ବଦ୍ରି, ଜଗନ୍ନାଥଙ୍କୁ ଟିକଟ: ଦ୍ବନ୍ଦ୍ବରେ ମୀନାକ୍ଷୀ, ଭାଗୀରଥି

କେନ୍ଦୁଝର: ବିଜେଡି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କେନ୍ଦୁଝର ଜିଲ୍ଲାର ଘସିପୁରା ଓ ପାଟଣା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଉଭୟ ସ୍ଥାନରେ ଦଳ ପୂର୍ବ ଚେହେରାକୁ ଦୋହରାଇଛି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କୁ ଦଳ ଟିକେଟ ଦେଇଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନାମ ନଥିବାରୁ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଓ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ଦ୍ବନ୍ଦ୍ବ ବଢ଼ିଛି।

ଘସିପୁରା ନିର୍ବାଚନମଣ୍ଡଳୀରୁ କିଏ ପ୍ରାର୍ଥୀ ହେବ ‌ସେନେଇ ଚର୍ଚ୍ଚା ଲାଗି ରହିଥିଲା। କେତେବେଳେ ବଦ୍ରିନାରାୟଣ ପାତ୍ର ତ ଆଉ କେତେବେଳେ ତାଙ୍କ ପୁଅ ଦେବାଶିଷ ପାତ୍ର କିମ୍ବା ଅନ୍ୟ କାହାକୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଥି‌ଲେ। ଶେଷରେ ବଦ୍ରିନାରାୟଣଙ୍କ ଉପରେ ଦଳର ସୁପ୍ରିମୋ ଆସ୍ଥା ପ୍ରକଟ କରିଛନ୍ତି। ସେ ଟିକେଟ ପାଇଛନ୍ତି। ସେହିପରି ମେଣ୍ଟ ଚର୍ଚ୍ଚା ବେଳେ ପାଟଣା ନିର୍ବାଚନମଣ୍ଡଳୀ ବିଜେପି ହାତକୁ ଚାଲିଯିବ ବୋଲି ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ବିଧାୟକ ଜଗନ୍ନାଥ ନାଏକ କିଛିଦିନ ଚାପରେ ଥିଲେ। ଦଳର ସୁପ୍ରିମୋ ଦ୍ବିତୀୟଥର ପାଇଁ ଜଗନ୍ନାଥଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଟିକଟ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷ‌ରେ ଜିଲ୍ଲାର ତେଲକୋଇ, ଆନନ୍ଦପୁର ଏବଂ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇଂ. ‌ପ୍ରେମାନନ୍ଦ ନାଏକ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବାରୁ ଏଠାରେ ଦଳ ନୂଆ ପ୍ରାର୍ଥୀ ଦେବା ସ୍ପଷ୍ଟ ହୋଇଛି। ସେହିପରି ଚମ୍ପୁଆ ନିର୍ବାଚନମଣ୍ଡଳୀରେ ବିଜେଡିର ମୀନାକ୍ଷୀ ମହାନ୍ତ ବିଧାୟିକା ଅଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କିନ୍ତୁ ମୀନାକ୍ଷୀଙ୍କ ନାମ ନାହିଁ। ଏହି ଆସନ ପାଇଁ ମୀନାକ୍ଷୀଙ୍କ ବ୍ୟତୀତ ବିଜେଡିର ବରିଷ୍ଠ ନେତା କୁଶ ଆପଟ୍ଟ, ଜଗଦୀଶ ସାହୁଙ୍କ ‌ସମେତ ଆଉ କିଛି ଆଶାୟୀ ଅଛନ୍ତି। ପୂର୍ବତନ ବିଧାୟକ ସନାତନ ମହାକୁଡ଼ ବିଜେଡିରେ ମିଶିବେ ନା ବିଜେପିକୁ ଯିବେ ତାହା ଏଯାଏ ଜଣାପଡ଼ିନି। ଏହି କାରଣରୁ ହୁଏତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନଥିବା କୁହାଯାଉଛି। ସେହିପରି ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ଏହି ପ୍ରାର୍ଥୀ ତାଲିକାରେ ନାମ ନାହିଁ। ଅର୍ଥାତ୍‌ ଏହି ଆସନକୁ ନେଇ ମଧ୍ୟ ଦଳର ଶୀର୍ଷ ନେତୃତ୍ବ ଦ୍ବନ୍ଦ୍ବରେ ଥିବା ଓ ପ୍ରାର୍ଥୀ ବଦଳାଇବା କଥା ଚିନ୍ତା କରୁଥିବା ଅନୁମାନ କରଯାଉଛି। ଏଭଳି ସ୍ଥିତିରେ ହାଟଡିହି ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀ ଅଭିମନ୍ୟୁ ସେଠୀଙ୍କ ସମେତ ଏକାଧିକ ଆଶାୟୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।

ସମ୍ବନ୍ଧିତ ଖବର