ତୋହରା ଗାଁରେ ଗଣଆତ୍ମହତ୍ୟା: ଝୁଲନ୍ତା ଅବସ୍ଥାରେ ୩ ମହିଳାଙ୍କ ମୃତଦେହ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ତୋହରା ଗାଁରେ ଗଣଆତ୍ମହତ୍ୟା ଭଳି ଚାଞ୍ଚଲ୍ୟକର ତଥା ସ୍ତବ୍ଧ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଗଛରେ ଜଣେ ବିବାହିତା ଏବଂ ଦୁଇ ନାବାଳିକା ଦଉଡ଼ି ଦେଇ ଝୁଲି ଯାଇଛନ୍ତି। କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି‌ ନେଲେ ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପକ୍ଷରେ ଗାଁ ଲୋକ ଆଦୌ ମୁହଁ ଖୋଲୁ ନଥିବା ବେଳେ ମୃତକଙ୍କ ମଧ୍ୟରେ ନିବିଡ଼ ସଂପର୍କ ରହିଥିଲା ବୋଲି କୁହାଯାଉଛି। ଖବର ପାଇ ରାତି ପ୍ରାୟ ୧୦ଟାରେ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆସନ୍ତାକାଲି ଗଛରୁ ଶବ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତୋହରା ଗାଁର ହେମଲତା ଗୌଡ଼ (୨୨) ୪ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରେ ସ୍ବାମୀଙ୍କୁ ଛାଡ଼ି ନିଜ ବାପା ଘରକୁ ଚାଲି ଆସିଥିଲେ। ଏହାପରେ ଗାଁର ଦୁଇ ନାବାଳିକା ଫୁଲମତୀ ମାଝୀ (୧୬ବର୍ଷ) ଏବଂ କୌଶଲ୍ୟା ମାଝୀ (୧୬ବର୍ଷ) ସହ ବନ୍ଧୁତା ହୋଇଥିଲା। କାଳକ୍ରମେ ସେମାନଙ୍କ ମଧ୍ୟରେ ସଂପର୍କ ଏତେ ନିବିଡ଼ ହୋଇଯାଇଥିଲା ଯେ ବହୁ ସମୟ ଏକାଠି ବିତାଉଥିଲେ। ଆଜି ଦିନ ସାରା ମଧ୍ୟ ସେମାନେ ଗୋଟିଏ ସ୍କୁଟିରେ ଗାଁ ଆଖପାଖରେ ବୁଲାବୁଲି କରୁଥିବା କିଛି ଲୋକ ଦେଖିଥିଲେ। କିନ୍ତୁ ସଂଧ୍ୟାରେ କେହି ବି ଘରକୁ ଫେରି ନଥିଲେ। ବହୁ ସମୟ ଧରି ଅପେକ୍ଷା କରିବା ପରେ ପରିବାର ଲୋକ ଶେଷରେ ଖୋଜାଖୋଜି ଆରମ୍ଭ କରିଥିଲେ। ଗାଁ ଠାରୁ କିଛି ଦୂରରେ ଥିବା ଗୋଟିଏ କୁସୁମ ଗଛରେ ସେମାନଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା।

ଖବର ପାଇ ଉମରକୋଟ ଥାନା ଆଇଆଇସି ନରେଶ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଗମ ଅଞ୍ଚଳରେ ଘଟଣା ଘଟିଥିବାରୁ ସବିଶେଷ ତଥ୍ୟ ମିଳୁନାହିଁ। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗାଁ ଲୋକ ଏହି ଘଟଣା ପରେ ତାଟି କବାଟ ପକାଇ ଘରୁ ବାହାରୁ ନାହାନ୍ତି। ପଚାରିଲେ ବି କେହି କିଛି କହିବାକୁ ପ୍ରସ୍ତୁତ ହେଉ ନାହାନ୍ତି। ପରୋକ୍ଷରେ ସମାଜିକ ବାସନ୍ଦର ଭୟ ରହିଥିଲା, ତେଣୁ ଆତ୍ମହତ୍ୟା କରିଥିବା କହୁଛନ୍ତି। ଅପରାହ୍ନରେ ବୁଲାବୁଲି କରୁଥିବା ବେଳେ ରାତିରେ ଆତ୍ମହତ୍ୟା କରିବା ଘଟଣାକୁ ବି କିଛି ଜଣ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ରାତି ହୋଇଯିବାରୁ ଶବ ଉଦ୍ଧାର ହୋଇପାରି ନାହିଁ। ତେଣୁ ଘଟଣାସ୍ଥଳରେ ଛାନଭିନ୍‌ କରି ପୁଲିସ ଫେରି ଆସିଛି। ଆସନ୍ତାକାଲି ସକାଳେ ପୁଣି ପୁଲିସ ପହଞ୍ଚି ଶବ ତଳକୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଇବ। ସାଇଣ୍ଟିଫିକ୍‌ ଟିମ୍‌ର ମଧ୍ୟ ସହାୟତା ନିଆଯିବ ବୋଲି କୁହାଯାଉଛି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ମଧ୍ୟ ମାପିଚୁପି ପ୍ରତିକ୍ରିୟା ରଖୁଛି। ପରିବାର ଲୋକଙ୍କୁ ପଚରାଉଚୁରା ପରେ ଆତ୍ମହତ୍ୟାର ପ୍ରକୃତ କାରଣ ସଂପର୍କରେ କିଛି ସୁରାକ ମିଳିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର