ଗଞ୍ଜାମରେ ଦାଦନ ପଞ୍ଜୀକରଣ ବ୍ୟବସ୍ଥା ଫେଲ୍‌ : ୧ କୋଟି ୬୧ ଲକ୍ଷ ଟଙ୍କାର ୟୁ.ସି. ମିଳୁନି

କରୋନା ପରେ ଫେରିଲେଣି ୨୪୨୮୮, ଅଧିକାଂଶ ଦାଦନ, ଆହୁରି କେତେ ଦାଦନ ଖଟୁଛନ୍ତି କାହା ପାଖରେ ସୂଚନା ନାହିଁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି। ଜିଲ୍ଲାର ଶ୍ରମିକମାନେ ଦାଦନ ଖଟିବାକୁ ଦେଶ ଓ ରାଜ୍ୟ ବାହାରକୁ ଯାଇ ଅଧିକାଂଶ ସମୟରେ ନିର୍ଯାତିତ ହୋଇ ଫେରୁଥିବା ଲକ୍ଷ୍ୟ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗତ ୩ ବର୍ଷ ତଳେ ଜିଲ୍ଲାରରେ ପଞ୍ଚାୟତସ୍ତରରେ ଦାଦନ ଶ୍ରମିକ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତେବେ ଜିଲ୍ଲାରେ ଏହି ବ୍ୟବସ୍ଥା ଫେଲ୍‌ ମାରିଥିବା କୁହାଯାଉଛି। ତିନି ବର୍ଷ ତଳୁ ଆରମ୍ଭ ହୋଇଥିବା ଏ ଯୋଜନାରେ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ମିଳିଥିବା ୧ କୋଟି ୬୧ ଲକ୍ଷ ୮୨ ହଜାର ଟଙ୍କାର ୟୁ.ସି.(ବିନିଯୋଗ ପ୍ରମାଣପତ୍ର) ମଧ୍ୟ ଦିଆଯାଇ ପାରୁନି।

କରୋନା ଭୂତାଣୁ ସଂକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି ହୋଇଛି। ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ପରେ ଦାଦନ ଖଟିବାକୁ ଯାଇଥିବା ଲୋକମାନେ ସେମାନଙ୍କ କାମଧନ୍ଦା ହରାଇ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି। ଗଞ୍ଜା‌ମରୁ କେତେ ଦାଦନ ଫେରୁଛନ୍ତି ତାହାର ତଥ୍ୟ ସଂଗ୍ରହ କରୁଛି ଜିଲ୍ଲା ପ୍ରଶାସନ। ପ୍ରଶାସନର ତଥ୍ୟ ଅନୁଯାୟୀ, ଆଜି ସୁଦ୍ଧା ଜିଲ୍ଲାକୁ ଦେଶ ଓ ରାଜ୍ୟ ବାହାରୁ ୨୪ହଜାର ୨୮୮ଜଣ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨୩ହଜାର ୫୫୮ଜଣ ରାଜ୍ୟ ବାହାରରୁ ଫେରିଥିବା ବେ‌ଳେ ୭୩୦ଜଣ ଜିଲ୍ଲା ବାହାରୁ ଫେରିଛନ୍ତି। ରାଜ୍ୟ ବାହାରୁ ଫେରିଥିବା ଲୋକଙ୍କ ମଧ୍ୟରୁ ଜିଲ୍ଲାର ୨୨ଟି ବ୍ଲକର ଗ୍ରାମାଞ୍ଚଳର ୨୧୮୮୦ଜଣ ହୋଇଥିବା ୧୬୭୮ଜଣ ୧୮ଟି ସହରାଞ୍ଚଳର। ସେହିପରି ବିଦେଶରୁ ଜିଲ୍ଲାକୁ ଫେରିଥିବା ୭୩୦ଜଣ ମଧ୍ୟରୁ୬୦୯ଜଣ ଗ୍ରାମାଞ୍ଚଳର ଓ ୧୨୧ଜଣ ସହରାଞ୍ଚଳର ବୋଲି ଜିଲ୍ଲା ପ୍ରଶାସନ ବୋଲି ସୂଚନା ଦେଇଛି। ତେବେ ଫେରିଥିବା ଲୋକଙ୍କ ମଧ୍ୟରୁ ସିଂହଭାଗ ଦାଦନ ଶ୍ରମିକ ବୋଲି ଜଣାପଡ଼ିଛି। ତେବେ ଏବେ ଜିଲ୍ଲାର କେତେ ଲୋକ ‌ରାଜ୍ୟ ଓ ଦେଶ ବାହାରରେ କାର୍ଯ୍ୟ କରୁଛନ୍ତି ତାହାର ସଠିକ୍‌ ସୂଚନା ଜିଲ୍ଲା ପ୍ରଶାସନ ପାଖରେ ନାହିଁ। ୩ବର୍ଷ ତଳୁ ପଞ୍ଚାୟତସ୍ତରରେ ଆରମ୍ଭ ପଞ୍ଜୀକରଣ ବ୍ୟବସ୍ଥା ଯଦି ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇଥାନ୍ତା ତେବେ ଏଭଳି ମହାମାରୀ ସମୟରେ ପ୍ରଶାସନ ଜିଲ୍ଲାରୁ କେତେ ଶ୍ରମିକ ଦେଶ ଓ ରାଜ୍ୟ ବାହାରେ ରହୁଛନ୍ତି ତାହାର ସଠିକ୍‌ ଡାଟାବେସ୍‌ ପାଇପାରିଥାନ୍ତା। ଅନ୍ୟପକ୍ଷରେ ପଞ୍ଚାୟତସ୍ତରୀୟ ପଞ୍ଜୀକରଣ ବ୍ୟବସ୍ଥା ଲାଗି ଦିଆ ଯାଇଥିବା ଅନୁଦାନ ଖର୍ଚ୍ଚ ବାବଦ ୟୁ.ସି. ଜିଲ୍ଲାପାଳଙ୍କ ବାରମ୍ବାର ଚିଠି ସତ୍ତ୍ବେ ଏ ଯାଏ ବ୍ଲକ୍‌ମାନେ ଦେଉନାହାନ୍ତି। ତେଣୁ ଏହି ଅନୁଦାନର ସଠିକ୍‌ ବିନିଯୋଗକୁ ନେଇ ପ୍ରଶ୍ନ ଉଠିଛି।

ରାଜ୍ୟର ଅନ୍ୟତମ ପ୍ରମୁଖ ଜିଲ୍ଲା ଗଞ୍ଜାମ। ଏହି ଜିଲ୍ଲାର ଅଧିକାଂଶ କୃଷିଭିତ୍ତିକ ଶ୍ରମିକ। ୬ମାସ କୃଷି କ୍ଷେତ୍ରରେ କାମ କରିବା ପରେ ବାକି ୬ମାସ ଦାଦନ ଖଟିବା ଲାଗି ରାଜ୍ୟ ବାହାରକୁ ଚାଲିଯାଆନ୍ତି। ଏପରି କି ଯେଉଁମାନେ କୃଷି କ୍ଷେତ୍ର କାମ କରନ୍ତି ନାହିଁ ସେମାନେ ବର୍ଷତମାମ ସୁରତ ଓ ବମ୍ବେ ଆଦି ଅଞ୍ଚଳରେ କାମ କରନ୍ତି। କେବଳ ବମ୍ବେ ଓ ସୁରତରେ ଗଞ୍ଜାମ ଜିଲ୍ଲାର ୫ରୁ ୬ଲକ୍ଷ ଲୋକ କାର୍ଯ୍ୟ କରୁଥିବା କୁହାଯାଉଛି। ଏପରିକି ଜିଲ୍ଲାରୁ ଶହ ଶହ ଶ୍ରମିକ ଅଧିକ‌ ରୋଜଗାର ଆଶାରେ ଦେଶ ବାହାରକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୬-୧୭ ମସିହାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରୀୟ ଦାଦନ ଶ୍ରମିକ ପଞ୍ଜୀକରଣ ବ୍ୟବସ୍ଥା। ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକମାନେ ଯିବା ପୂର୍ବରୁ ପଞ୍ଚାୟତରେ ନାମ ପଞ୍ଜୀକରଣ କରି ଯିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ଆଉ ଏହି ବ୍ୟବସ୍ଥା ଦ୍ବାରା ଜିଲ୍ଲାର କେତେ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି ତାହାର ତଥ୍ୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ତାହାର ଏକ ନିର୍ଦ୍ଦିଷ୍ଟ ଡାଟାବେସ୍‌ ରହିପାରିବ। ଏଥିଲାଗି ରାଜ୍ୟ ସରକାର ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୧‌‌କୋଟି ୬୧ଲକ୍ଷ ୮୨ହଜାର ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ। ଏଥିରୁ ୧କୋଟି ୪୦ଲକ୍ଷ ୭୦ ହଜାର ଟଙ୍କା ପଞ୍ଜୀକରଣ ଅଧିକାରୀ ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରୋତ୍ସାହନ ରାଶି, କମ୍ପ୍ୟୁଟର କିଣା ବାଦବକୁ ୧୩ଲକ୍ଷ ୨୦ହଜାର ଟଙ୍କା, ଡାଟାଏଣ୍ଟ୍ରି ଅପରେଟରଙ୍କ ଦରମା ବାବଦକୁ ୭ଲକ୍ଷ ୯୨ହଜାର ଟଙ୍କା ରହିଥିଲା। ପ୍ରତି ପଞ୍ଚାୟତରେ କମ୍ପ୍ୟୁଟର କିଣା ଲାଗି ୬୦ହଜାର ଟଙ୍କା, ଡାଟା ଏଣ୍ଟ୍ରି ଅପରେଟରଙ୍କ ପ୍ରୋତ୍ସାହନ ରାଶି ବାବଦକୁ ୧୫ଶହ ଓ ପଞ୍ଜୀକରଣ ଲାଗି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମାସିକ ୨୫ଶହ ଟଙ୍କା ପ୍ରୋତ୍ସାହନ ରାଶି ଦେବା ଲାଗି ବ୍ୟବସ୍ଥା ରହିଥିଲା। ଜିଲ୍ଲାର ୨୨ଟି ବ୍ଲକ୍‌ର ସେତେବେଳେ ଥିବା ୪୬୫ଟି ଗ୍ରାମ ପଞ୍ଚାୟତକୁ ଅନୁଦାନ ଦିଆ ଯାଇଥିଲା। ପଞ୍ଚାୟତ ସଂଖ୍ୟାକୁ ଦେଖି ପ୍ରତି ବ୍ଲକ୍‌କୁ ୫ଲକ୍ଷ ରୁ ୮ଲକ୍ଷଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆ ଯାଇଥିଲା। ବ୍ଲକ୍‌ର ପ୍ରତି ପଞ୍ଚାୟତକୁ ଅନୁଦାନ ମିଳିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମାତ୍ର ୧୬ହଜାର ୯୭୬ଜଣ ଦାଦନ ଶ୍ରମିକ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଏପରିକି ଜିଲ୍ଲାର ୬ଟି ବ୍ଲକ୍‌ରେ ଜଣେ ବି ଶ୍ରମିକ ପଞ୍ଜୀକରଣ କରି ନ ଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର