ଅସୁରଘାଟୀ ଜଳପ୍ରପାତକୁ ନାହିଁ ଭଲ ରାସ୍ତା; ଅବସ୍ଥା ଶୋଚନୀୟ, ପଡୁନି ପ୍ରଶାସନର ନଜର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକରେ ଅଛି ଅସୁରଘାଟୀର ମଣିଭଦ୍ରା ଜଳପ୍ରପାତ ଯାହା ଏବେ ଅବହେଳିତ ଅବସ୍ଥାରେ। ଅସୁରଘାଟୀ ଯିବା ପାଇଁ ହେଲେ ରାଇରଙ୍ଗପୁରରୁ ଗୋରୁମହିଷାଣୀ ଯିବା ବାଟରେ ୧୨ କି.ମି ଯିବା ପରେ ପଡେ ଶୁଣ୍ଢଳ ଗ୍ରାମ। ଶୁଣ୍ଢଳ ଠାରୁ ଡାହାଣ ପଟ ମାଟି ରାସ୍ତା ଦେଇଗଲେ ପଡେ ବଡ଼ମୌଦା ଗ୍ରାମପଞ୍ଚାୟତର ହିକେଇସାହି ଗ୍ରାମ ଏବଂ ହିକେଇସାହିଠାରୁ ଜଙ୍ଗଲ ରାସ୍ତା ଦେଇ ମାତ୍ର ୩ କି.ମି ଗୋଲାପରେ ପଡେ ଅସୁରଘାଟୀ ଏବଂ ସେହି ଅସୁରଘାଟୀରେ ଅବସ୍ଥିତ ମଣିଭଦ୍ରା ଜଳପ୍ରପାତ। ଉକ୍ତ ଜଳପ୍ରପାତର ଉଚ୍ଚତା ୪୦ ରୁ ୫୦ ଫୁଟରୁ ଅଧିକ ହେବ ଏବଂ ଏହାର ଗଭିରତା ମଧ୍ୟ ୨୦ ଫୁଟରୁ ଅଧିକ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି କିନ୍ତୁ ବର୍ତ୍ତମାନ ଗୋରୁମହିଷାଣୀ ଘନଶ୍ୟାମ ମିଶ୍ର ଏଣ୍ଡ୍ ସନ୍ସ ପ୍ରା.ଲି ର ଲୁହା ପଥର ଉତଳନ ଫଳରେ ଉକ୍ତ ଝରଣାଟି ଧୀରେଧୀରେ ପୋତି ହୋଇଯାଉଥିବା ପ୍ରକାଶ କରିଛନ୍ତି।

ଏହା ବ୍ୟତୀତ ଉକ୍ତ ଜଳପ୍ରପାତ ପାର୍ଶ୍ୟରେ ଥିବା ସବୁଜ ବୃକ୍ଷ ଲତା ତଥା ବିଭିନ୍ନ ପ୍ରକାରର ଔଷଧୀୟ ଗଛ ମଧ୍ୟ ଲୁହାଖଣି ଉତ୍ତୋଳନ ଫଳରେ ଧୂଳି ଗୁଣ୍ଡରେ ପ୍ରଦୂଷିତ ହୋଇ ସବୁଜରୁ ନାଲି ରଙ୍ଗରେ ବଦଳି ଯାଇଛି। ତେବେ ଉକ୍ତ ସ୍ଥାନର ଏକ କିମ୍ବଦନ୍ତୀ ଅଛି। ଅଂଚଳବାସୀଙ୍କ ଠାରୁ ପ୍ରକାଶ ଯେ ଉକ୍ତ ପାହାଡ଼ରେ ପୂର୍ବରୁ ପ୍ରଭୁ ରାମଚନ୍ଦ୍ର ଗୋଟିଏ ଅସୁରକୁ ଏହି ସ୍ଥାନରେ ବୋଧ କରିଥିଲେ। ଏଣୁ ଉକ୍ତ ପାହାଡ଼କୁ ଅସୁରଘାଟୀ ବୋଲି ନାମକରଣ କରାଯାଇଛି। ଉକ୍ତ ସ୍ଥାନରେ ବର୍ତ୍ତମାନ ମଧ୍ୟ ପାହାଡ ଦେହରେ ୩୦ରୁ ୪୦ ଫୁଟ ଉଚ୍ଚର ହାଡ ଥିବା ଦେଖିବାକୁ ମିଳୁଛି।

ତେବେ କିଛି ବର୍ଷ ପୂର୍ବରୁ ଉକ୍ତ ହାଡର କିଛି ଅଂଶ ବିଦେଶୀମାନେ ଆସି ବିଦେଶକୁ ନେଇଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ମଧ୍ୟ କିଛି ଅଂଶ ଉକ୍ତ ସ୍ଥାନରେ ଥିବା ଦେଖିବାକୁ ମିଳୁଛି। ଜଳପ୍ରପାତ ପାର୍ଶ୍ବରେ ଥିବା ଏକ ଗୁମ୍ଫାରେ ରାମ ଓ ସୀତାଙ୍କ ପୂଜା କରାଯାଉଛି। ବର୍ଷରେ ଥରେ ହେଉଥିବା ରାମ ନବମୀରେ ଉକ୍ତ ପାହାଡ଼ରେ ଶହଶହ ଭକ୍ତଙ୍କ ଜନ ସମାଗମ ହୋଇଥାଏ। ସେଠାରେ କେହି ଭକ୍ତ ମାନସିକ କଲେ ତାହାର ମାନସିକ ମଧ୍ୟ ପୂରଣ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଉକ୍ତ ପ୍ରର୍ଯ୍ୟଟନ ସ୍ଥଳକୁ ବହୁ ପ୍ରର୍ଯ୍ୟଟକ, ନେତା ମନ୍ତ୍ରୀ ଓ ସରକାରୀ ବାବୁମାନେ ମଧ୍ୟ ଆସି ପଦିଦର୍ଶନ କରିଥାନ୍ତି। କିନ୍ତୁ ତାହା ଏବେ ଅବହେଳିତ ଅବସ୍ଥାରେ। ଉକ୍ତ ସ୍ଥାନକୁ ରାମନବମୀ ବ୍ୟତୀତ ନୂଆବର୍ଷ, ବଡ଼ଦିନ ସମେତ ଛୁଟିଦିନ ମାନଙ୍କରେ ପ୍ରର୍ଯ୍ୟଟକଙ୍କର ପ୍ରବଳ ଭିଡ ଜମିଥାଏ।

ଉକ୍ତ ସ୍ଥାନକୁ ଗମନା ଗମନ ପାଇଁ ରାସ୍ତାନ ଥିବାରୁ ହିକେଇସାହି ଗ୍ରାମବାସୀମାନେ ପ୍ରଥମେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ମାତ୍ର ୨ ଶହ ମିଟର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୫୦୦ ମିଟର ପାଖାପାଖି ରାସ୍ତା ପଥର ରାସ୍ତା ଅଛି। ଫଳରେ ପର୍ଯ୍ୟଟକ ମାନେ ବିପଦ ସଂଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ତେବେ ସୁଣ୍ଢଳଠାରୁ କାଟୁପିଟ ରାସ୍ତାରେ ପଡେ ଅସୁରଘାଟୀ। ଉକ୍ତ ରାସ୍ତାଟି ପ୍ରାୟ ୪/୫ ବର୍ଷ ପୂର୍ବରୁ ମରାମତି ହୋଇଥିଲା। ଫଳରେ ବର୍ତ୍ତମାନ ଉକ୍ତ ରାସ୍ତାରେ ବଡବଡ ମେଟାଲ୍ ଓ ଚିପ୍ସ ବାହାରି ପଡିଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏଣୁ ଯଥାଶୀଘ୍ର ଉକ୍ତ ରାସ୍ତାକୁ ପୁନଃ ନିର୍ମାଣ ପାଇଁ ୩ ଗ୍ରାମର ଗ୍ରାମବାସୀମାନେ ଦାବି କରିଛନ୍ତି। ତେବେ ଉକ୍ତ ସ୍ଥାନ ଓ ଜଳପ୍ରପାତକୁ ପ୍ରର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ ବୋଲି ଅଂଚଳବାସୀ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର