ଉପାସରେ କାର୍ଗିଲ୍‌ ସହିଦଙ୍କ ମା’

ବିଧବା ବୋହୂ ଆଉ ଜଣଙ୍କ ହାତ ଧରି ଚାଲିଗଲା, କ୍ଷତିପୂରଣ ଓ ପେନ୍‌ସନ ଅର୍ଥ ନେଇଗଲା, ବୀର ପୁଅକୁ ଜନ୍ମ ଦେଇଥିବା ମାଆ ଏବେ ଅଲୋଡ଼ା

ରାଉରକେଲା : କାରଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ସୁନ୍ଦରଗଡ଼ର ପୁଅ ବ୍ଲାସିୟୁସ୍‌ ଆଲେକ୍‌ଜାଣ୍ଡାର କୁଜୁରଙ୍କ ମାଆ ଏବେ ଓଳିଏ ଖାଇଲେ ଦୁଇଓଳି ଉପାସରେ। ଏମିତି ଖବର ଦୁର୍ଭାଗ୍ୟଜନକ ନିଶ୍ଚୟ। ତେବେ ଏହାର ଅନ୍ୟଏକ ଦିଗ ଆହୁରି ଦୁଃଖଦାୟକ। ପୁଅ ସହିଦ ହେବାର ଦୁଇ ବର୍ଷ ପରେ ବୋହୂ ଘର ଛାଡ଼ି ଅନ୍ୟ ଜଣଙ୍କ ହାତ ଧରି ଚାଲିଗଲା। ସାଙ୍ଗରେ ପୁଅର ବଳିଦାନ ବାବଦକୁ ମିଳିଥିବା କ୍ଷତିପୂରଣ ଓ ପେନ୍‌ସନ ଅର୍ଥ ବି ନେଇଗଲା। ପୁଅର‌ ଶେଷସନ୍ତକ ତଥା ମାଆଙ୍କର ‌ଗେହ୍ଲା ନାତୁଣୀର ବି ସ୍କୁଲ୍‌ ହ‌ଷ୍ଟେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ହେଲା। ଯାହା ଏକ ଆତ୍ମହତ୍ୟା ବୋଲି କୁହାଯାଏ। ପରିବାରର ସମସ୍ତଙ୍କୁ ହରାଇ ୭୨ ବର୍ଷ ବୟସ୍କା ଏହି ବୃଦ୍ଧା ଏବେ ନିଜ ଗାଁ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଓହ୍ଲାଣୀରେ ବହୁ କଷ୍ଟରେ ବଞ୍ଚି ରହିଛନ୍ତି। ଦେଶ ପାଇଁ ପୁଅ ସହିଦ ହେବା ଘଟଣାରେ ସେ ଯେତିକି ଗର୍ବ ଅନୁଭବ କରୁଛନ୍ତି, ପରବର୍ତୀ ଘଟଣାକ୍ରମ, ବିଶେଷକରି ପରିଣତ ବୟସରେ ପେଟ ପୋଷିବା ପାଇଁ ତାଙ୍କ ସଂଘର୍ଷର ଦୁଃଖ ତାଠାରୁ ଅଧିକ ବୋଲି ‘ସମ୍ବାଦ’କୁ କହିଛନ୍ତି।

କାରଗିଲ୍‌ ଯୁଦ୍ଧରେ ୨୦୦୦ ମସିହା ଅଗଷ୍ଟ ମାସ ୩ ତାରିଖ ଦିନ ପ‌ାକିସ୍ତାନ ସହ ଯୁଦ୍ଧରେ ଆଲେକ୍‌ଜାଣ୍ଡାର ସହିଦ ହୋଇଥିଲେ। ସେତେବେଳେ ତାଙ୍କ ପରିବାରରେ ମାଆ ଟେରେସା କୁଜୁର, ପତ୍ନୀ ଓ ଝିଅ ପ୍ରୀତି ଆଲିସା କୁଜୁର ଘରେ ଥିଲେ। ସେତେ‌ବେଳେ ଝିଅର ବୟସ ମାତ୍ର ୮ ମାସ ହୋଇଥିଲା। ସେନା ଚାକିରି ନିୟମ ଅନୁସାରେ ସହିଦ ପରିବାରକୁ କ୍ଷତିପୂରଣ ଅର୍ଥ ଓ ବିଭିନ୍ନ ସୁବିଧା ସୁଯୋଗ ମିଳିଥିଲା। ବର୍ଷକ ପରେ ଆଲେକ୍‌ଜାଣ୍ଡାରଙ୍କ ପତ୍ନୀଙ୍କୁ ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟରେ ସରକାରୀ ଚାକିରି ମିଳିଥିଲା। ସହିଦଙ୍କ ମାଆ ଟେରେସା ଅଭିଯୋଗ କରନ୍ତି ଯେ ପେନ୍‌ସନ ସହ ସରକାରୀ ଚାକିରି ଦରମା ପାଇ ତାଙ୍କ ବୋହୂ ଆଉ ଗାଁକୁ ଫେରିଲାନାହିଁ। ଏମିତି ବିତିଗଲା କିଛି ବର୍ଷ। ତା’ରି ଭିତରେ ବୋହୂ ପାଖରେ ରହି କୁମଝରିଆ କନ୍ୟାଶ୍ରମରେ ପାଠ ପଢୁଥିବା ନାତୁଣୀ ପ୍ରୀତି ଆଲିସା (୧୩)ଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଲା। ସେତେବେଳେ ପୁଲିସ ଏହାକୁ ଆତ୍ମହତ୍ୟା ରୂପ ଦେଇ ଛାଡ଼ି ଦେଇଥିଲା। କିନ୍ତୁ ଏତେ ଛୋଟ ବୟସର ଝିଅ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲା ତାହା ସ୍ପଷ୍ଟ କଲାନାହିଁ।

ଏହାର କିଛି ଦିନ ପରେ ବୋହୂ ତାଙ୍କୁ ନ ଜଣାଇ ଅନ୍ୟତ୍ର ବିବାହ କରି ରହିଗଲା। ପୁଅ ସହିଦ ହେବା ପରେ ମିଳିଥିବା ଲକ୍ଷ ଲକ୍ଷ ଟଙ୍କାରୁ ମା’ଙ୍କୁ କିଛି ମିଳିଲାନି। ଏପରିକି ମିଳୁଥିବା ପେନ୍‌ସନ ଟଙ୍କାରୁ ମଧ୍ୟ ବୋହୂ ତାଙ୍କୁ ଟଙ୍କାଟିଏ ବି ଦେଉନାହିଁ। ସାହାରା ଇଣ୍ଡିଆ କମ୍ପାନି ଦେଇଥିବା ଟଙ୍କା ବି ବୋହୂ ରଖିଛି। ରାଜ୍ୟ ସରକାର ଭୁବନେଶ୍ବରରେ ଦେଇଥିବା ଜମି ପ୍ଲଟ୍‌ ବି ବୋହୂ ନାଁରେ ଅଛି। ବୋହୂ ଅନ୍ୟତ୍ର ବିବାହ କରି ଏବେ ଦୁଇଟି ସନ୍ତାନର ଜନନୀ। ସେ ଉଭୟ ଚାକିରି ଦରମା ଓ ପେନ୍‌ସନ ଟଙ୍କାକୁ ପ୍ରତି ମାସରେ ନିଜ ପାଖରେ ରଖୁଛି। ଏପଟେ ପରିଣତ ବୟସରେ ମା’ ଟେରେସା ଖାଇବାକୁ ନ ପାଇ ଗାଁରେ ଛଟପଟ ହେଉଛନ୍ତି। ତାଙ୍କର ଏଭଳି ଦୁଃଖ ଦେଖି ଓହ୍ଲାଣୀ ଗାଁ ଲୋକେ ଏକ ବୈଠକ ଡାକି ଶାଶୂଙ୍କ ଦେଖାଶୁଣା କରିବାକୁ ବୋହୂକୁ ତାଗିଦ କରିଥିଲେ। ନିୟମ ଅନୁସାରେ ସେ ବିଧବା ଶାଶୂଙ୍କ ଭରଣପୋଷଣ ଦାୟିତ୍ବ ନେବା କଥା। କିନ୍ତୁ ବୋହୂ ଶାଶୂଙ୍କ ଯତ୍ନ ନେବା ଦୂରେ ଥାଉ; ଆଉ ଗାଁକୁ ନ ଆସି ଅନ୍ୟତ୍ର ବିବାହ କରି ଚାଲିଗଲା। ସ୍ବାମୀଙ୍କ ମୃତ୍ୟୁ ପରେ ସବୁ ଅର୍ଥ ହାତେଇ ନେବା ସହ ସମସ୍ତ ସୁବିଧା ସୁଯୋଗ ପାଉଥିବା ବୋହୂ ଏବେ ଜିଲ୍ଲାପାଳଙ୍କ ଅଧୀନରେ କାମ କରୁଛି। ଏ ସମ୍ପର୍କରେ ଟେରେସା ସେନା ବିଭାଗ ଅଧିକାରୀ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ବହୁ ଥର ଭେଟି ନିଜ ଦୁଃଖ ଜଣାଇଛନ୍ତି। କିନ୍ତୁ ତାଙ୍କୁ କେହି ସହଯୋଗ କରିନାହାନ୍ତି। ନ୍ୟାୟ ପାଇବା ପାଇଁ ଟେରେସା ଅଦାଲତଙ୍କର ଆଶ୍ରୟ ନେଇଛନ୍ତି। କିନ୍ତୁ ୪ ବର୍ଷ ହେଲା ତାଙ୍କ ମାମଲାର କୌଣସି ଅଗ୍ରଗତି ହେଉନାହିଁ। ଓକିଲଙ୍କୁ ପାରିଶ୍ରମିକ ଦେବା ପାଇଁ ବି ତାଙ୍କ ପାଖରେ ଅର୍ଥ ନାହିଁ। ଗାଁରେ ଭଙ୍ଗାଘରେ ବହୁ କଷ୍ଟରେ ସେ ଚଳୁଛନ୍ତି, ବଞ୍ଚି ରହିଛନ୍ତି। ନିୟମ ଅନୁସାରେ ପୁଅର ମୃତ୍ୟୁ ପରେ ମିଳିଥିବା ଅର୍ଥ ଉପରେ ପତ୍ନୀଙ୍କ ଭଳି ମାଆର ବି ଅଧିକାର ଅଛି। ଦେଶ ପାଇଁ ସହିଦ ହୋଇଥିବା ଜଣେ ବୀର ସନ୍ତାନର ମାଆ ନ୍ୟାୟ ପାଇଁ ଆଉ କେତେ କାଳ ଅପେକ୍ଷା କରିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର