ସହରରେ ବଢ଼ୁଛି ମାଙ୍କଡ଼ ଉପଦ୍ରବ, ଲୋକେ ଅତିଷ୍ଠ 

ଦେବଗଡ଼: ଦେବଗଡ଼ ସହରରେ ମାଙ୍କଡ଼ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ସ୍ଥାନୀୟ ଲୋକେ ଏହାର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବନ ବିଭାଗଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦେକ୍ଷେପ ନିଆଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଦେବଗଡ଼ ସହରାଞ୍ଚଳରେ ଦିନକୁ ଦିନ ମାଙ୍କଡ଼ ଉପଦ୍ରବ ବଢିବାରେ ଲାଗିଛି। ବର୍ତ୍ତମାନ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ଧିରେ ଧିରେ ନଷ୍ଟ ହେବା ଫଳରେ ବନ୍ୟଜାତ ଦ୍ରବ୍ୟ ଖାଇବାକୁ ନପାଇ ମାଙ୍କଡ ମାନେ ବିଗତ କିଛି ବର୍ଷ ହେଲା ସହର ମୁହାଁ  ହୋଇଛନ୍ତି। ଜନ ଅସନ୍ତୋଷ ବୃଦ୍ଧିପାଇବା ଯୋଗୁଁ ବନ ବିଭାଗ ପକ୍ଷରୁ  ମାଙ୍କଡିଆମାନଙ୍କ ଦ୍ୱାରା ମାଙ୍କଡ ଧରାଯିବା ସହିତ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିଲା। ଏହାପରେ ବି ସହରରେ ମାଙ୍କଡମାନଙ୍କ ଉପଦ୍ରବ ଥମି ନାହିଁ। ବିଭିନ୍ନ ସମୟରେ ମାଙ୍କଡ ମାନେ ମଧ୍ୟ ଲୋକମାନଙ୍କୁ ଆକ୍ରମଣ କରୁଥିବା ଜଣାଯାଇଛି।

ଶୁକ୍ରବାର ମାଙ୍କଡ଼ ଆକ୍ରମଣରେ ଅବସରପ୍ରାପ୍ତ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡା. ବିଳାସିନୀ ଦ୍ବିବେଦୀ ଆହତ ହୋଇଛନ୍ତି। ମାଙ୍କଡ଼ମାନେ ଘର ଭିତରକୁ ପଶି ଖାଦ୍ୟ ସାମଗ୍ରୀ ନଷ୍ଟ କରିବା ସହ ଲୋକଙ୍କ ବାଡ଼ିବଗିଚା ବି ଉଜାଡ଼ି ଦେଉଛନ୍ତି। ଏପରିକି ଘରର ଛପର ବି ଭାଙ୍ଗି ଦେଉଛନ୍ତି। ମାଙ୍କଡ଼ ଘଉଡାଇବା ପାଇଁ ବନ ବିଭାଗ ବିଭାଗ ପକ୍ଷରୁ ଗାର୍ଡ ନିଯୁକ୍ତ କରାଯାଇଛି। ମାତ୍ର ତାହା ଯଥେଷ୍ଟ ନୁହେଁ। ତେଣୁ ଅଧିକ ଗାର୍ଡ ନିଯୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ଦିଗରେ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହେଉଛି। ଏନେଇ ଦେବଗଡ଼ ଡିଏଫ୍‌ଓ ମଗର ଧାନାଜୀ ରାଓସୋଙ୍କ ସହିତ ଯୋଗାଯୋଗ କରିବା‌ରୁ ମାଙ୍କଡ ଉପଦ୍ରବ ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର