ରତ୍ନଭଣ୍ଡାର ଖୋଲିଲା ବେଳେ ସ୍ନେକ ହେଲପ୍‌ ଲାଇନ୍‌ର ସହଯୋଗ ନନିଆଯାଇପାରେ: ଏସ୍‌.ପି. ସାର୍ଥକ ଷଡ଼ଙ୍ଗୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିଲା ବେଳେ ସ୍ନେକ ହେଲପ୍‌ ଲାଇନ୍‌ର ସହଯୋଗ ନନିଆଯାଇପାରେ ବୋଲି ପୁରୀ ଏସ୍‌.ପି. ଡ. ସାର୍ଥକ ଷଡ଼ଙ୍ଗୀ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷକୁ ୫ଥର ବେହେରାଣ ଦ୍ୱାର ଖୋଲାଯାଇ ଥାଏ। ତେଣୁ ସେଠାରେ ସାପ ରହିବାର ସମ୍ଭାବନା ନାହିଁ। ଆଗାମୀ ଏପ୍ରିଲ ୨ରେ ସୁରକ୍ଷା ସମ୍ପର୍କିତ ଚୂଡ଼ାନ୍ତ ବୈଠକ ବସିବ। ମନ୍ଦିର ପରିଚାଳନା କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଷଡ଼ଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ, ଆଗାମୀ ଏପ୍ରିଲ ୪ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବ। ଏ ନେଇ ରାଜ୍ୟ ସରକାର ଅନୁମତି ଦେଇ ସାରିଛନ୍ତି। ମାତ୍ର ରତ୍ନଭଣ୍ଡାର ବହୁବର୍ଷ ହେବ ବନ୍ଦ ଥିବାରୁ ଏହାରି ଭିତରକୁ ପ୍ରବେଶ କରିବା ପୂର୍ବରୁ କ’ଣ ସବୁ ସତର୍କ ମୂଳକ ପଦକ୍ଷେପ ନିଆଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ମୁଣ୍ଡ ବ୍ୟଥା ହୋଇଛି। ପୁରୀର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ପ୍ରଭୁ ଲୋକନାଥ। ତାଙ୍କର ପ୍ରିୟ ଅଳଙ୍କାର ହେଉଛି ନାଗ ସାପ। ବାବା ଲୋକନାଥଙ୍କ ପ୍ରକୃତ ଆତ୍ମା ରତ୍ନଭଣ୍ଡାରରେ ଥାଏ ପୂର୍ବ ପୁରୁଷମାନେ କହିଥାନ୍ତି। ସେ ଯାହାବି ହେଉ ଯେହେତୁ ବହୁ ବର୍ଷ ହେବ ରତ୍ନଭଣ୍ଡାର ବନ୍ଦ ଅଛି ଏହାରି ଭିତରକୁ ପ୍ରବେଶ କରିବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନିହାତି ଦରକାର।

ରତ୍ନ ଭଣ୍ଡାର ଖୋଲି ଭିତିର ସ୍ଥିତି ଅନୁଧ୍ୟାନ ପାଇଁ ପ୍ରସ୍ତୁତି ଚାଲିଛି। ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂପର୍କିତ ମାମଲା ଶୁଣାଣି ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ତଥ୍ୟ ରଖାଯାଇଛି। ଅନ୍ୟପଟେ ଶ୍ରୀ ମନ୍ଦିରର ଜଗମୋହନ କେବେ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ ସେ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସ୍ପଷ୍ଟ କରିବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମରାମତି ପାଇଁ ବନ୍ଦ ଥିବା ଜଗମୋହନ କେବେ ଖୋଲିବ ସେ ନେଇ ଏପ୍ରିଲ ୫ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଅବଗତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ୧୯୮୪ରେ ଶେଷ ଥର ଲାଗି ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏବେ ରତ୍ନ ଭଣ୍ଡାରର ସ୍ଥିତି କଣ ରହିଛି ତାହା ଯାଞ୍ଚ କରାଯିବା ଆବଶ୍ୟକ। ଯାଞ୍ଚ ପରେ ଯଦି ମରାମତି ଆବଶ୍ୟକ ଥାଏ ତେବେ ଏଥିପାଇଁ ଏଏସ୍‌ଆଇ ପଦକ୍ଷେପ ଗ୍ରହଣ କରିବ। ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ସଂପାଦନ ପରେ ଜଗମୋହନ ଦେଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ଓ ନାଟମଣ୍ଡପ ସଂରକ୍ଷଣ କାର୍ଯ୍ୟ ହେବ। ଦୁର୍ବଳ ହୋଇ ପଡିଥିବା ନାଟମଣ୍ଡପର ମରାମତି ଜଗମୋହନ ଖୋଲିବା ପରେ ହେବ ବୋଲି ପ୍ରଶାସନ ଗୋଟିଏ ପଟେ କହିଥିବା ବେଳେ ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ ଓ ଆବଶ୍ୟକ ମରାମତି ପରେ ଜଗମୋହନ ଖୋଲିବା ସମ୍ଭବ ହେବ ବୋଲି ଅନ୍ୟପଟେ ଯୁକ୍ତି ରଖିଥିଲା। ଏପରି ପରିସ୍ଥିତିରେ କେବେ ରତ୍ନ ଭଣ୍ଡାର ଖୋଲିବ ଓ କେବେ ଏହାର ସ୍ଥିତି ଅନୁଧ୍ୟାନ କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ। ମରାମତି କାର୍ଯ୍ୟ ସରିଥିବା ଜଗମୋହନ କେବେ ଖୋଲିବ ଓ କେବେ ନାଟ ମଣ୍ଡପ ମରାମତି କାମ ଆରମ୍ଭ ହେବ ତା’ ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଥିଲେ।

 

ସମ୍ବନ୍ଧିତ ଖବର