ମିନିଟ୍ରକ୍‌ ଓଲଟି ୪ ଜଣଙ୍କ ମୃତ୍ୟୁ

ଜୟପାଟଣା/କଲମପୁର: କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ବନ୍ଧକଣା ସାପ୍ତାହିକ ବଜାର ଅଭିମୁଖେ ବ୍ୟବସାୟୀଙ୍କୁ ନେଇ ଯାଉଥିବା ଏକ ୪୦୭ ମିନିଟ୍ରକ୍‌ ଗାଡ଼ି ବନ୍ଧକଣା ନିକଟରେ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ ଏହି ଦୁର୍ଘଟଣା ଘଟିଛି। ହାଟରେ ପହଞ୍ଚିବା ପୂର୍ବରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଗାଡ଼ିରେ ମୋଟ ୧୬ ଜଣଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଉଷା ନାଗ (୪୫)ଙ୍କ ମୃତ୍ୟୁ ଘଟିଥିଲା। ପ୍ରେମରାଜ ନାଗ (୩୬) ଓ କୁମାରୀ ନାଗ (୪୦)ଙ୍କ ଜୟପାଟଣା ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ବେଲମଣି ବାଗ (୫୦)ଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଉଥିବା ବେଳେ ବାନେର ପାଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ୩ ଜଣ ମହିଳା ଓ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ ମାଣିକଙ୍କ ନିର୍ଦେଶକ୍ରମେ ସମସ୍ତ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଗାଁକୁ ଶେଷକୃତ୍ୟ ପାଇଁ ପଠାଯାଇଥିଲା। ପେଟ ପାଇଁ ବ୍ୟବସାୟ କରି ଚଳୁଥିବା ଲୋକଙ୍କ ପାଇଁ କାଳ ଏଭଳି ରୂପରେ ଗ୍ରାସ କରିବ ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା।

ସମ୍ବନ୍ଧିତ ଖବର