ଦୁର୍ନୀତିଗ୍ରସ୍ତଙ୍କୁ ପୁଣି ଚୋଟ : ୧୬ ଅଧିକାରୀ ବରଖାସ୍ତ, ତିନି ପର୍ଯ୍ୟାୟରେ ୩୬ ଅଧିକାରୀ ବରଖାସ୍ତ ହେଲେଣି

ଭୁବନେଶ୍ବର : ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଖା‌ସ୍ତ କରିଥିଲା ବେଳେ ୬ ଜଣଙ୍କ ପେନ୍‌ସନ୍ ବନ୍ଦ କରିଥିଲେ। ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆଜି ତୃତୀୟ ପର୍ଯ୍ୟାୟରେ ପୁଣି ଚୋଟ ପଡ଼ିଛି ୧୬ ଜଣ ଅଫିସର୍‌ଙ୍କ ଉପରେ। ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଞ୍ଜିନିୟର, ୨ ଜଣ ଆର୍‌ଆଇ, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଦୁଇ ଜଣ କିରାଣିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଚାକିରିରୁ ବରଖାସ୍ତ କରିଛନ୍ତି। ଏହି ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବ‌ାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ତାଙ୍କ କଡ଼ା‌ ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ଆହୁରି କଡ଼ାକଡ଼ି କରିଛନ୍ତି। ଗତ ମାସ ୧୭ ଓ ୩୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଲଗାତର ଭାବେ ସରକାରଙ୍କ ଏପରି ପଦକ୍ଷେପ କର୍ମଚାରୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ, ଭୁବନେଶ୍ବର ଆର୍‌ ଆଣ୍ଡ୍‌ ବି ଡିଭିଜନ୍-୧ର ଉପ ନିର୍ବାହୀ ଯନ୍ତ୍ରୀ ଜୀବେଶ ଚନ୍ଦ୍ର ରଥ, ଦଶପଲା ରୁରାଲ୍‌ ୱାର୍କସ୍‌ର ସହାୟକ ଯନ୍ତ୍ରୀ ତିରୁପତି ଭେଙ୍କଟେଶ୍ବର ପାଣି, କାମାକ୍ଷାନଗର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ପାତ୍ର, ଯାଜପୁର କ୍ଷୁଦ୍ର ଜଳସେଚବ ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସିଂହ, ବଳରାମପୁର, ଜଗତସିଂହପୁରର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ବିଶ୍ବାଳ, ମାଥିଲି ବ୍ଲକ୍‌ର ସାରଙ୍ଗପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ନାୟକ, ନବରଙ୍ଗପୁର ପାପଡ଼ାହାଣ୍ଡିର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାତ୍ର ଓ ଟମ୍‌ ସ୍କୁଲ୍‌ର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ହରିଜନ, କନ୍ଧମାଳର କୋଡ଼ଗଡ଼ ବ୍ଲକ୍‌ ଏସ୍‌ଇସି ଆଦାରି ନିୟୁ ପ୍ରାଇମେରି ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁଚରଣ ଡିଗଲ୍‌, କୋଦଳା ତହସିଲ୍‌ ଅଫିସ୍‌ର ଆର୍‌ଇ ମଙ୍ଗୁଳୁ ନାଏକ, ଶାଳପଡ଼ା ସ୍ବତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟର ଆର୍‌ଆଇ ଶରତ ଚନ୍ଦ୍ର ସେଠୀ, ବୌଦ୍ଧ ପୁରୁଣା କଟକ ସିଏଚ୍‌ସିର ପୂର୍ବତନ ଫାର୍ମାସିଷ୍ଟ ସନ୍ତୋଷ କୁମାର ପଣ୍ଡା, ଇଚ୍ଛାପୁର ହାଇସ୍କୁଲ୍‌ର କନିଷ୍ଠ କିରାଣି ନକୁଳ କୁମାର ଖମାରୀ, ବୌଦ୍ଧ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ବୀରେନ୍ଦ୍ର କୁମାର ପଣ୍ଡା ଓ କୋରାପୁଟ ନନ୍ଦପୁର ବ୍ଲକ୍‌ର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ।

ସମ୍ବନ୍ଧିତ ଖବର