ଆମେ ପ୍ରସ୍ତୁତ ଅଛୁ; ଖୁବ୍‌ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀ ତାଲିକା: ନବୀନ

ନବୀନ ନିବାସରେ ତିନି ବିଜେଡି ସାଂସଦ ନବୀନଙ୍କୁ ଭେଟିଲେ

ଭୁବନେଶ୍ୱର: ଗତ କାଲି ନିର୍ବାଚନ କମିସନ୍‌ ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ପରେ ସବୁ ରାଜନୈତିକ ଦଳର ଗତିବିଧି ଚଳଚଞ୍ଚଳ ହୋଇଉଠିଛି । ଏ ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ନିର୍ବାଚନ ଲାଗି ଆମେ ପ୍ରସ୍ତୁତ ଅଛୁ ଓ ଖୁବ୍‌ ଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବିଜେଡି ପ୍ରକାଶ କରିବ।

ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଆଜି ଠାରୁ ଆରମ୍ଭ କରିଛି ‘ହକ୍‌ ମାଗିଛି ଓଡ଼ିଶା’ ଅଭିଯାନ। ବିଜୁ ଜନତା ଦଳ ପୂର୍ବ ନିର୍ବାଚନ ଭଳି ଏଥର ମଧ୍ୟ କେନ୍ଦ୍ର ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀକୁ ଓହ୍ଲାଇଛି। କେନ୍ଦ୍ରର ବିଜେପି ସରକାର ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ କରି ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ରାଜ୍ୟବ୍ୟାପୀ ‘ହକ୍‌ ମାଗୁଛି ଓଡ଼ିଶା’ ଅଭିଯାନ ଆରମ୍ଭ କରିଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଦଳ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଦଳର ସଭାପତିଙ୍କୁ ନବୀନ ନିବାସରେ ତିନି ଜଣ ବିଜେଡି ସାଂସଦ ସାକ୍ଷାତ କରିଛନ୍ତି। କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବରଗଡ଼ ସାଂସଦ ପ୍ରଭାସ ସିଂ ଏବଂ ଯାଜପୁର ସାଂସଦ ରୀତା ତରାଇ ଭେଟିଛନ୍ତି।

ତାରିଖ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଟିକଟ ଆଶାୟୀଙ୍କ ଭିଡ ବଢିଥିବା ଦେଖାଯାଇଛି। ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର ଆଜି ବିଜେଡି ସଭାପତିଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

ସମ୍ବନ୍ଧିତ ଖବର