କଟକ ଜିଲ୍ଲାର ମୁଣ୍ଡଳୀଠାରେ ପ୍ରବାହିତ ହେଲା ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କଟକ: ଏବେ କଟକ ଜିଲ୍ଲାର ମୁଣ୍ଡଳୀ ଠାରେ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାଯାଇଛି। ଗତକାଲି ମଧ୍ୟ ରାତିରୁ ଏହି ବନ୍ୟା ଜଳ ପ୍ରବାହିତ ହେଉଥିବାର ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ମୁଣ୍ଡଳୀ ବ୍ୟାରେଜର ଉପର ମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ରହିଛି। ତେବେ ଏହା ବିପଦ ସଙ୍କେତର ବହୁ ତଳେ ରହିଛି। ଏଠାରେ ବିପଦ ସଙ୍କେତ ୯୭ ଫୁଟ ରହିଛି। ଏଣୁ କଟକ ସହର ପ୍ରତି କୌଣସି ଭୟ ନାହିଁ। ତେବେ ହୀରାକୁଦ ଡ୍ୟାମ୍‌ର ଅଧିକସଂଖ୍ୟକ ଗେଟ୍ ଖୋଲାଗଲେ ବିପଦ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଜୁନ୍ ମାସରେ ଏତେ ଶୀଘ୍ର ବନ୍ୟାଜଳ ପ୍ରବାହିତ ହେବାର ଦୃଷ୍ଟାନ୍ତ କମ୍ ବୋଲି କୁହାଯାଉଛି।

ପୂର୍ବରୁ ହୀରାକୁଦ ଡ୍ୟାମ୍‌ର ୧୫ଟି ଗେଟ୍ ଖୋଲାଯାଇଥିଲା। ଏହାପରେ ସେହି ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର