ତୃତୀୟ ଲିଙ୍ଗଙ୍କୁ ନିର୍ବାଚନରେ ସଂରକ୍ଷଣ ପ୍ରସଂଗ: ନଗର ଉନ୍ନୟନ, ପଞ୍ଚାୟତିରାଜ ବିଭାଗକୁ ହାଇକୋର୍ଟଙ୍କ ନୋଟିସ୍

କଟକ : ପଞ୍ଚାୟତ ଓ ପୌର ନିର୍ବାଚନରେ ତୃତୀୟ ଲିଙ୍ଗ (ଥାର୍ଡ ଜେଣ୍ଡର)ଙ୍କୁ ସଂରକ୍ଷଣ ପ୍ରସଂଗ ନେଇ ଦାୟର ମାମଲାରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସମାଜିକ କର୍ମୀ ମୀରା ବେଉରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାନ୍ସଜେଣ୍ଡରଙ୍କୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ରହିଛି। ୨୦୦୯ରେ ଭାରତର ନିର୍ବାଚନ କମିସନ୍ ମଧ୍ୟ ତୃତୀୟ ଲିଙ୍ଗଙ୍କୁ ସ୍ବୀକୃତି ଦେଇଥିଲେ। ଅନୁସୂଚିତ ଜାତି ଓ ଜନଜାତିଙ୍କ ଭଳି ତୃତୀୟ ଲିଙ୍ଗଙ୍କୁ ପୌର ଓ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରଦାନ କରାଯିବା କଥା। କିନ୍ତୁ  ଏପରି କରାଯାଉ ନାହିଁ। ସ୍ଥାନୀୟ ନିର୍ବାଚନରେ ତୃତୀୟ ଲିଙ୍ଗଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଓମକାର ଦେବଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର