ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’

କଟକ: କର୍ତ୍ତବ୍ୟରତ ଜଣେ ପୁଲିସ କନଷ୍ଟେବଳଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ଶବକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ପତ୍ନୀ ଓ ମା’ ତାଙ୍କ ଶବ ନେବାକୁ ଦାବି କରିଥିଲେ। ଏହି ଘଟଣାକୁ ନେଇ ୩ ଘଣ୍ଟା କାଳ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶେଷରେ ପୁଲିସ ମଧ୍ୟସ୍ଥତା କରି ମୃତକଙ୍କ ମା’ଙ୍କୁ ଶବ ହସ୍ତାନ୍ତର କରିଛି।

ସୂଚନା ଅନୁଯାୟୀ, ଫୁଲନଖରା ଟ୍ରାଫିକ ଥାନାରେ କନଷ୍ଟେବଳ ଭାବେ ଗଲା ଦୁଇ ବର୍ଷ ହେବ ଅଭୟ କୁମାର ବେହେରା(୩୨) କାର୍ଯ୍ୟ କରୁଥିଲେ। ଖୋର୍ଧା ଜିଲ୍ଲା ବେଗୁନିଆର ଅଭୟ ପରିବାର ସହିତ କଟକରେ ରୁହନ୍ତି। ଗଲା ୨୩ ତାରିଖ ରାତି ପ୍ରାୟ ୯ଟା ବେଳେ ଜାତୀୟ ରାଜପଥର ଗୋପାଳପୁର ନିକଟରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଡ୍ୟୁଟିରେ ଅଭୟ ଥିଲେ। ପିସିଆର ଭ୍ୟାନର ପଛପଟେ ବସିଥିବା ଅଭୟ ଗାଡ଼ିରୁ ଓହ୍ଲାଇବା ସମୟରେ ପଛ ପଟ ମୁଣ୍ଡ ତଳେ ମାଡ଼ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ନ୍ୟୁ ସର୍ଜରି ଆଇସିୟୁର ୧୧ ନମ୍ବର ବେଡରେ ଭର୍ତ୍ତି କରାଯାଇଥିଲା। କୋମାରେ ଥିବା ବେଳେ ୨୬ ତାରିଖ ରାତି ପ୍ରାୟ ୧୧ଟା ବେଳେ ବଡ଼ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଧବାର ଦିନ ପ୍ରାୟ ୧୧ଟା ବେଳେ ମଙ୍ଗଳାବାଗ ଥାନା ପୁଲିସ ଶବର ପଞ୍ଚନାମା କରୁଥିବା ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। କଟକରେ ଅଭୟଙ୍କ ସହିତ ରହୁଥିବା ଦ୍ବିତୀୟ ପତ୍ନୀ ଶବକୁ ନେବାକୁ ଦାବି କରିଥିଲେ। ସେହିଭଳି ତାଙ୍କ ପ୍ରଥମ ପତ୍ନୀ ମଧ୍ୟ ପହଞ୍ଚି ଶବ ପାଇଁ ଦାବିଦାର ବୋଲି କହିଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ମା’, ଭଉଣୀ ଓ ଭିଣୋଇ ପହଞ୍ଚି ଶବ ନେବାକୁ ଅଡ଼ି ବସିଥିଲେ। ତିନି ପକ୍ଷ ବଡ଼ ଡାକ୍ତରଖାନାରେ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାକୁ ନେଇ ମଙ୍ଗଳାବାଗ ଥାନା ପୁଲିସ ଅକଳରେ ପଡ଼ିଯାଇଥିଲା। ଜୋନ୍‌ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଓ ମଙ୍ଗଳାବାଗ ଥାନା ଆଇଆଇସି ଉମାକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଏହି ବିବାଦର ସମାଧାନ କରିବାକୁ ଉଦ୍ୟମ କରିଥିଲେ। ଅପରାହ୍ଣ ଦୁଇଟା ଯାଏ ବଡ଼ ଡାକ୍ତରଖାନାରେ ବିବାଦ ଲାଗି ରହିଥିଲା। ଶେଷରେ ଅଭୟଙ୍କ ମା’ ଅହଲ୍ୟାଙ୍କୁ ଶବ ବ୍ୟବଚ୍ଛେଦ ପରେ ଦିନ ପ୍ରାୟ ୨ଟା ୩୦ ବେଳେ ପୁଲିସ ଶବ ହସ୍ତାନ୍ତର କରିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଅଭୟ ୨୦୧୬ରେ ପୁରୀ ଜିଲ୍ଲାରେ ପୁଲିସ ବିଭାଗର ଓୟାରଲେସ ଟେଲିଫୋନିକରେ କାର୍ଯ୍ୟ କରୁଥିବା ଦେବସ୍ମିତା ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ଅଭୟଙ୍କ ଏକ ପୁଅ ବି ଅଛି। ବିବାହର ଏକ ବର୍ଷରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଅଭୟ ଛାଡ଼ପତ୍ର ପାଇଁ ପରିବାର ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏହି ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ୨୦୧୭ରେ ସେ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ପତ୍ନୀଙ୍କ ସହିତ ସେ କଟକରେ ରହୁଥିଲେ। ଫୁଲନଖରା ଟ୍ରାଫିକ ଥାନାରେ ଗଲା ଦୁଇ ବର୍ଷ ହେବ ଚାକିରି କରିବା ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର