ପୁନେରେ ନୂଆଁଖାଇ ଭେଟଘାଟ ପାଳିତ

ଭୁବନେଶ୍ବର : ପୁନେସ୍ଥିତ ପାଷାଣର ଏଆର୍‌ଓଏମ୍‌ଆଇଠାରେ ଗତ ୪ ତାରିଖ ରବିବାର ଦିନ ନୂଅଁାଖାଇ ଭେଟଘାଟ ପାଳିତ ହୋଇଯାଇଅଛି। ଏହି ପର୍ବରେ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସହରରେ ଥିବା ପ୍ରବାସୀ ଓଡ଼ିଶାବାସୀ ଏକତ୍ର ହୋଇ ହସଖୁସିରେ ନୂଅଁାଖାଇ ପାଳନ କରିଥିଲେ। ଅଧିଷ୍ଟାତ୍ରି ଦେବୀ ମା’ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରି ଦିନ ୧୦ଟାରୁ କାର୍ଯ୍ୟକ୍ରମ କରାଯାଇଥିଲା।

ଓଡ଼ିଆ ବାହାରେ ନୂଆଁଖାଇ ପାଳନ କରିବାରେ ପୁନେ ହେଉଛି ଦିଲ୍ଲୀ ପରେ ଦ୍ବିତୀୟ ସହର। ୨୦୦୭ ମସିହାରୁ ଦୀର୍ଘ ୧୫ ବର୍ଷ ହେବ ଏହି ପର୍ବ ପାଳନ ହୋଇଆସୁଛି। କରୋନା ମହାମାରୀ ଓ ଅନ୍ୟାନ୍ୟ କାରଣରୁ ଗତ ଦୁଇ ବର୍ଷ ହେଲା ଏହି ପର୍ବ ପାଳନ ହୋଇପାରିନଥିଲା। ଚଳିତ ବର୍ଷ ନରେନ୍ଦ୍ର ପଣ୍ଡା, ଦିଲୀପ ସାହୁ, ଉମାକାନ୍ତ ପ୍ରଧାନ, ବସନ୍ତ ପଢ଼ିଆରୀ, ସରୋଜ କୁମାର ସାହୁ ପ୍ରମୁଖ ନୂଅଁାଖାଇ ପର୍ବକୁ ପୁନର୍ଜୀବିତ କରିଥିଲେ। ପୂର୍ବ ବର୍ଷମାନଙ୍କ ଅପେକ୍ଷା ଏବର୍ଷ ବହୁ ଜନସମାଗମ ହୋଇଥିଲେ। ବନ୍ଧୁତା ଓ ଭାଇଚାରାର ବନ୍ଧନରେ ବାନ୍ଧି ରଖୁଥିବା ଏହି ପର୍ବକୁ ନରେନ୍ଦ୍ର ମେହେର, ପ୍ରତ୍ୟୁଷ ପାଢ଼ୀ ଏବଂ ସ୍ୱାଧୀନ ବହିଦାର ସଫଳତାର ସହ ପରିଚାଳନା କରିଥିଲେ। ଇଂଜିନିୟର ପରାଶର ବଡାଟିଆ ଉପସ୍ଥିତ ଜନସାଧାରଣଙ୍କୁ ସୁନ୍ଦର ସ୍ବାସ୍ଥ୍ୟ ଓ ଦୈନଦିନ ଜୀବନ ଯାପନ ଉପରେ ସଚେତନତା କରିଥିଲେ। ଏହି ପର୍ବରେ ବିଭିନ୍ନ ପ୍ରକାର ଖେଳକୁଦ ଓ ପ୍ରତିଯୋଗିତା ପରିଚାଳନାରେ ପ୍ରବୀଣ ପ୍ରଧାନ, ଅନିଲ ସାହୁ, ବେଣୁଧର ପୁଞ୍ଜି ଏବଂ ମ୍ୟୁଜିକ ଓ ଲାଇଟରେ ରାମକୃଷ୍ଣ ମିଶ୍ର ଓ ପରାଶର ବଡାଟିଆ ସହଯୋଗ କରିଥିଲେ। ପୁରସ୍କାର ବିତରଣ ଓ ଯୋଗାଯୋଗରେ ଶିବାଶିଷ ପଟ୍ଟନାୟକ ଓ ମହେଶ ଦୋରା ସହଯୋଗ କରିଥିଲେ। ଏହି ପର୍ବରେ ଅତିଥି ପ୍ରଫେସର ଅଶ୍ବିନୀ ଦାସ ଓ ବିକାଶ ବହିଦାର ପୁରସ୍କାର ବିତରଣ କରି ଏହି ପର୍ବର ସଫଳତା ପାଇଁ କର୍ମକର୍ତ୍ତାମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର