ସ୍ୱାମୀଙ୍କୁ ବଞ୍ଚାଇ ପାରିଲେନି: ଦାନସୂତ୍ରରେ ପାଇଥିବା ୪୦ ଲକ୍ଷ ଫେରାଇ ଦେଲେ ମୌସୁମୀ

ଭଦ୍ରକ : ସ୍ୱାମୀଙ୍କୁ ତ ବଞ୍ଚାଇ ପାରିଲେନି, ତେଣୁ ତାଙ୍କ ଚିକିତ୍ସା ପାଇଁ ମିଳିଥିବା ସହାୟତା ରାଶି କେମିତି ରଖିଥାନ୍ତେ? ନିଜ ବିବେକ ବାଧା ଦେଲା। ଯେଉଁ ସମୟରେ ସ୍ବାମୀଙ୍କ ଚିକିତ୍ସା ପାଇଁ ଅଗଣିତ ଜନତା ହାତଖୋଲି ଅଜାଡ଼ି ଦେଇଥିଲେ ସେମାନଙ୍କର ବଦାନ୍ୟତାକୁ ପ୍ରଣାମ ଜଣାଇ ଆଜି ଜିଲ୍ଲାପାଳଙ୍କ ଜରିଆରେ ୪୦ ଲକ୍ଷ ଫେରାଇ ଦେଇଛନ୍ତି ମୌସୁମୀ ମହାପାତ୍ର। ଇଏ ସେହି ମୌସୁମୀ, ଯିଏ ବର୍ଷକ ତଳେ ନିଜ ସିନ୍ଦୂର ବଞ୍ଚାଇବା ପାଇଁ ଲୋକଙ୍କ ପାଖରେ ନେହୁରା ହୋଇଥିଲେ। ବିବାହର ମାତ୍ର ଗୋଟିଏ ସପ୍ତାହ ପରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ବାମୀଙ୍କୁ ବଞ୍ଚାଇବା ଲାଗି ଟଙ୍କାଟିଏ କରି ୪ କୋଟି ଓଡ଼ିଶାବାସୀଙ୍କଠାରୁ ସହଯୋଗ ମାଗିଥିଲେ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ମନ୍ଦାରୀ ଗ୍ରାମର ଅଭି‌ଷେକ ମହାପାତ୍ର ଓମାନ୍‌ରେ ଥିଲେ ଇଞ୍ଜିନିୟର। ୨୦୨୧ ମେ ମାସ ୫ ତାରିଖରେ ବାସୁଦେବପୁରର ଚିତ୍ତରଞ୍ଜନ ମହାନ୍ତିଙ୍କ କନ୍ୟା ମୌସୁମୀଙ୍କ ହାତ ଧରିଥିଲେ ଅଭି‌ଷେକ। ହେଲେ ବିବାହର ମାତ୍ର ସପ୍ତାହେ ପରେ ଅଭିଷେକ
କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ୨୧ ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ସଂକ୍ରମଣ ଯୋଗୁଁ ଅଭିଷେକଙ୍କ ଫୁସ୍‌ଫୁସ୍‌ କାମ ନ କରିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ଏୟାର ଲିଫ୍ଟ କରାଯାଇଥିଲା। ସେଠାକାର ଏକ ଘରୋଇ ହସ୍‌ପିଟାଲରେ ୩ ମାସ ଧରି ବ୍ୟୟବହୁଳ ଏକ୍‌ମୋ ଚିକିତ୍ସାରେ ରହିଥିଲେ ଅଭିଷେକ। ସେପଟେ ଚିକିତ୍ସା ପାଇଁ ଆହୁରି ଅର୍ଥ ଦରକାର ବୋଲି ଡାକ୍ତରମାନେ କହିବା ପରେ ସ୍ବାମୀଙ୍କର ଜୀବନ ବଞ୍ଚାଇବା ପାଇଁ ନବବିବାହିତା ମୌସୁମୀ ବିଭିନ୍ନ ଗଣମାଧ୍ୟମ ଓ କ୍ରାଉଡ୍‌ ଫଣ୍ଡିଂ ଜରିଆରେ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ। ମୌସୁମୀଙ୍କର ନିବେଦନ ରକ୍ଷା କରି ଓଡ଼ିଶାର ବହୁ ବଦାନ୍ୟ ବ୍ୟକ୍ତି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ତଥାପି ଅଭିଷେକ ବଞ୍ଚି ପାରିନଥିଲେ। ୨୦୨୧ ମସିହା ସେପ୍ଟେମ୍ବର ୩ ତାରିଖରେ ପତ୍ନୀ ମୌସୁମୀ ଓ ପରିବାରକୁ ପର କରି ଅଭିଷେକ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ।

ସ୍ବାମୀଙ୍କର ଅକାଳ ବିୟୋଗ ପରେ ଦାନସୂତ୍ରରେ ମିଳିଥିବା ଚିକିତ୍ସା ସହାୟତା ରାଶିକୁ ନେଇ ଅସ୍ତବ୍ୟସ୍ତ ହେଉଥିଲେ ମୌସୁମୀ। ମୋର ବିପଦ ବେଳେ ଲୋକେ ଦାନ କରିଥିବା ଟଙ୍କା ଆଉ କାହାର ବିପଦ ବେଳେ ସହଯୋଗରେ ଆସୁ। ଏମିତି ଭାବନା ରଖି ଚିକିତ୍ସା ଖର୍ଚ୍ଚ ପ‌ରେ ବଳକା ଥିବା ୪୦ ଲକ୍ଷ ଟଙ୍କାକୁ ସେ ସୋମବାର ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଓ ରେଡକ୍ରସ୍‌ ପାଣ୍ଠିକୁ ଫେରାଇ ଦେଇଛନ୍ତି। ବାପା ଚିତ୍ତରଞ୍ଜନ ମହାନ୍ତି, ଭଦ୍ରକ ରୋଟାରୀ ମିଡ୍ ଟାଉନ୍‌ କ୍ଲବର ବରିଷ୍ଠ ସଭ୍ୟ ଆଇନଜୀବୀ ଅତିଶ ବେହେରା ଓ ଆଇନଜୀବୀ ଧୀରେନ୍ଦ୍ର ରାୟଙ୍କ ଉପସ୍ଥିତିରେ ମୌସୁମୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩୦ ଲକ୍ଷ ଓ ରେଡକ୍ରସ୍‌କୁ ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ।

ସମ୍ବନ୍ଧିତ ଖବର