ନାଲି ଆଖି ଦେଖାଅନି, ମନକୁ ଜିତ : ଧର୍ମେନ୍ଦ୍ର

ସରକାରୀ ଅଧିକାରୀଙ୍କୁ ଆହ୍ବାନ ଦେଲେ କେନ୍ଦ୍ର ମନ୍ତ୍ରୀ
ଲକ୍ ଡାଉନରେ ଥିବା ଜିଲ୍ଲାର ଲୋକମାନେ ପ୍ରଶାସନକୁ ସହଯୋଗ କରନ୍ତୁ

ଭୁବନେଶ୍ୱର : କରୋନା ପରି ସମ୍ବେଦନଶୀଳ ସ୍ଥିତିରେ ଅସୀମ ଧୈର୍ଯ୍ୟ ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଡରାଇଲେ କିମ୍ବା ନାଲି ଆଖି ଦେଖାଇଲେ କୌଣସି ସମାଧାନର ବାଟ ବାହାରିବନି। କଷ୍ଟ ହେଲେ ମଧ୍ୟ ଅଧିକାରୀମାନେ ସମସ୍ତଙ୍କ ମନକୁ ଜିତି ସମାଜକୁ ବୁଝାଇବା କାମରେ ଲାଗିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏ କଥା ବି କେନ୍ଦ୍ର ମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ କାହାର ନାଲି ଆଖି ଯୋଗୁ ନୁହେଁ, ସମସ୍ତେ ବୁଝିବା ଯୋଗୁ ନିକଟ ଅତୀତରେ ରଥଯାତ୍ରା ସୁରୁଖୁରୁରେ ପାଳନ ହୋଇପାରିଥିଲା।

ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀର ପ୍ରକୋପ ଲମ୍ବା ସମୟ ଧରି ଚାଲିବ। ଏହାକୁ ଧ୍ୟାନରେ ରଖି ସମସ୍ତଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଓଡ଼ିଆରେ ଏକ ଉକ୍ତି ଅଛି ଖା, ଭୁଞ୍ଜ୍‌ ଓ ଗିଳି । ଲୋକଙ୍କ ଠାରେ ତିନିଟି ଶବ୍ଦର ପ୍ରୟୋଗ ଦ୍ବାରା ତିନି ପ୍ରକାରର ପ୍ରତିକ୍ରିୟା ପରିଲକ୍ଷିତ ହୁଏ। ତେଣୁ କେଉଁ ସମୟରେ କେଉଁ ଶବ୍ଦ ପ୍ରୟୋଗ କରାଯିବ ସେଥିପ୍ରତି ସଚେତନ ହେବା ଦରକାର। ବିଶେଷ ଭାବରେ ଯେଉଁମାନେ ନିୟମ ପାଳନ କରାଇବା ଦାୟିତ୍ୱରେ ଅଛନ୍ତି ତଥା ବ୍ୟବସ୍ଥାରେ ଥିବା ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସାମାଜକୁ ବୁଝାଇବା କାମରେ ଲାଗିବାର ଆବଶ୍ୟକତା ରହିଛି। ବ୍ୟବସ୍ଥାରେ ଥିବା ଅଧିକାରୀମାନେ ଲୋକଙ୍କୁ ଏହିପରି ଏକ କଠିନ ସମୟରେ ବୁଝାଇବା ସହ ପରାମର୍ଶ ଦେବା ଦରକାର। ଏହା ସେମାନଙ୍କ ପାଇଁ ବଡ଼ ଦାୟିତ୍ୱ ହେବା ଦରକାର। କାରଣ ଥରେ ସମାଜରେ ଅବିଶ୍ୱାସ ଓ ଅସନ୍ତୋଷର ବାତାବରଣ ତିଆରି ହେଲେ ମୂଳ କଥାକୁ ଭୁଲିଯିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

ଯେଉଁ ପର୍ଯ୍ୟନ୍ତ କରୋନା ଟୀକା ତିଆରି ହୋଇ ନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଦରକାର । ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ଏବଂ ସୁନ୍ଦରଗଡ଼ର ରାଉରକେଲା ମହାନଗର ନିଗମରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍ ଘୋଷଣା କରିଛନ୍ତି । ଏହି ଅଞ୍ଚଳର ଲୋକମାନେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସୀମ ଧୈର୍ଯ୍ୟର ପରାକାଷ୍ଠା ଦେଖାଇ ସରକାର, ପ୍ରଶାସନ ଓ ଅଧିକାରୀମାନଙ୍କୁ ସହଯୋଗ କରିବା ଦରକାର। ବିଶୃଙ୍ଖଳିତ ହେଲେ ନିଜର, ନିଜ ପରବାରର ଓ ସମାଜର କ୍ଷତି ହେବ।

ଅତୀତରେ ଓଡ଼ିଆ ଜାତି ବିପତ୍ତି ସମୟରେ ଅସୀମ ସାହସ ଓ ଧୈର୍ଯ୍ୟ ଦେଖାଇ ଆସିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପ୍ରେରଣା ସମସ୍ତଙ୍କ ସହ ରହିଛି । ସଂଯମତା ଓ ଆବେଗର ନୂଆ ରାସ୍ତାର ବଡ଼ ଉଦାହରଣ ହେଲା ଚଳିତ ବର୍ଷର ରଥଯାତ୍ରା। ତେଣୁ ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ ବୋଲି ଦୃଢ଼ ବିଶ୍ୱାସ ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର