ବିଜେଡିକୁ ଫେରିବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ!

କାର୍ଯ୍ୟାଳୟରୁ ହଟିଲା ବିଜେପି ସାଇନ୍ ବୋର୍ଡ, ‘ଯାହା ନିଷ୍ପତ୍ତି ନେବି ସମସ୍ତେ ଜାଣିବେ’

ବାଲେଶ୍ବର/ନୀଳଗିରି: ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ପୁଣି ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏପରିକି ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୁଆଡ଼େ ପଠାଇ ସାରିଥିବା କୁହାଯାଉଛି। ଯଦିଓ ଏ ସଂକ୍ରାନ୍ତରେ ସୁକାନ୍ତ ନିଜ ମତ ରଖିଛନ୍ତି, କିନ୍ତୁ ହଁ କି ନା ସେ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି। କେବଳ ଏତିକି କହିଛନ୍ତି, ଏବେ ତ ମୁଁ ବିଜେପିରେ ଅଛି। ଯଦି ବିଜେଡି ଯିବି, ସମସ୍ତେ ଜାଣିବେ। ମୋ ସମର୍ଥକମାନଙ୍କୁ ନେଇ ବୈଠକ କରିବି। ତା’ ପରେ ଯାହା ହେବ ଜଣାଇବି। ଯଦି ମୋ ସମର୍ଥକ କୁହନ୍ତି, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ବି ନେଇପାରେ।

ଅନ୍ୟପକ୍ଷରେ ନୀଳଗିରିରେ ତାଙ୍କ କାର୍ଯ୍ୟାଳୟରୁ ବିଜେପି ବ୍ୟାନର୍‌, ପୋଷ୍ଟର, ସାଇନ୍‌ବୋର୍ଡ ସବୁ ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଶ୍ରୀ ନାୟକ ବିଜେପି ଛାଡ଼ିବା ନେଇ ସେ ମଧ୍ୟ ବିଭିନ୍ନ ମହଲରୁ ଶୁଣିବାକୁ ପାଉଛନ୍ତି। ସେ ନିଜେ ତାଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ତାଙ୍କ ସହ ଦଳର କୌଣସି ନେତୃବୃନ୍ଦଙ୍କ ମନୋମାଳିନ୍ୟ ନାହିଁ। ଯଦି ସେ ଏଭଳି ନିଷ୍ପତ୍ତି ନେବେ, ତା’ ହେଲେ ଐତିହାସିକ ଭୁଲ ହେବ। ନୀଳଗିରିରେ ବର୍ତ୍ତମାନ ଦଳୀୟ ସଂଗଠନ ବେଶ ମଜବୁତ ଅଛି। ସେ ଯଦି ଦଳ ଛାଡ଼ିବେ, ଆମେ ଆଉ ଜଣେ ନୂଆ ଚେହେରାଙ୍କୁ ମଇଦାନରେ ଅବତୀର୍ଣ୍ଣ କରାଇବୁ ଓ ବହୁ ଭୋଟ୍‌ରେ ଜିତିବୁ। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ଅଧୀନରେ ଇଞ୍ଜିନିୟର ଥିବା ଶ୍ରୀ ନାୟକ ୨୦୧୪ରେ ଚାକିରି ଛାଡ଼ି ନୀଳଗିରିରୁ ବିଜେଡି ଟିକେଟରେ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ରେ ଶ୍ରୀ ନାୟକ ଆଉ ଥରେ ଟିକେଟ ନ ପାଇବାର ଆଶଙ୍କା କରି ବିଜେପିରେ ମିଶିଥିଲେ। ଦଳ ମଧ୍ୟ ତାଙ୍କୁ ସେଠାରୁ ପ୍ରାର୍ଥୀ କରିଥିଲା ଓ ସେ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ହରାଇ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର