କରୋନା ଖୋଲୁଛି ଗୁମର : ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ଦାଦନ ଶିଶୁ, ଋତୁକାଳୀନ ସ୍କୁଲ ବନ୍ଦ ପରେ ବଢ଼ିଛି ଦୁର୍ଦ୍ଦଶା

ବଲାଙ୍ଗୀର : ଦାନା ପାଇଁ ଦାଦନ ଯାଇଥିବା ଶ୍ରମିକ ନାଁରେ ଚାଉଳ ଓ ସହାୟତା ଟଙ୍କା ହରିଲୁଟ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେପଟେ ଦାଦନଙ୍କ ପିଲାମାନଙ୍କୁ ବି ଭୋକ ଓ ଦୁର୍ଦ୍ଦଶା ଭିତରକୁ ଠେଲି ଦିଆଯାଇଛି। ଋତୁକାଳୀନ ଆବାସିକ ସ୍କୁଲ ବନ୍ଦ ହୋଇଯିବାରୁ ବାହାର ରାଜ୍ୟରେ ଥିବା ଦାଦନଙ୍କ ପିଲାଙ୍କୁ ସେମାନଙ୍କ ସଂପର୍କୀୟଙ୍କ ଘରକୁ ପଠାଇ ଦିଆଯାଇଛି। ‌ତେବେ କେହି ନିକଟ ସଂପର୍କୀୟ ନ ଥିବା ପିଲାମାନେ ବାଧ୍ୟ ହୋଇ ନିଜ ଘରେ ଏକୁଟିଆ ଓ ବେସାହାରା ଭାବେ ରହିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦ କିଛି ଚାଉଳ ଓ ସ୍ଥାନବିଶେଷରେ ନଗଦ ଟଙ୍କା ଦିଆଯାଇଥିଲେ ମଧ୍ୟ ସେମାନେ କିପରି ରାନ୍ଧି ଖାଇବେ ତାହା ଦେଖିବାକୁ କେହି ନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି ଏବେ ଏହି ଦାଦନ ଶିଶୁମାନେ ଭୋକଉପାସରେ ସଢୁଥିବାବେଳେ ସେମାନଙ୍କ ନାଁରେ ବି ଅର୍ଥ ଓ ରାସନ ହଡ଼ପର ଅଭିଯୋଗ ଉଠିଲାଣି।

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ବାଗଦୋର ପଂଚାୟତ ଥୁଡ଼ିବାହାଲ ଗାଁର ୧୧ ବର୍ଷର ଝିଅ ରୀମାରାଣୀ ମହାନନ୍ଦଙ୍କ ଏକା ଏକା ସଂଘର୍ଷର କାହାଣୀ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ‘ସମ୍ବାଦ’ ଟିମ୍‌ ଏଠାରେ ପହ‌ଞ୍ଚି ଅନୁସନ୍ଧାନ କରିବାରୁ ବହୁ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଥୁଡ଼ିବାହାଲ ଗାଁରେ କେବଳ ଏକା ରୀମାରାଣୀ ନୁହଁ, ଅନେକ ଦାଦନ ଯାଇଥିବା ପରିବାରର ଛୁଆପିଲା କଷ୍ଟରେ ଜୀବନ ଜିଉଁଥିବା ଦେଖିବାକୁ ମିଳିଛି। ବାପା, ମା ଫେରିନଥିବା ବେଳେ ଏପଟେ ଗାଁରେ ଥିବା ଋତୁକାଳୀନ ଆବାସିକ କେନ୍ଦ୍ର ଲକ୍‌ଡାଉନ୍ ପ୍ରାରମ୍ଭରୁ ବନ୍ଦ ହୋଇଯାଇଛି। ସେମାନେ ସବୁ ଭୋକଉପାସରେ ବି ଦିନ କାଟୁଛନ୍ତି। ଅନ୍ୟପଟେ ପଞ୍ଚାୟତର ଅନ୍ୟ କିଛି ଗାଁରେ ଋତୁକାଳୀନ ଆବାସିକ କେନ୍ଦ୍ରରେ ବାପା, ମା ଦାଦନ ଯାଇଥିବା ଦର୍ଶାଇ ଗାଁର ଛୁଆପିଲାଙ୍କ ନାଁରେ ସରକାରୀ ଟଙ୍କା ଆତ୍ମସାତ କରାଯାଇଛି। ପିଲାଛୁଆଙ୍କ ପାଠପଢ଼ା ପାଇଁ ଥୁଡ଼ିବାହାଲ ଗାଁର କୁଳମଣି ଦୀପ ଓ ପଙ୍କଜିନୀ ଦୀପ ଦାଦନ ଖଟିବାକୁ ସାନ ଛୁଆକୁ ନେଇ ହାଇଦ୍ରାବାଦ ଯାଇଥିଲେ। ନବମ ଓ ଷଷ୍ଠ ଶ୍ରେଣୀରେ ଦୁଇ ପୁଅ ପ୍ରଶାନ୍ତ ଓ ରମାକାନ୍ତ ପଢୁଥିବା ବେଳେ ବଡ଼ ଝିଅ ମମତା ଦଶମ ଶ୍ରେଣୀରେ ପଢୁଛି। ଠିକ୍ ସେହିପରି କୁଳମଣିଙ୍କ ଭାଇଙ୍କ ପରିବାର ବି ହାଇଦ୍ରାବାଦ ଯାଇଛନ୍ତି। ଫଳରେ ପ୍ରଶାନ୍ତ ଓ ରମାକାନ୍ତ ଗାଁର ଋତୁକାଳୀନ ଆବାସିକ କେନ୍ଦ୍ରରେ ରହି ପାଠପଢୁଥିଲେ। କୁଳମଣିଙ୍କ ବଡ଼ ଝିଅ ମମତା ଓ ତାଙ୍କ ବଡ଼ବାପା ପୁଅ ଭାଇ ଉଭୟେ ଘରେ ରହି ରାନ୍ଧିବାଢ଼ି ଖାଇ ପାଠ ପଢୁଥିଲେ। ବଡ଼ବାପା ପୁଅ ଭାଇ ଅଭିରାମ ଦୀପ ଯୁକ୍ତ ତିନିରେ ଏବେ ପାଠପଢୁଛନ୍ତି। ଲକ୍‌ଡାଉନ୍‌ ପରେ ଆବାସିକ କେନ୍ଦ୍ର ବନ୍ଦ ହେବାରୁ ପ୍ରଶାନ୍ତ ଓ ରମାକାନ୍ତ ଘରେ ରହିଥିଲେ। ଦଶମ ଶ୍ରେଣୀରେ ପଢୁଥିବା ମମତା ତିନି ଭାଇଙ୍କୁ ରାନ୍ଧି ଖାଇବାକୁ ଦେବା କଷ୍ଟକର ହୋଇଥିଲା। ଏପଟେ ରମାକାନ୍ତର ଦେହ ଅସୁସ୍ଥ ହେବାରୁ ସେମାନେ ଜଣେ ସଂପର୍କୀୟଙ୍କ ଘରେ ତାକୁ ନେଇ ଛାଡ଼ି ଆସିଛନ୍ତି। ଏବେ ତିନି ଭାଇଭଉଣୀ ମାଟି ଘରେ ଦୟନୀୟ ଜୀବନ ଜିଉଁଛନ୍ତି।

ଆବାସିକ କେନ୍ଦ୍ରରୁ ଫେରିବା ସମୟରେ ମାସକର ୧୯୫୦ ଟଙ୍କା ଦେବା କଥା ହେଲେ ଦିଆଯାଇନଥିବା ସେମାନେ କହିଛନ୍ତି। ସ୍କୁଲର ମଧ୍ୟାହ୍ନଭୋଜନର ପ୍ରାୟ ୨୦ କେଜି ଚାଉଳ ପାଇଛନ୍ତି। ତାକୁ ରାନ୍ଧିବାଢ଼ି ଖାଉଛନ୍ତି। ଏଭଳି ଅନେକ ଦାଦନ ଛୁଆ ଯେଉଁମାନେ ସବୁ ସିଜନାଲ ହଷ୍ଟେଲରେ ରହୁଥିଲେ ଏବେ ବେସାହାରା ହୋଇ ପଡ଼ିଛନ୍ତି। ଅନ୍ୟପଟେ ବାଗଦୋର ପଂଚାୟତର ଆଉ ଏକ କୁମାରଖଣ୍ତ ଗାଁର ଋତୁକାଳୀନ ଆବାସିକ କେନ୍ଦ୍ର‌ରେ ମଧ୍ୟ ଦାଦନ ଛୁଆଙ୍କ ତାଲିକା କରି ବେଶ୍‌ ମାଲାମାଲ ହୋଇଛନ୍ତି ସରକାରୀ ଅଧିକାରୀ। ତାଲିକା ଅନୁସାରେ କେନ୍ଦ୍ରରେ ୪୨ ଦାଦନ ଶିଶୁ ରହିଥିଲେ। ପ୍ରକୃତରେ କିନ୍ତୁ ୧୮ ଜଣ ଶିଶୁଙ୍କ ବାପା କେବଳ ଦାଦନ ଯାଇଥିବା ବେଳେ ମା’ମାନେ ଗାଁରେ ଥିଲେ। ସେହିପରି ମା’ ଦାଦନ ଯାଇଥିବା ବେଳେ ଗାଁରେ ବାପା ୧୨ ଜଣଙ୍କ ଅଛନ୍ତି। ଆଉ ୭ ଜଣଙ୍କ ବାପା, ମା ଉଭୟେ ଥିଲେ ବି ତାଲିକାରେ ସେମାନଙ୍କ ଛୁଆମାନଙ୍କ ନାଁ ରଖାଯାଇଥିଲା। କେବଳ ୫ ଜଣ ଶିଶୁଙ୍କ ବାପା, ମା’ ଦାଦନ ଯାଇଛନ୍ତି ଓ ସେମାନେ ବେସାହାରା ହୋଇ ରହିଥିଲେ। ଏହି କେନ୍ଦ୍ରରେ ଯାହାଙ୍କ ବାପା, ମା’ ଦାଦନ ଯାଇଥିବେ ସେମାନଙ୍କ ଛୁଆମାନଙ୍କୁ ରଖିବାର ନିୟମ ଅଛି। ହେଲେ ସେସବୁ ତାଲିକା କରିବାରେ ବ୍ୟାପକ ଅନିୟମିତତା କରାଯାଇ ଛୁଆଙ୍କ ନାଁରେ ଟଙ୍କା ହରିଲୁଟ କରାଯାଇଛି। ଲକ୍‌ଡାଉନ୍‌ ପରେ ସେହି ଗାଁର ୫ ଦାଦନ ଶିଶୁ ବେସାହାରା ହୋଇ ରହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୁର୍ନୀତିଖୋରଙ୍କୁ ଦଣ୍ତ ଓ ବେସାହାରାଙ୍କୁ ସହାୟତା ଯୋଗାଇବାକୁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର