କ୍ଷୁଦ୍ର ଜଳସେଚନ ଯନ୍ତ୍ରୀଙ୍କ ଆୟବହିର୍ଭୂତ ସମ୍ପତ୍ତି ମାମଲା: ଶାଳୀର ଝୁମ୍ପୁଡ଼ି ଘରେ ଆଉ ୧.୪ କୋଟି

ଏଠି ବି ସ୍ବାମୀଙ୍କ ଅପରାଧରେ ଭାଗୀଦାର ‘ଦ୍ବିତୀୟ ପତ୍ନୀ’, ୩୬୦ ଗ୍ରାମ ସୁନା, କେଜିଏ ରୁପା, ୩ ମହଲା କୋଠା ଠାବ

ଭୁବନେଶ୍ବର: ସ୍ବାମୀଙ୍କ ଅପରାଧରେ ଭାଗୀଦାର ସାଜିଛନ୍ତି ଦ୍ବିତୀୟ ପତ୍ନୀ। ବହୁଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ବାଇଁର ଦ୍ବିତୀୟ ପତ୍ନୀ ଡାକ୍ତର କମଳା ତିର୍କୀଙ୍କର କଳା କାରନାମା ଲୋକଲୋଚନକୁ ଆସିବା ପରେ ଏବେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଦ୍ବିତୀୟ ପତ୍ନୀଙ୍କ ପେଡ଼ି ଖୋଲୁଛି। ଭୁବନେଶ୍ବର କଳିଙ୍ଗବିହାର ଟାଟା ଆରିଆନା ଫ୍ଲାଟରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଘରୁ ନଗଦ ୨କୋଟି ଟଙ୍କା ଜବତ ପରେ ଆଜି ସାଲିଆସାହି ବସ୍ତିର ଝୁମ୍ପୁଡ଼ି ଘରେ ରହୁଥିବା ଶାଳୀ ଉର୍ବଶୀ ପ୍ରଧାନଙ୍କ ଘରୁ ମିଳିଛି ୧ କୋଟି ୪୧ ଲକ୍ଷ ୬୨ ହଜାର ଟଙ୍କା। ଏହାସହ ୩୬୦ ଗ୍ରାମ ସୁନା ଅଳଙ୍କାର, କେଜିଏ ରୁପା ଅଳଙ୍କାର ମଧ୍ୟ ଠାବ କରାଯାଇଛି। ଏହାବ୍ୟତୀତ ପୋଖରୀପୁଟ କେଶରୀ ଇଷ୍ଟେଟରେ ୭୮ ଲକ୍ଷ ୫୦ ହଜାର ଟଙ୍କାରେ କିଣା ଯାଇଥିବା ଏକ ତିନି ତାଲା କୋଠା ଠାବ କରାଯାଇଛି। ଏହାର କାଗଜପତ୍ର ତଦନ୍ତକାରୀ ଟିମ୍ ଜବତ କରିଛି। ବେଆଇନ ସମ୍ପତ୍ତି ଠୁଳ କରିବା ପାଇଁ ପ୍ରବର୍ତ୍ତାଇବା, ଲୁଚାଇ ରଖିବା ଓ ଅପରାଧରେ ଭାଗୀଦାର ପାଇଁ ଦ୍ବିତୀୟ ପତ୍ନୀ କଳ୍ପନାଙ୍କୁ ଗିରଫ କରିଛି ଭିଜିଲାନ୍ସ। କୋର୍ଟଚାଲାଣ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

କ୍ଷୁଦ୍ର ଜଳସେଚନ ଯନ୍ତ୍ରୀଙ୍କ ଆୟବହିର୍ଭୂତ ସମ୍ପତ୍ତି ମାମଲା
ଏଠି ବି ସ୍ବାମୀଙ୍କ ଅପରାଧରେ ଭାଗୀଦାର ‘ଦ୍ବିତୀୟ ପତ୍ନୀ’
୩୬୦ ଗ୍ରାମ ସୁନା, କେଜିଏ ରୁପା, ୩ ମହଲା କୋଠା ଠାବ
ଫ୍ଲାଟ୍ ମାଲିକ ପ୍ରଥମ ଶ୍ରେଣୀ ଠିକାଦାର କିଏ?

ସେହିପରି ଆହୁରି କଳାଧନ ଲୁଚାଇ ରଖିଥିବା ସନ୍ଦେହରେ କାର୍ତ୍ତିକେଶ୍ବରଙ୍କ ଶାଳୀ ଉର୍ବଶୀ ଓ ପୁତୁରାକୁ ଜେରା କରାଯାଉଛି। କାର୍ତ୍ତିକେଶ୍ବର ଓ କଳ୍ପନାଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ଭିଜିଲାନ୍ସ। ଗତ ୪ ଦିନ ଧରି ଜାରି ରହିଥିବା ଚଢ଼ଉ ଓ ଟଙ୍କା ମିଳିବା ଘଟଣା ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି କୁହାଯାଉଛି।
ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। କଳ୍ପନା ରହୁଥିବା ଫ୍ଲାଟ୍‌ର ମାଲିକ ଜଣେ ପ୍ରଥମ ଶ୍ରେଣୀ ଠିକାଦାର ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ଠିକାଦାର ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ନୁହେଁ ତ? କାର୍ତ୍ତିକେଶ୍ବରଙ୍କ ସହ କେମିତି ସମ୍ପର୍କ ହେଲା? ଯୋଗାଯୋଗରେ ଆହୁରି କେତେ ଠିକାଦାର ଅଛନ୍ତି? ସେମାନଙ୍କଠାରୁ କେତେ ଅନୁକମ୍ପା ପାଇଛନ୍ତି କାର୍ତ୍ତିକେଶ୍ବର? ଏ ସବୁର ଖୋଳତାଡ଼ ଆରମ୍ଭ ହୋଇଛି। ଭିଜିଲାନ୍ସ ସୂଚନା ଅନୁସାରେ, ଆଜିର ଚଢ଼ଉ ପରେ ଏବେ ସୁଦ୍ଧା ମୋଟ୍ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ଉ ପରେ ଦ୍ବିତୀୟ ପତ୍ନୀ କଳ୍ପନା ତାଙ୍କ ପାଖରେ ଥିବା ବିପୁଳ ପରିମାଣର ଟଙ୍କା ଏୟାର୍‌-ବ୍ୟାଗ୍‌ରେ ପୂରାଇ ବିଭିନ୍ନ ଜାଗାରେ ଲୁଚାଇ ଦେଇଥିଲେ। ସାଲିଆସାହିରେ ରହୁଥିବା ଭଉଣୀ ଘରକୁ ଗୋଟିଏ ବ୍ୟାଗ୍‌, ସୁନା ଗହଣା ପଠାଇ ଦେଇଥିଲେ। ସେହିପରି କଳିଙ୍ଗବିହାରରେ ରହୁଥିବା ଟାଟା ଆରିଆନା ଫ୍ଲାଟରୁ ଆହୁରି ଦୁଇ ବ୍ୟାଗ୍‌ ଟଙ୍କା ଅନ୍ୟତ୍ର ଚାଲାଣ କରୁଥିବା ବେଳେ ଖବର ପାଇ ଭିଜିଲାନ୍ସ ଟିମ୍ ଗତ ଗୁରୁବାର ଚଢ଼ଉ କରି ଜବତ କରିଥିଲା। ଏବେ ସୁଦ୍ଧା କାର୍ତ୍ତିକେଶ୍ବରଙ୍କ ୭କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ଆହୁରି ଅଧିକ ମିଳିବ ବୋଲି ଆଶା କରାଯାଉଛି। ରିମାଣ୍ଡରେ ଆସି ଜେରା ପରେ ଗୁମର ଖୋଲିବ।

ଦ୍ବିତୀୟ ପତ୍ନୀଙ୍କ କଳା କାରନାମା
ବହୁଚର୍ଚ୍ଚିର ନକଲି ଡାକ୍ତର ରମେଶ ସ୍ବାଇଁ ନିଜକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ ପରିଚୟ ଦେଇ ଏକାଧିକ ବିବାହ କରିବା, ଦେଶର ବିଭିନ୍ନ ସ୍ଥାନ ବୁଲି ଠକେଇ କରିବା, ମେଡିକାଲ ଆଡମିସନ୍ ହେଉ କି ଅନ୍ୟ ସଙ୍ଗିନ ଠକେଇ ଭଳି ଅପରାଧରେ ସାହାଯ୍ୟ କରୁଥିଲେ ଦ୍ବିତୀୟ ପତ୍ନୀ କମଳା ତିର୍କୀ। ନିଜେ ଡାକ୍ତର ହୋଇ ମଧ୍ୟ ଜଣେ ଠକକୁ ସାହାଯ୍ୟ କରିବା ସହ କଳାଧନ ଠୁଳ କରୁଥିଲେ। କମଳାଙ୍କୁ ଗିରଫ କରିସାରିଛି କମିସନରେଟ ପୁଲିସ। ସେହିପରି କିଛିଦିନ ତଳେ ଭିଜିଲାନ୍ସ ଜାଲରେ ପଡ଼ିଥିବା ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ମଞ୍ଚେଶ୍ବର କଳାରାହଙ୍ଗ ଫ୍ଲାଟରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ ହୋଇଥିଲା। ସେଠାରେ ମଧ୍ୟ ତାଙ୍କର ଦ୍ବିତୀୟ ପତ୍ନୀ ରହୁଥିଲେ।

ସମ୍ବନ୍ଧିତ ଖବର