ପ୍ରବାସୀ ଶ୍ରମିକଙ୍କ ବାସ୍ତବ ସଂଖ୍ୟା କେତେ: କଂଗ୍ରେସ

ଭୁବନେଶ୍ବର : ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟାକୁ ନେଇ ସରକାର ସଠିକ୍‌ ତଥ୍ୟ ରଖନ୍ତୁ। ପ୍ରଦେଶ କଂଗ୍ରେସ ଏହି ଦାବି କରିଛି। ୨୦୧୧ର ତଥ୍ୟ ୨୦୨୦ରେ ଦେବାର କଣ ପ୍ରାସଙ୍ଗିକତା ରହିଛି। ଗତ ଏପ୍ରିଲ୍‌ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ୧୫ ଲକ୍ଷ ଓଡ଼ିଆ ଶ୍ରମିକ ବାହାର ରାଜ୍ୟରେ ଅଛନ୍ତି ବୋଲି କହିଥିଲେ। ଆଜି ସାମ୍ବାଦିକ ସମ୍ମିଳନୀରେ ସରକାର ୧୨ ଲକ୍ଷ ୭୦ ହଜାର ପ୍ରବାସୀ ଶ୍ରମିକଙ୍କ ପରିସଂଖ୍ୟାନ ଦେଇଛନ୍ତି। ଦଳୀୟ ନେତା ସୁଦର୍ଶନ ଦାସ ଏକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି, ଗତ ୯ ବର୍ଷ ଭିତରେ କେତେ ଲୋକ ଓଡ଼ିଶାରୁ ଯାଇ ବାହାରେ ପ୍ରବାସୀ ଶ୍ରମିକ ଭାବରେ କାମ କରୁଛନ୍ତି, ସେ ତଥ୍ୟ ବୋଧହୁଏ ସରକାରଙ୍କ ପାଖରେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପରେ ଏପ୍ରିଲ୍‌ ୨୪ ତାରିଖରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୭ ଲକ୍ଷ ୫୦ ହଜାର ବୋଲି ଦର୍ଶାଇଥିବାବେଳେ ସରକାରଙ୍କ ମୁଖପାତ୍ର ୫ ଲକ୍ଷ ବୋଲି ଉଲ୍ଲେଖ କରିଥିଲେ। ଏପରି ବିଭ୍ରାନ୍ତିକର ତଥ୍ୟ କାହିଁକି ସରକାର ବାରମ୍ବାର ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ବାସ୍ତବରେ ଓଡ଼ିଶାରେ କାମ ଧନ୍ଦା ନ ପାଇ ରୋଜଗାର ଉଦ୍ଦେଶ୍ୟରେ କେତେ ଲୋକ ଓଡ଼ିଶା ବାହାରକୁ ଯାଇଛନ୍ତି, ସେ ତଥ୍ୟ ସରକାର ବୋଧହୁଏ ଦେବାକୁ ଚାହୁଁନାହାନ୍ତି। ଏ ତଥ୍ୟ ପ୍ରକାଶ ହେଲେ ରାଜ୍ୟର ଅସଲ ବିକାଶ ଚିତ୍ର ପଦାରେ ପଡ଼ିଯିବ। କରୋନା ମହାମାରୀକୁ ଲଢ଼ିବା ସମୟରେ ତଥ୍ୟ ପ୍ରଦାନ ନେଇ ଚଞ୍ଚକତା ନ କରିବାକୁ ସରକାରଙ୍କୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର