ସ˚ଶୋଧିତ ଆଇନ ଅନୁଯାୟୀ ଓଡ଼ିଶାରେ ଖଣି ନିଲାମ ସହଜ ନୁହେଁ

ଭୁବନେଶ୍ବର : ସ˚ଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ-୨୦୧୫ ଅନୁଯାୟୀ ଓଡ଼ିଶାରେ ୧୬ଟି କାର୍ଯ୍ୟକ୍ଷମ ଘରୋଇ ଖଣିର ଲିଜ୍‌ ମିଆଦ ୨୦୨୦ ମାର୍ଚ୍ଚ ୩୧ରେ ଶେଷ ହେଉଛି। ସେହିପରି ନିଜସ୍ବ (କ୍ୟାପ୍ଟିଭ୍‌) ଉପଯୋଗ ପାଇଁ ଶିଳ୍ପ ସ˚ସ୍ଥାଗୁଡ଼ିକ ଖଣିଜ ଉତ୍ତୋଳନ କରୁଥିବା ଖଣି ଲିଜ୍‌ଗୁଡ଼ିକର ମିଆଦ ୨୦୩୦ ମାର୍ଚ୍ଚ ୩୧ରେ ଶେଷ ହେବ। ସ˚ଶୋଧିତ ଆଇନ ଅନୁଯାୟୀ ଏସବୁ ଖଣିଗୁଡ଼ିକର ପରବର୍ତ୍ତୀ ଲିଜ୍‌ ଆବଣ୍ଟନ କେବଳ ପ୍ରତିଯୋଗିତାମୂଳକ ଇଲେକ୍ଟ୍ରୋନିକ୍‌ ନିଲାମ ଜରିଆରେ ଚୂଡ଼ାନ୍ତ ହେବ। ତଦନୁଯାୟୀ ସାରା ଦେଶରେ ୩୩୦ରୁ ଅଧିକ ଖଣିର ନିଲାମ ପ୍ରକ୍ରିୟା ୨୦୨୦ ମାର୍ଚ୍ଚ ୩୧ର ଯଥେଷ୍ଟ ପୂର୍ବରୁ ସମ୍ପନ୍ନ କରିବାକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ ଓଡ଼ିଶାର କାର୍ଯ୍ୟକ୍ଷମ ୧୬ଟି ଓ ୮ଟି ଅଚଳ ଘରୋଇ ଲୁହାପଥର ଖଣି ଏବ˚ ଅନୁସନ୍ଧାନ ଜରିଆରେ ଚିହ୍ନଟ ଆଉ ୧୨ଟି ଲୁହାପଥର, ମାଙ୍ଗାନିଜ୍‌, ଚୂନପଥର ଖଣିର ଇ-ନିଲାମ ପ୍ରସ୍ତୁତି ପର୍ଯ୍ୟାୟରେ। ମାତ୍ର କେତେକ ଅନିବାର୍ଯ୍ୟ କାରଣ ଓ କିଛି ଆଇନଗତ ପ୍ରତିବନ୍ଧକ ଯୋଗୁଁ ଓଡ଼ିଶାରେ ପ୍ରସ୍ତାବିତ ଖଣି ନିଲାମ ପ୍ରକାରାନ୍ତରେ ଅନିଶ୍ଚିତ ହେବାରେ ଲାଗିଛି।

ରାଜ୍ୟ ଖଣି ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ୨୦୧୮ରେ ଇ-ନିଲାମକୁ ଯାଇଥିବା ୩ଟି ଲୁହାପଥର ଖଣି ମଧୢରୁ କୋଇଡ଼ା ଖଣି ମଣ୍ତଳ ଅନ୍ତର୍ଗତ ଚାନ୍ଦିପୋଷ ଓ ପୂରେଇବାହାଲ ଖଣି ନିଲାମରେ ଅ˚ଶଗ୍ରହଣ କରିଥିଲା ଟାଟା ଷ୍ଟିଲ୍‌। ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ-୧୯୫୭ର ଧାରା-୬ (୧) (ଖ) ଅନୁଯାୟୀ କୌଣସି ସ˚ସ୍ଥାର ଲିଜ୍‌ ଅଞ୍ଚଳ ୧୦ ବର୍ଗ କିଲୋମିଟରରୁ ଅଧିକ ହେବ ନାହିଁ। ସ˚ଶୋଧିତ ଆଇନରେ ତାହା ମଧୢ ଅପରିବର୍ତ୍ତିତ। ଟଟା ଷ୍ଟିଲ୍‌ କ୍ଷେତ୍ରରେ ଏହା ଉଲ୍ଲ˚ଘନ ହେଉଥିବାରୁ ଜିନ୍ଦଲ ଷ୍ଟିଲ୍‌ ଵର୍କ୍ସ (ଜେଏସ୍‌ଡବ୍ଲ୍ୟୁ) ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବାରୁ ଏଯାବତ୍‌ ସ୍ଥିତାବସ୍ଥା ବଳବତ୍ତର ରହିଛି। ସେହି ନିଲାମରେ ଏସାର ଷ୍ଟିଲ୍‌ ପାଇଥିବା ଘୋଡ଼ାବାରୁଣି-ସାଗାସାହି ଖଣିର ଜଙ୍ଗଲ ଓ ପରିବେଶ ଅନୁମତି ଏ ପର୍ଯ୍ୟନ୍ତ ମିଳି ନଥିବାରୁ ଖଣି କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ଲିଜ୍‌ଧାରୀଙ୍କ ଖଣି ଅଞ୍ଚଳ ସୀମାକୁ ୧୦ କିମିରୁ ୫୮ କିମିକୁ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଗତ ୨୦୧୮ ଜୁଲାଇରେ ପ୍ରସ୍ତାବ ଦେଇଥିଲେ। ସେଥିରେ ରାଜ୍ୟ ସରକାରଙ୍କ ଯୁକ୍ତି ଥିଲା- କେନ୍ଦ୍ରୀୟ ସ˚ସ୍ଥା ‘ଭାରତୀୟ ଇସ୍ପାତ ପ୍ରାଧିକରଣ’ (ସେଲ୍‌) ଓଡ଼ିଶାରେ ୫୫.୧ ବର୍ଗ କିମି ଖଣି ଲିଜ୍‌ ଉପଭୋଗ କରିଆସୁଛି। ଆଉ ୨.୭୭ ବର୍ଗ କିମି ଖଣି ସେଲ୍‌ର ବ୍ୟବହାର ପାଇଁ ସ˚ରକ୍ଷିତ ଅଛି। ଇତିମଧୢରେ ଝାଡ଼ଖଣ୍ତରେ ଖଣି ଲିଜ୍‌ର ସର୍ବାଧିକ ସୀମା ୭୫ ବର୍ଗ କିମି ଓ ଛତିଶଗଡ଼ରେ ୫୦ ବର୍ଗ କିମି ଥିବା ବେଳେ ଓଡ଼ିଶାରେ ଏହାକୁ ୫୮ ବର୍ଗ କିମି ପର୍ଯ୍ୟନ୍ତ ବୃଦ୍ଧି କରାଯିବ ନାହିଁ କାହିଁକି? ଏହା ନ ହେଲେ ଓଡ଼ିଶାରେ ଖଣି ନିଲାମ ପ୍ରକ୍ରିୟାରେ ବଡ଼ବଡ଼ ସ˚ସ୍ଥା ଅ˚ଶଗ୍ରହଣରୁ ବଞ୍ଚିତ ହେବେ; ଯାହା ରାଜ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ ଓଡ଼ିଶାର ଏହି ପ୍ରସ୍ତାବକୁ କେନ୍ଦ୍ର ବିଚାର ନକରି ପକାଇ ରଖିଥିବାରୁ ପ୍ରସ୍ତାବିତ ଖଣି ନିଲାମ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି।

ଅନ୍ୟପକ୍ଷରେ ୨୦୨୦ ମାର୍ଚ୍ଚ ୩୧ର ଯଥେଷ୍ଟ ପୂର୍ବରୁ ଖଣି ନିଲାମ ପ୍ରକ୍ରିୟା ଚୂଡ଼ାନ୍ତ ନ ହେଲେ ନିଲାମଧାରୀ ନୂଆ ବର୍ଷରୁ ଖଣିଜ ଉତ୍ତୋଳନ ଆରମ୍ଭ କରିପାରିବେ ନାହିଁ। ଯେହେତୁ ଜଙ୍ଗଲ ଓ ପରିବେଶ ଅନୁମତି ପାଇଁ ବର୍ଷାଧିକ କାଳ ଲାଗିଯାଉଛି, ସେ ଦୃଷ୍ଟିରୁ ନିଲାମକୁ ଯାଉଥିବା ୧୬ଟି କାର୍ଯ୍ୟକ୍ଷମ ଲୁହାପଥର ଖଣିରୁ ଉତ୍ପାଦନ ଅନିର୍ଦ୍ଦିଷ୍ଟ କାଳ ଯାଏ ବ୍ୟାହତ ହେବ। ଏହି ୧୬ଟି ଖଣିରୁ ବାର୍ଷିକ ହାରାହାରି ୫ କୋଟି ୯୦ ଲକ୍ଷ ଟନ୍‌ ଲୁହାପଥର ଉତ୍ତୋଳିତ ହେଉଥିବାରୁ ରାଜ୍ୟ ତଥା ଦେଶରେ ନିଜସ୍ବ ଖଣି ନଥିବା ଅନେକ ଇସ୍ପାତ ଶିଳ୍ପ କଞ୍ଚାମାଲ ସ˚କଟର ସମ୍ମୁଖୀନ ହେବେ। ଉଲ୍ଲେଖଯୋଗ୍ୟ, ଦେଶରେ ଗଚ୍ଛିତ ଲୁହାପଥରର ୨୮%ରୁ ଅଧିକ ଓଡ଼ିଶାରେ ଥିବା ବେଳେ ଦେଶରେ ଉତ୍ପାଦିତ ମୋଟ ଲୁହାପଥରର ୫୦%ରୁ ଅଧିକ ଓଡ଼ିଶାରୁ ହୁଏ। ଗତ ଆର୍ଥିକ ବର୍ଷରେ ଦେଶରେ ଉତ୍ପାଦିତ ମୋଟ ୨୦ କୋଟି ୫୦ ଲକ୍ଷ ଟନ୍‌ ମଧୢରୁ ଓଡ଼ିଶାର ଅବଦାନ ପାଖାପାଖି ୧୧ କୋଟି ଟନ୍‌। ସେହିପରି ଆଲୁମିନିୟମ୍‌ ଉତ୍ପାଦନର କଞ୍ଚାମାଲ ବକ୍ସାଇଟ୍‌, ଚାର୍ଜକ୍ରୋମର କଞ୍ଚାମାଲ କ୍ରୋମାଇଟ୍‌ ଉତ୍ତୋଳନ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ପ୍ରଥମ। ଅନ୍ୟାନ୍ୟ ଧାତବ ଉତ୍ପାଦନର ପ୍ରମୁଖ ଅଣୁଘୋଟକ ମାଙ୍ଗାନିଜ ଉତ୍ପାଦନରେ ଓଡ଼ିଶାର ସ୍ଥାନ ଦ୍ବିତୀୟରେ ଥିବାବେଳେ ବିଦ୍ୟୁତ୍‌ ଉତ୍ପାଦନରେ ବ୍ୟବହୃତ ଇ ଓ ଏଫ୍‌ ଗ୍ରେଡ୍‌ କୋଇଲା ଉତ୍ପାଦନରେ ଓଡ଼ିଶା ପ୍ରଥମ। ତେଣୁ ରାଜ୍ୟର ଖଣି ନିଲାମ ପ୍ରକ୍ରିୟାରେ କୌଣସି ବିଘଟନ ରାଜ୍ୟ ତଥା ଜାତୀୟ ସ୍ତରରେ ଖଣି ଓ ଶିଳ୍ପ ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିବ। ପୁଣି କଞ୍ଚାମାଲ ସ˚କଟରୁ ଇସ୍ପାତ, ଆଲୁମିନିୟମ ଶିଳ୍ପ ଓ ବିଶେଷକରି ଲୁହାପଥର ଏବ˚ କୋଇଲା ଖଣିରୁ ବ୍ୟାପକ ଛଟେଇ ଆଶଙ୍କା ଥିବାରୁ ସାମ୍ପ୍ରତିକ ମାନ୍ଦାବସ୍ଥା ଅଧିକ ଉତ୍କଟ ହେବ। କେନ୍ଦ୍ର ସରକାର ଏସବୁ ଦିଗ ପ୍ରତି ଗୁରୁତ୍ବ ଦେବା ଜରୁରି ବୋଲି ଭାରତୀୟ ଖଣି ଶିଳ୍ପ ମହାସ˚ଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଲାଣି।

ଖଣି ଓ ଶିଳ୍ପ ବିଶେଷଜ୍ଞଙ୍କ ମତରେ ଓଡ଼ିଶାରୁ ଉତ୍ପାଦିତ ଖଣିଜର ମୂଲ୍ୟଯୁକ୍ତ ବିନିଯୋଗ ଓ ସର୍ବୋପରି ନିଯୁକ୍ତି ସୁଯୋଗ ଲକ୍ଷ୍ୟରେ ସରକାର ଇସ୍ପାତ, ଆଲୁମିନିୟମ୍‌ ଭଳି ଯେଉଁ ସବୁ ଧାତବ ଶିଳ୍ପ ପାଇଁ ପୁଞ୍ଜି ଆକର୍ଷଣ କରିଥିଲେ, ସେ ସମସ୍ତ ସ˚ସ୍ଥା ପାଇଁ କଞ୍ଚାମାଲ ଯୋଗାଣ ଅଦ୍ୟାବଧି ନିଶ୍ଚିତ ହୋଇପାରି ନାହିଁ। ପ୍ରାୟ ଅଧଡ଼ଜନେ ଘରୋଇ ଖଣି ଲିଜ୍‌ଧାରୀ ଇତିମଧୢରେ ଲୌହଭିତ୍ତିକ ଶିଳ୍ପ ସ୍ଥାପନ କରିଛନ୍ତି। ସେମାନେ ପାଇଥିବା ଖଣି ଲିଜ୍‌କୁ ଯଦି କ୍ୟାପ୍ଟିଭ୍‌ ମାନ୍ୟତା ସହ ଆଉ ୧୦ ବର୍ଷ ମିଆଦ ବୃଦ୍ଧି କରାନଯାଏ, ତେବେ ସେମାନଙ୍କ ପୁଞ୍ଜିରେ ସ୍ଥାପିତ ଶିଳ୍ପଗୁଡ଼ିକ କଞ୍ଚାମାଲ ସ˚କଟରୁ ବନ୍ଦ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ସେମାନେ କୋର୍ଟଙ୍କ ଦ୍ବାରସ୍ଥ ହେବାର ଯଥେଷ୍ଟ ସମ୍ଭାବନା ଅଛି। ଇସ୍ପାତଭିତ୍ତିକ ଶିଳ୍ପ ସ୍ଥାପନରେ ଅଗ୍ରସର ହେଉଥିବା ବେଦାନ୍ତ ଭଳି କେତେକ ସ˚ସ୍ଥାରୁ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ମୋଟାମୋଟି ଭାବେ ଉପରୋକ୍ତ ଦିଗଗୁଡ଼ିକୁ ଯଥେଷ୍ଟ ଧୢାନ ଦିଆ ନଗଲେ ଓଡ଼ିଶା ସରକାର ଖଣି ନିଲାମ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ବିଶେଷ ଆଗଭର ହେବେ ନାହିଁ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର