ସୀମାନ୍ତରେ ପୁଣି ନକ୍ସଲ ହିଂସା : ଯବାନଙ୍କ ଗଳାକାଟି ନିର୍ମମ ହତ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ରକ୍ତରେ ହୋଲି ଖେଳିଛନ୍ତି ମାଓବାଦୀ। କିଛି ଦିନର ନିରବତା ପରେ ବର୍ବରକାଣ୍ଡ ଘଟାଇ ଆତଙ୍କ ସୃଷ୍ଟି ପାଇଁ ପ୍ରୟାସ କରିଛନ୍ତି। ଗତକାଲି ରାତିରେ ଜଣେ ଡିଆରଜି ଯବାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସୂଚନା ଅନୁଯାୟୀ, ଅର୍ଗଟା ଗାଁର ଡିଆର୍‌ଜି ଯବାନ ରାକେଶ ପୂର୍ବରୁ ନକ୍ସଲଙ୍କ ଟାର୍ଗେଟରେ ରହିଥିଲେ। ଏଥିପାଇଁ ସୁଯୋଗ ଅପେକ୍ଷାରେ ରହି ଗତିବିଧି ଉପରେ ନକ୍ସଲ ନଜର ରଖିଥିଲେ। ଗତକାଲି ରାତିରେ ସେହି ସୁଯୋଗ ମିଳିଥିଲା। କାର୍ଯ୍ୟକ୍ଷେତ୍ରରୁ ରାକେଶ ଏକୁଟିଆ ନିଜ ଗାଁକୁ ଫେରିବା ସମୟରେ ଜଙ୍ଗଲିଆ ରାସ୍ତାରେ ଆମ୍ବୁସ୍ ଲଗାଇ ବସିଥିବା ନକ୍ସଲ ତାଙ୍କୁ ଘେରି ଯାଇଥିଲେ। ଖସି ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ରାକେଶ ପାରି ନଥିଲେ। ନକ୍ସଲ ତାଙ୍କୁ କାବୁ କରିବା ପରେ ବିଚ୍ ରାସ୍ତାରେ ନିର୍ଯାତନା ଦେଇଥିଲେ। ଦରମରା କରି ତଳେ ପକାଇ ଦେଇ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଚାଲି ଯାଇଥିଲେ।

ରାତି ସୁଦ୍ଧା ରାକେଶ ଘରକୁ ଫେରି ନଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା। ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଆଜି ସକାଳୁ ସକାଳୁ ଖୋଜାଖୋଜି ଆରମ୍ଭ କରିଥିଲେ। ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ରକେଶଙ୍କ ଶବ ପଡ଼ିଥିବା ପରିବାର ଲୋକ ଦେଖିଥିଲେ। ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳକୁ ପୁଲିସ ସିଲ୍ କରିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛି। ଜଣେ ଯବାନଙ୍କୁ ନକ୍ସଲ ଏମିତି ହତ୍ୟା କରିବା ଘଟଣା ହଇଚଇ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର