ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ୍, ଟୁଇଟ୍‌ କରି ନିଜେ ସୂଚନା ଦେଲେ

ଭୁବନେଶ୍ବର: ପୁଣି ଜଣେ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର(ମଧ୍ୟ)  ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ
ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଟୁଇଟରେ ଅନନ୍ତ ନାରାୟଣ ଜେନା ଉଲ୍ଲେଖ କରିଛନ୍ତି ଯେ କୋଭିଡର ଲକ୍ଷଣ ଦେଖାଦେବା ପରେ ସେ ନିଜର ଟେଷ୍ଟ କରିଥିଲେ ।  ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ ସୁସ୍ଥ ଥିବା ସହ ଘରେ ସଙ୍ଗରୋଧରେ ଥିବା ଜଣାଇଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ଅନୁରୋଧ କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା। ଏହାଛଡ଼ା ତାଙ୍କ ପିଏସ୍ଓ ଏବଂ ଡ୍ରାଇଭର୍ ବି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଥିଲା। ଏ ନେଇ ଟୁଇଟ୍ କରି ନିଜେ ସୂଚନା ଦେଇଥିଲେ ସୁଶାନ୍ତ ସିଂହ ।

ତା’ପୂର୍ବରୁ ରାଜ୍ୟର ୫ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିପୂର୍ବରୁ ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ରେମୁଣା, କଟକ ଜିଲ୍ଲାର ସାଲେପୁର, ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାଛଡା ନିକଟରେ ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର