ମୟୂରଭଞ୍ଜ ଲୋକସଭା ଆସନ: ମୟୂରଭଞ୍ଜରେ ନବ-ସୁଦାମ ଲଢ଼େଇ

ଅନିଶ୍ଚିତତାରେ ବିଶ୍ବେଶ୍ବର ଓ ଦେବାଶିଷଙ୍କ ଭବିଷ୍ୟତ

ବାରିପଦା: ଲୋକସଭା ନିର୍ବାଚନ ପାଇଁ ମୟୂରଭଞ୍ଜରେ ଏଥର ପ୍ରାର୍ଥୀ ବଦଳାଇଛି ବିଜେପି। ୧୯ ନିର୍ବାଚନରେ ଦଳୀୟ ଟିକେଟ୍‌ରେ ସାଂସଦ ହୋଇ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଥିବା ବିଶ୍ବେଶ୍ବର ଟୁଡୁଙ୍କୁ ଏଥର ବାଦ୍‌ ଦେଇ ତାଙ୍କ ସ୍ଥାନରେ ଗତ ନିର୍ବାଚନରେ ରାଇରଙ୍ଗପୁର ଆସନରୁ ପ୍ରଥମଥର ବିଧାୟକ ବନିଥିବା ନବଚରଣ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଛି। କାଉନ୍‌ସିଲରରୁ ରାଜନୀତି ଜୀବନ ଆରମ୍ଭ କରିଥିବା ନବଙ୍କୁ ବିଜେପି ଭରସା କରିଛି। ଏପରିକି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ୍‌ କାଟିଛି ଦଳ। ଗତଥର ଭଳି ଏଥର ବି ମୟୂଭରଞ୍ଜବାସୀଙ୍କର ବିଜେପି ପ୍ରତି ଆଶୀର୍ବାଦ ରହିବ ଓ ସେ ବିଜୟୀ ହେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ନବଚରଣ। ତେବେ ନବଙ୍କୁ ଟିକେଟ୍‌ ମିଳିବା ପରେ ବିଶ୍ବେଶ୍ବରଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ବିଶ୍ବେଶ୍ବର ବିଜେପିର ଜଣାଶୁଣା ଚେହେରା ହୋଇଥିବାରୁ ତାଙ୍କୁ ବିଧାନସଭା ଟିକେଟ୍‌ ଦିଆଯିବ ବୋଲି କୁହାଯାଉଛି। ତେବେ ସେ େକଉଁ ଆସନରେ ପ୍ରାର୍ଥୀ ହେବେ, ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ୨୦୧୯ରେ ବିଜେଡି ଟିକେଟ୍‌ରୁ ଲୋକସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ଡାକ୍ତର ଦେବାଶିଷ ମାରାଣ୍ଡିଙ୍କୁ ଦଳ ଏଥର ପୁଣି ରିପିଟ୍‌ କରିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଆଜି ପ୍ରାର୍ଥୀ ତାଲିକା ଘୋଷଣା ପରେ ଦେବାଶିଷଙ୍କ ଆଶା ମଉଳି ଯାଉଛି। ତାଙ୍କ ବଦଳରେ ବିଜେଡିର ଟାଣୁଆ ନେତା ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ସୁଦାମ ମାରାଣ୍ଡି ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ନବଙ୍କୁ ଚେକ୍ ଦେବା ପାଇଁ ସୁଦାମଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ଦିଲ୍ଲୀ ପଠାଯିବାର ନିଷ୍ପତ୍ତି ବିଜେଡିର ଏକ ସଫଳ ଗୋଟି ଚାଳନା ବୋଲି କୁହାଯାଉଛି। ହେଲେ ଦଳ ଦେବାଶିଷଙ୍କୁ କେଉଁଠି ଥଇଥାନ କରିବ, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର