ଓଡ଼ିଶାରେ ପ୍ରାଥମିକ ଶିକ୍ଷା ସ୍ଥିତି: ଅନଲାଇନ୍‌ ଶିକ୍ଷାରୁ ଅଧାରୁ ଅଧିକ ଛାତ୍ରଛାତ୍ରୀ ବଂଚିତ

ଛାତ୍ରଛାତ୍ରୀ ଟିଉସନ୍ ଉପରେ ଅଧିକ ନିର୍ଭରଶୀଳ
୮୪ ପ୍ରତିଶତ ଛାତ୍ରଛାତ୍ରୀ ପଢୁଛନ୍ତି ସରକାରୀ ସ୍କୁଲ୍‌ରେ

କଟକ : ଓଡ଼ିଶାର ୩୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଘରେ ସ୍ମାର୍ଟଫୋନ୍‌ ନାହିଁ। ଯେଉଁ ୬୫ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଘରେ ସ୍ମାର୍ଟ ଫୋନ୍ ରହିଛି, ସେମାନଙ୍କ ମଧ୍ୟରୁ ମାତ୍ର ୪୬.୫ ପ୍ରତିଶତ ପିଲା ପାଠ ପଢିବା ପାଇଁ ସ୍ମାର୍ଟ ଫୋନ୍‌ ବ୍ୟବହାର କରି ପାରୁଛନ୍ତି। ଅର୍ଥାତ ପାଖାପାଖି ଦୁଇ ବର୍ଷ ହେଲା ଅନଲାଇନ୍ ଜରିଆରେ ଶିକ୍ଷାଦାନ ଚାଲିଥିଲେ ବି ଓଡ଼ିଶାର ଅଧାରୁ ଅଧିକ ଛାତ୍ରଛାତ୍ରୀ ଏଥିରୁ ବଂଚିତ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି।

ରାଜ୍ୟରେ ଶିକ୍ଷାର ସ୍ଥିତି ଜାଣିବା ପାଇଁ ପ୍ରମୁଖ ଘରୋଇ ସଂସ୍ଥା ‘ପ୍ରଥମ’ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ୬ରୁ ୧୪ ବର୍ଷର ପିଲାଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ପ୍ରତି ଜିଲ୍ଲାରୁ ୨୫୦ କରି ମୋଟ ୩୦ଟି ଜିଲ୍ଲାର ୭ ହଜାର ୫୦୦ ଘରୁ ତଥ୍ୟ ସ˚ଗ୍ରହ କରାଯାଇଥିଲା। ଏହି ସର୍ଭେ ଅନୁଯାୟୀ ୨୦୧୮ରେ ଓଡ଼ିଶାରେ ୨୬ ପ୍ରତିଶତ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଥିବାବେଳେ ଗଲା ଦୁଇ ବର୍ଷ ଭିତରେ ଏହା ୬୫ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପଟେ ଦେଶରେ ୭୬ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଘରେ ସ୍ମାର୍ଟ ଫୋନ ରହିଥିବା ସର୍ଭେରୁ ଜଣାପଡ଼ିଛି। ସର୍ଭେର ଫଳାଫଳ ଅନୁଯାୟୀ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଯୋଗଦାନ ୨୦୨୦ ତୁଳନାରେ ଚଳିତ ବର୍ଷ ବୃଦ୍ଧି ପାଇଛି। ସର୍ବଭାତୀୟ ସ୍ତରରେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପ୍ରତିଶତ ତୁଳନାରେ ଓଡ଼ିଶାରେ ସଂଖ୍ୟା ଅଧିକ ରହିଛି। ଦେଶରେ ୬ରୁ ୧୪ ବର୍ଷର ୭୦ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢୁଥିବାବେଳେ ଓଡ଼ିଶାରେ ଏହି ପ୍ରତିଶତ ରହିଛି ୮୪। ସେହିଭଳି ସ୍କୁଲ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓଡ଼ିଶାରେ ଜାତୀୟ ହାର ଠାରୁ ଅପେକ୍ଷାକୃତ ଭଲ ରହିଛି। ଦେଶରେ ୬ରୁ ୧୪ ବର୍ଷର ୫ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଛାଡୁଥିବାବେଳେ ଓଡ଼ିଶାରେ ଏହି ହାର ରହିଛି ମାତ୍ର ୨ ପ୍ରତିଶତ। କିନ୍ତୁ କରୋନା ସମୟରେ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହି ଥିବାରୁ ଛାତ୍ରଛାତ୍ରୀଙ୍କର ଟିଉସନ୍‌ ଉପରେ ନିର୍ଭରଶୀଳତା ବଢିଛି। ଓଡ଼ିଶାରେ ୨୦୨୦ରେ ୫୨ ପ୍ରତିଶତ ଛାତ୍ରଛାତ୍ରୀ ଟିଉସନ୍‌ ଉପରେ ନିର୍ଭର କରୁଥିଲେ। କିନ୍ତୁ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୬୬ ପ୍ରତିଶତରେ ପହଞ୍ଚିଛି। ସର୍ବଭାରତୀୟ ସ୍ତରରେ କିନ୍ତୁ ଏହି ହାର ୩୯.୨ ପ୍ରତିଶତ ରହିଛି।

ତଥ୍ୟ ଅନୁଯାୟୀ ଓଡ଼ିଶାରେ ୯୫ ପ୍ରତିଶତ ପିଲାଙ୍କ ନିକଟରେ ବହି ଉପଲବ୍ଧ ଅଛି। କିନ୍ତୁ ଜାତୀୟ ସ୍ତରରେ ଏହି ହାର ହେଉଛି ୯୧ ପ୍ରତିଶତ। ଅନ୍ୟପଟେ ଦେଶରେ ୨୧ ପ୍ରତିଶତ ଛାତ୍ରଛାତ୍ରୀ ଟିଭି, ରେଡିଓ, ଇଣ୍ଟରନେଣ୍ଟ ଇତ୍ୟାଦି ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ମାତ୍ର ୧୯ ପ୍ରତିଶତ ଛାତ୍ରଛାତ୍ରୀ ତାହା ବ୍ୟବହାର କରୁଛନ୍ତି।
ସର୍ଭେର ତଥ୍ୟ ଅନୁଯାୟୀ ଅଭିଭାବକଙ୍କ ଶିକ୍ଷାଗତ ଯୋଗ୍ୟତା ବି ଛାତ୍ରଛାତ୍ରୀଙ୍କ ପଢ଼ିବା କ୍ଷେତ୍ରରେ ବଡ଼ ଧରଣର ପ୍ରଭାବ ପକାଉଛି। ଭାରତରେ ଯେଉଁ ଅଭିଭାବକମାନେ ୯ମ ବା ଅଧିକ ପଢ଼ିଛନ୍ତି ସେମାନଙ୍କ ପିଲାମାନେ ପଢ଼ାପଢ଼ି କ୍ଷେତ୍ରରେ ଆଗ୍ରହ ଦେଖାଉଛନ୍ତି। ଯେଉଁଠି ବିଦ୍ୟାଳୟ ଖୋଲିନାହିଁ, କିନ୍ତୁ ଅଭିଭାବକମାନେ ୯ମ ଶ୍ରେଣୀରୁ ଅଧିକ ପଢ଼ିଛନ୍ତି ସେଠାରେ ୬୨ ପ୍ରତିଶତ ପିଲା ବହିରୁ ପାଠ ପଢ଼ୁଛନ୍ତି। ଯେଉଁଠି ଅଭିଭାବକଙ୍କ ଶିକ୍ଷା ପ୍ରାଥମିକ ସ୍ତରରେ ସୀମିତ ରହିଛି, ସେଠାରେ ମାତ୍ର ୪୭ ପ୍ରତିଶତ ପିଲା ବହି ବ୍ୟବହାର କରୁଛନ୍ତି।

୨୦୨୧ରେ ଏହି ସର୍ଭେ ଦେଶର ୨୫ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବି କରାଯାଇଛି। ୨୦୦୫ରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ସଂସ୍ଥା ସର୍ଭେ କରି ଆସୁଥିବା ବେଳେ ଆଜି କଟକରେ ଏହି ର‌ିପୋର୍ଟ ‘ଅସର’ ଆଜି ଉନ୍ମୋଚିତ ହୋଇଛି। ଆଜିର ରିପୋର୍ଟ ଉନ୍ମୋଚନ କାର୍ଯ୍ୟକ୍ରମର ପ୍ରଥମ ଓଡ଼ିଶା ରାଜ୍ୟ ମୁଖ୍ୟ ପୁଷ୍ପାଞ୍ଜଳି ପରିଡ଼ା, ନିକୁଞ୍ଜ ସାହୁ, ଉପାସନା ରାୟ, ସ୍ନେହଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର