ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ହାଜର ହେଲେ ପୁଲିସ ଡିଜି, ତଦନ୍ତକୁ ନେଇ ଅସନ୍ତୋଷ ଝାଡ଼ିଲେ କୋର୍ଟ

ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେଲେ ହାଇକୋର୍ଟ ନେବ
ଡିସେମ୍ବର ୧୬ରେ ହାଜର ହେବେ କ୍ରାଇମବ୍ରାଞ୍ଚ ଏଡିଜି

କଟକ : ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବୁଧବାର ହାଇକୋର୍ଟ ଅତ୍ୟନ୍ତ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବୁଧବାର ଶୁଣାଣି ସମୟରେ କୋର୍ଟ ପୁଲିସ ଡିଜି ଅଭୟଙ୍କ ଆଗରେ ନିଜର ଅସନ୍ତୋଷ ଝାଡ଼ିବା ସହିତ ଖୋଲାଖୋଲି କହିଛନ୍ତି ଯେ ଯଦି ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବ, ତେବେ ହାଇକୋର୍ଟ ପରବର୍ତୀ ତାରିଖରେ ନିଜେ ପଦକ୍ଷେପ ହେବେ। କେବଳ ସେତିକି ନୁହେଁ, ଡିସେମ୍ବର ୧୬ ତାରିଖରେ ପରବର୍ତୀ ଶୁଣାଣି ପାଇଁ କୋର୍ଟ ସମୟ ଧାର୍ଯ୍ୟ କରିବା ସହିତ ସେହିଦିନ ତଦନ୍ତର ଅଗ୍ରଗତି ରିପୋର୍ଟ ଦେବାପାଇଁ ନିର୍ଦେଶ ଦେଇଛନ୍ତି। ଏଥସିହତି କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦେଶ ଦେଇଥିବା ସୂଚନା ମିଳିଛି।

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସମୟରେ ପୁଲିସ ଡିଜି ଅଭୟ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିଥିଲେ। ତଦନ୍ତକାରୀ ଅଧିକାରୀ ଦାଖଲ କରିଥିବା ତଦନ୍ତ ଅଗ୍ରଗତି ସଂପର୍କିତ ସବିଶେଷ ତଥ୍ୟକୁ ବନ୍ଦ ଲଫାପାରେ ହାଇକୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତର ଅଗ୍ରଗତି ସଂପର୍କରେ ଡିଜିଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ହେଲେ ହାଇକୋର୍ଟ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ।

ଆଜି ଡିଜିଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ନେତୃତ୍ବରେ ଗଠିତ ଏକ ଟିମ୍ ଘଟଣାର ତଦନ୍ତ କରୁଛି। ଏସପିଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି, ତିନି ଜଣ ମହିଳା ଇନ୍ସପେକ୍ଟର ଓ ସାଇବର ସେଲର ଜଣେ ଇନ୍ସପେକ୍ଟର ସହଯୋଗ କରୁଛନ୍ତି। ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ ଓ ଅଭିଯୋଗକାରିଣୀ ଏବଂ ପୀଡ଼ିତାଙ୍କ ବୟାନ ସିଆରପିସିର ଧାରା ୧୬୧ରେ ରେକର୍ଡ କରିଥିଲେ। ପୂର୍ବରୁ ମଧ୍ୟ ଉଭୟଙ୍କ ବୟାନ ସିଆରପିସିର ଧାରା ୧୬୧ ଓ ୧୬୪ରେ ରେକର୍ଡ କରାଯାଇଥିଲା। ଏହି ସବୁ ବୟାନରେ ତାଳମେଳ ରହୁ ନାହିଁ ଓ କେତେକ ସିଦ୍ଧାନ୍ତମୂଳକ ପ୍ରସଂଗରେ ମଧ୍ୟ ବୟାନ ଅସ୍ପଷ୍ଟ। ଏତଲାରେ ନାଁ ରହିଥିବା ଅଭିଯୁକ୍ତଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଥିବା ବେଳେ ଏ ସଂପର୍କିତ ରିପୋର୍ଟ ହସ୍ତଗତ ହୋଇଛି। ଏମାନଙ୍କ ବୟାନରେ କିଛି ବିଭ୍ରାନ୍ତିକର ପ୍ରତିକ୍ରିୟା ନଥିବା ରିପୋର୍ଟରୁ ଜଣାପଡୁଛି।

ସେହିଭଳି ଘଟଣାର ପ୍ରମୁଖ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଜଣେ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ସିଡିଆର ଯା‌ଞ୍ଚ କରାଯାଇଛି। ପୀଡିତା ଏତଲାରେ ପ୍ରଥମେ କେତେକ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରିଥିବା ବେଳେ ପରବର୍ତ୍ତୀ ସମୟରେ ଧାରା ୧୬୧ ଓ ୧୬୪ରେ ରେକର୍ଡ କରାଯାଇଥିବା ତାଙ୍କ ବୟାନରେ ଆଉ ଚାରି ଜଣ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ଅକ୍ଟୋବର ୧୩ ଓ ୨୮ରେ ରେକର୍ଡ କରାଯାଇଥିବା ଧାରା ୧୬୧ ବୟାନରେ ପୀଡିତା ଆଉ କେତେକ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରିଥିଲେ। ଏଭଳି ବୟାନ ତଦନ୍ତ ପ୍ରକ୍ରିୟାରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ତଦନ୍ତକାରୀ ଟିମ୍ ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନର ସତ୍ୟତାକୁ ଅତି ସାବଧାନର ସହିତ ଯାଞ୍ଚ କରୁଛି। ଅଧିକ ଦୃଢ଼ ପ୍ରମାଣ ସଂଗ୍ରହ ପାଇଁ ଘଟଣାର ତଦନ୍ତ ଚାଲିଛି ଓ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ଡିଜିଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଆଇନଜୀବୀ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ବେଳେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଇନଜୀବୀ ‌ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଇନଜୀବୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନଭେମ୍ବର ୯ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ନଭେମ୍ବର ୧୮ରେ ପୁଲିସ ଡିଜିଙ୍କୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର