ଲୋକେ ରାଜ୍ୟ ବାହାରକୁ ଯିବା ବେଳକୁ ଦାଦନ ଶ୍ରମିକଙ୍କ ଚିନ୍ତା ଘାରିଛି ସରକାରଙ୍କୁ। ତେଣୁ ବୁଧବାର ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଶ୍ରମ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମୀକ୍ଷା ଓ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସଂପର୍କିତ ଏକ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶାର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତା କରିଥିଲେ।

ପଞ୍ଚାୟତସ୍ତରରୁ ଶ୍ରମିକଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଶ୍ରମିକ କଲ୍ୟାଣ କାର୍ଯ୍ୟକ୍ରମର ସୁଯୋଗ ସୃଷ୍ଟି କରାଯିବା ଉପରେ ମନ୍ତ୍ରୀ ଶ୍ରୀ ସିଂ ବୈଠକରେ ଗୁରୁତ୍ୱ ଦେଇଥିଲେ। ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ୩୦ଟି ପଞ୍ଚାୟତରେ ଶ୍ରମିକଙ୍କ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୧୩୪ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସିଂ ଏହି ଅବସରରେ କହିଥିଲେ। ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଓ ବେଲପଡ଼ା ବ୍ଲକର ୨୦ଟି ପଞ୍ଚାୟତ ଓ ନୂଆପଡ଼ା ଜିଲ୍ଲାର ୧୦ଟି ପଞ୍ଚାୟତକୁ ଏହି ସ୍ୱତନ୍ତ୍ର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ସେ ସୂଚନା ଦେଇଥିଲେ।

ସେହିପରି ଟାଟା ଟ୍ରଷ୍ଟ ପକ୍ଷରୁ ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରୂପରେଖ ଓ କାର୍ଯ୍ୟକାରିତା ସଂପର୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥିତ ପ୍ରତିନିଧି କହିଥିଲେ। କାର୍ଯ୍ୟ ଖସଡ଼ା ତଥା ଦିଆଯାଇଥିବା ପାଣ୍ଠିର ବିନିଯୋଗ ସଂପର୍କରେ ଜିଲ୍ଲାସ୍ତରୀୟ ତଦାରଖ କମିଟିରେ ସମୀକ୍ଷା କରିବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଶ୍ରମିକଙ୍କର ବିଭିନ୍ନ ସମସ୍ୟାର ସମାଧାନ ତଥା ସେମାନଙ୍କୁ ଶ୍ରମିକ କଲ୍ୟାଣ ଯୋଜନା, ଅନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ସଂପର୍କରେ ଅବଗତ କରାଯିବା ନେଇ ମନ୍ତ୍ରୀ ଶ୍ରୀ ସିଂ କହିଥିଲେ। ସେହିପରି ବୈଠକରେ ଉପସ୍ଥିତ ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଦାଦନ ପ୍ରସଙ୍ଗରେ ଥିବା ବିଭିନ୍ନ ସମସ୍ୟା ଓ ସେମାନେ ନେଇଥିବା ପଦକ୍ଷେପ ସଂପର୍କରେ କହିଥିଲେ। ସ୍ୱେଚ୍ଛାକୃତ ପଞ୍ଜୀକରଣ, ଅନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଆଇନର କାର୍ଯ୍ୟକାରିତା ପାଇଁ ପଦକ୍ଷେପ, ବୈଠକରେ ଓପେପା ପକ୍ଷରୁ ସ୍ୱଳ୍ପକାଳୀନ ହଷ୍ଟେଲ, ଶିଶୁ ଶ୍ରମିକ ଆଇନ, ଶିଶୁ ଯତ୍ନ ଓ ସୁରକ୍ଷା ନେଇ ବି ଆଲୋଚନା କରାଯାଇଥିଲା।

ବୈଠକରେ ଓଡ଼ିଶା କୋଠାବାଡ଼ି ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଶ୍ରମ କମିସନର ସଚିନ ଆର ଯାଦବ, ବଲାଙ୍ଗୀର ଜିଲ୍ଲାପାଳ ଆଶିଷ ଥାକରେ, କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ ମାଣିକ, ନୂଆପଡ଼ା ଜିଲ୍ଲାପାଳ ପୋମା ଟୁଡୁ, ସୋନପୁର ଜିଲ୍ଲାପାଳ ଦାଶରଥୀ ଶତପଥୀ, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୋନପୁର ଜିଲ୍ଲାର ଶ୍ରମ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର