ସାପ୍ତାହିକ ବଜାରରେ କରୋନା କଟକଣାକୁ ଅଣଦେଖା

ସଚେତନ କରିବାକୁ ଯାଇ ନାକେଦମ ପ୍ରଶାସନ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଶନିବାର ସପ୍ତାହିକ ବଜାର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ ଦେଖିଲେ ଲାଗୁଥିଲା ସରକାରଙ୍କ କଟକଣା ଏଠାରେ ପାଣିର ଗାର। ମେଳାର ଭ୍ରମ ସୃଷ୍ଟି କରୁଥିଲା ହାଟ। ଲୋକଙ୍କୁ ସଚେତନ କରିବା ଏବଂ ଭିଡ଼ ହଟାଇବାକୁ ଯାଇ ପ୍ରଶାସନ ଓ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। କରୋନା ହୁ ହୁ ହୋଇ ମାଡ଼ୁଥିବା ବେଳେ ରେଢ଼ାଖୋଲ ଅଞ୍ଚଳର ଲୋକଙ୍କ ବେପରୁଆ ମନୋଭାବ ଜିଲ୍ଲାରେ ସଂକ୍ରମଣର ବିସ୍ଫୋରଣ ଆଶଙ୍କା ସୃଷ୍ଟି କରିଛି।

ପ୍ରତି ସପ୍ତାହର ଶନିବାର ରେଢ଼ାଖୋଲଠାରେ ସାସ୍ତାହିକ ବଜାର ହୋଇଥାଏ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଏହି ସସ୍ତାହିକ ବଜାରକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଜି ପରିବା ବଜାରକୁ ସ୍ଥାନୀୟ କଦମ୍ବ ପଡ଼ିଆଠାରେ ଏବଂ କପଡା, ମନୋହରି ଅନ୍ୟାନ୍ୟ ସାମଗ୍ରୀକୁ ଭୀମ ଭୋଇ କଲେଜ ନିକଟରେ ବସାଇବାକୁ ସ୍ଥିର କରାଯାଇ ଥିଲା। ନିଷ୍ପତ୍ତି ଅନୁଯାୟୀ ସକାଳୁ ସକାଳୁ କଦମ୍ବ ପଡ଼ିଆଠାରେ ପରିବା ବଜାର ଆରମ୍ଭ ହୋଇଥିଲା। ହେଲେ ପରିବା ବଜାରରେ ସକାଳ ୯ ଟା ବେଳକୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥଲା। ପୂର୍ବାହ୍ନ ୧୧ଟା ବେଳକୁ ଭିଡ଼ ନିୟନ୍ତ୍ରଣ ବାହାରକୁ ପଳାଇଥିଲା। ଭିଡ଼ ହଟାଇବାକୁ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା।

ଏପରିକି ବଜାର ଭିତରେ ଦୋକାନୀଙ୍କ ସମେତ ଗ୍ରାହକମାନେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବା ଏକ ପ୍ରକାଶ ମୁସ୍କିଲ ହୋଇ ପଡ଼ିଥିଲେ। କିଛି ଗ୍ରାହକ ଓ ଦୋକାନୀ ମାସ୍କ ପିନ୍ଧିଥିଲେ ସତ ହେଲେ ତାହା ନାକ ତଳକୁ ଝୁଲିଥିଲା। ସେହିପରି ସହରର ମେଡିକାଲ ଛକ, ଭୀମଭୋଇ ଛକ ସମେତ ରଥ ସାହି ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପରିବା ବଜାରରେ ଭିଡ଼ ଦେଖି ତହସିଲଦାର ବ୍ରେସିୟସ ଡୁଙ୍ଗଡୁଙ୍ଗ, ଅତିରିକ୍ତ ତହସିଲଦାର ଅମୂଲ୍ୟ ବାଘଙ୍କ ସମେତ ଏନଏସି କର୍ମଚାରୀମନେ ଭିଡ଼କୁ ଆୟତ୍ତ କରିବାରେ ଅସହାୟ ହୋଇପଡ଼ିଥିଲେ। ଉପଜିଲ୍ଲାପାଳ ପବିତ୍ର ବେହରୋ ମଧ୍ୟ ବଜାରରେ ଉପସ୍ଥିତ ରହି ସଚେତନତା କରୁଥିବା ଦେଖାଯାଇଥିଲା।

ସେପଟେ ଆଜି ରେଢ଼ା‌ଖୋଲ ସହରର ସଚେତନ ନାଗରିକମାନେ ଏଭଳି ପରିସ୍ଥିତିରେ ହାଟ ବଜାର ବସିଲେ କରୋନା ସଂକ୍ରମଣ ହୁହୁ ହୋଇ ବଢିବ ବୋଲି ମତପ୍ରକାଶ କରିଛନ୍ତି। ଘଟଣାକୁ ନେଇ ଉପଜିଲ୍ଲାପାଳ କହିଥିଲେ, ଆସନ୍ତା ଥର ଏଥିପ୍ରତି ଦୃଷ୍ଟି ଦିଆଯିବ। ଦରକାର ପଡ଼ିଲେ କପଡ଼ା ବଜାରକୁ ବନ୍ଦ କରି କେବଳ ପରିବା ବଜାରକୁ  ଉଭୟ ସ୍ଥାନରେ ବସିବାକୁ ସୁଯୋଗ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର