ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଭୋକ ମେଣ୍ଟାନ୍ତୁ ସରକାର: ପିସିସି ସଭାପତି

ଭୁବନେଶ୍ବର : ଲକ୍ଷାଧିକ ପ୍ରବାସୀ ଓଡ଼ିଆ ଶ୍ରମିକ ଏବେ ବି ବାହାର ରାଜ୍ୟରେ ଘୋର ଦୁର୍ଦ୍ଦିନରେ ଅଛନ୍ତି। ଆଗ ସେମାନଙ୍କୁ ଖାଦ୍ୟ ଓ ରାସନ୍‌ ପହଞ୍ଚାଇବା ପାଇଁ ସରକାର ବ୍ୟବସ୍ଥା କରନ୍ତୁ। ଖାଲି ଚିଠି ଲେଖି ଦେଇ ବସିଲେ ହେବନି ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁଛି କି ନାହିଁ, ସରକାର ତତ୍ପରତାର ସହ ବୁଝିବା ଦରକାର। ତାଲାବନ୍ଦ ଉଠିବା ପରେ ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ା ନେଇ ସରକାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏକ ଭିଡିଓ ବାର୍ତ୍ତା ଜାରି କରି ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଥିଲେ, ଆସନ୍ତାକାଲିଠାରୁ ସରକାର ୨୦ଟି ଜିଲ୍ଲାରେ କଟକଣା କୋହଳ କରିବାକୁ ଘୋଷଣା କରିଛନ୍ତି। ପ୍ରତ୍ୟେକ ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ନିଜ ଭିଟାମାଟି ଛାଡ଼ି ବାହାର ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକମାନେ ଯେତେଦିନ ପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ସରକାର ସେଠାକାର ସରକାର ସହ କଥା ହୋଇ ରାସନ୍‌ ଯୋଗାଇବାର ବ୍ୟବସ୍ଥା କରନ୍ତୁ। ଶ୍ରମିକମାନେ ଘରକୁ ଫେରିବା ପରେ ସେମାନଙ୍କୁ ୧୫ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖାଯିବ ଓ ପରେ ୨ ହଜାର ଟଙ୍କା ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି। ଏଥିରେ କଣ ସେମାନଙ୍କ ଦୁଃଖ ଦୂର ହୋଇଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇଥିଲେ।

ସେ ଆହୁରି କହିଥିଲେ, ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଭିତରୁ କେତେକ ବୋଧହୁଏ ଭୟରେ ଗାଁକୁ ଫେରିବାକୁ ଚାହିଁବେନି। ଏଭଳି କ୍ଷେତ୍ରରେ ସେସବୁ ଶ୍ରମିକମାନଙ୍କ ଖାଦ୍ୟପେୟ କଥା ସରକାର ବୁଝିବା ଦରକାର। ଆଜି ବି ଗରିବ ଲୋକଙ୍କଠୁଁ ଆରମ୍ଭ କରି ମଧ୍ୟବିତ୍ତମାନେ ବଡ଼ ହିନସ୍ତାରେ ଅଛନ୍ତି। କର୍ମନିଯୁକ୍ତି ଯୋଜନାରେ ଯେତିକି ଅର୍ଥ ଅଛି, ତାହା ଯଥେଷ୍ଟ ହେବ କି ନାହିଁ ସନ୍ଦେହଜନକ। ସରକାର ସହରାଞ୍ଚଳ ଗରିବଙ୍କ ଜୀବିକା ପାଇଁ ଯେଉଁ କର୍ମ ଯୋଜନା କରିଛନ୍ତି, ତାକୁ ସବୁ ଲୋକ ଯେ କରିପାରିବେ ତା ବି ସନ୍ଦେହଜନକ। ଆଜିଠାରୁ ଯଦି ସରକାର ଏସବୁ ଦିଗକୁ ଚିନ୍ତା କରି ପଦକ୍ଷେପ ନ ନିଅନ୍ତି ତାହେଲେ ଲୋକେ ଆହୁରି ହିନସ୍ତାରେ ପଡ଼ିବେ। କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ସରକାର ଯେତେ ସବୁ ସତର୍କତା ସ୍ବରୁପ ପଦକ୍ଷେପ ଗ୍ରହଣ କରିଛନ୍ତି ସେସବୁକୁ ଜନସାଧାରଣ ଅନୁପାଳନ କରିବା ଉଚିତ୍‌।ଏହାସହିତ ପ୍ରବାସୀ ଓଡ଼ିଆ ଶ୍ରମିକ ଓ ଗରିବଙ୍କ ପାଇଁ ସରକାର ନିଶ୍ଚିତ ଆହୁରି ବଳିଷ୍ଠ ପଦକ୍ଷେପ ନେବେ ବୋଲି ପିସିସି ସଭାପତି ଆଶା ପ୍ରକଟ କରିଥିଲେ।

ସମ୍ବନ୍ଧିତ ଖବର