ଏସ୍‌ବିଆଇର ସର୍ଭେ: ରାଜ୍ୟରେ କମୁଛି କରୋନା ସଂକ୍ରମଣ, ତୃତୀୟ ଲହରରେ ଗ୍ରାମାଞ୍ଚଳରେ ସର୍ବାଧିକ ସଂକ୍ରମଣ

ଦୈନିକ ଟେଷ୍ଟିଂରେ ବଡ଼ ହ୍ରାସ, ୭ହଜାରକୁ ଖସିଲା ଦୈନିକ ସଂକ୍ରମଣ
ଓଡ଼ିଶାରେ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଅଧିକ: ଜନସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଏବେ କରୋନାର ଦୈନିକ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। କିନ୍ତୁ ସଂକ୍ରମଣ କମିବାକୁ ଲାଗିଛି। ମାତ୍ର କରୋନାର ତୃତୀୟ ଲହରରେ ରାଜ୍ୟର ଗ୍ରାମାଞ୍ଚଳରେ ସର୍ବାଧିକ ସଂକ୍ରମଣ ହୋଇଛି। ଏପରିକି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ପ୍ରାୟ ଦେଢ଼ ଗୁଣ ଅଧିକ ରହିଛି। ନିକଟରେ ଏସ୍‌ବିଆଇ ପକ୍ଷରୁ ଦେଶବ୍ୟାପୀ ହୋଇଥିବା ଏକ ସର୍ଭେରେ ଓଡ଼ିଶା ବିଷୟରେ ଏଭଳି ତଥ୍ୟ ମିଳିଛି।

ଦେଶର ୧୭ଟି ରାଜ୍ୟ ଭିତରେ ଗ୍ରାମାଞ୍ଚଳରେ ସର୍ବାଧିକ ସଂକ୍ରମଣ ହୋଇଥିବା ରାଜ୍ୟ ତାଲିକାରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ସର୍ଭେରୁ ମିଳିଥିବା ପରିସଂଖ୍ୟାନ ଅନୁସାରେ ଏହି ୧୭ଟି ରାଜ୍ୟରେ ହାରାହାରି ୩୩ ପ୍ରତିଶତ କରୋନା ସଂକ୍ରମଣ ଗ୍ରାମାଞ୍ଚଳରେ ହୋଇଛି। ମାତ୍ର ଓଡ଼ିଶାରେ ଏହା ୬୧ ପ୍ରତିଶତ। ରାଜସ୍ଥାନରେ ସର୍ବାଧିକ ୭୪.୮ ପ୍ରତିଶତ ଥିବା ବେଳେ ତାମିଲନାଡ଼ୁରେ ସବୁଠାରୁ କମ୍ ୧୪.୨ ପ୍ରତିଶତ ରହିଛି। ସେହିପରି ହାରହାରି ୬୭ ପ୍ରତିଶତ ସହରାଞ୍ଚଳରେ ସଂକ୍ରମଣ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶାରେ ଏହା ୩୯ ପ୍ରତିଶତ ଦେଖିବାକୁ ମିଳିଛି। ଅପରପକ୍ଷରେ ଗ୍ରାମାଞ୍ଚଳରେ ଟିକାକରଣରେ ଓଡ଼ିଶା ଜାତୀୟ ହାରଠାରୁ ସାମାନ୍ୟ ଅଧିକ ରହିଛି। ‌୧୭ଟି ରାଜ୍ୟରେ ହାରହାରି ୮୩.୨ ପ୍ରତିଶତ ଗ୍ରାମାଞ୍ଚଳରେ ଟିକାକରଣ ହୋଇଥିବା ବେଳେ ଓଡ଼ିଶାରେ ଏହା ୮୩.୪ ପ୍ରତିଶତ ଓ ସହରାଞ୍ଚଳରେ ଦେଶବ୍ୟାପୀ ୧୬.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୧୬.୬ ରହିଥିବା ସର୍ଭେରେ କୁହାଯାଇଛି।

Fierce Biotech

ତେବେ ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ହେବା ରାଜ୍ୟରେ ଓମିକ୍ରନ୍‌ ଜନିତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କାକୁ ବଢ଼ାଇ ଦେଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ଦେଶରେ ମେଟ୍ରୋ ସହରରେ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ହୋଇଛି। ମାତ୍ର ଓଡ଼ିଶା ଏବେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଇଛି। ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳ‌ରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ମାତ୍ର ଆମ ରାଜ୍ୟରେ ଏହା କେତେ ପ୍ରତିଶତ ଛୁଇଁଲାଣି ତାହା ଜାଣିବା ଲାଗି ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। କିଛିଦିନ ତଳେ ହୋଇଥିବା ଜିମୋନ ସିକ୍ବେନ୍ସିଂରେ ଏହା ୬୦ ପ୍ରତିଶତ ରହିଥିଲା। ଏବେ ନିଶ୍ଚିୟ ବଢ଼ିଥିବ ବୋଲି ଆଶା କରାଯାଉଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ଜଣେ ବି ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ। ରାଜ୍ୟରେ ବହୁତ କମ୍ ସଂଖ୍ୟକ ସଂକ୍ରମିତ ହସ୍ପିଟାଲରେ ଆଡମିଟ ହେଉଛନ୍ତି। ଯଦି ସାମାନ୍ୟ ଲକ୍ଷଣ ରହୁଛି ତା’ହେଲେ ଟେଷ୍ଟ କରାଇନେବା ଉଚିତ୍। ଟେଷ୍ଟ ନ କଲେ ଘରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଏହା ସଂକ୍ରମିତ କରିବ। ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି ବୋଲି କହିହେବ ନାହିଁ। ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ଡା. ମିଶ୍ର କହିଛନ୍ତି।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ର କହିଛନ୍ତି ଯେ ଓଡ଼ିଶାରେ ‌ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି କହିବା ଠିକ୍ ନୁହେଁ। ଗ୍ରାମାଞ୍ଚଳର ଲୋକମାନେ ଅଧିକ ସଚେତନ ନୁହନ୍ତି କିମ୍ବା ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ ଟେଷ୍ଟ କରିବାକୁ ପସନ୍ଦ କରି ନ ଥାନ୍ତି। ଯାହାଫଳରେ ରିପୋର୍ଟିଂ କମ୍ ହେଉଛି। ଯେହେତୁ ଓମିକ୍ରନ୍ କରୋନାର ଅନ୍ୟ ପ୍ରଜାତି ତୁଳନାରେ କ୍ଷିପ୍ର ଗତିରେ ମାଡ଼ୁଛି, ତେଣୁ ଘରର ଜଣେ ସଂକ୍ରମିତ ହେଲେ ଅନ୍ୟମାନେ ହେବା ସ୍ବାଭାବିକ୍। ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ହୋଇ ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ତେଣୁ ଗ୍ରାମାଞ୍ଚଳରେ ସଂକ୍ରମଣ କିଛିଦିନ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଡା. ମହାପାତ୍ର କହିଛନ୍ତି।

Image Courtesy of Republic World

କରୋନାର ତୃତୀୟ ଲହର ଲଢ଼େଇ ଜାରି ରହିଥିବା ବେଳେ ରାଜ୍ୟରେ ଦୈନିକ ଟେଷ୍ଟିଂରେ ବଡ଼ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧,୯୬୯କୁ ଖସି ଆସିଛି। ରାଜ୍ୟରେ ସଂକ୍ରମଣ ହାର ୧୧ ପ୍ରତିଶତକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୭୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୧୭୦୫, ସୁନ୍ଦରଗଡ଼ ୬୪୬, କଟକ ୫୬୧, ବାଲେଶ୍ବର ୩୪୩, ରାୟଗଡ଼ା ୨୯୫, ସୁବର୍ଣ୍ଣପୁର ୨୮୨, ମୟୂରଭଞ୍ଜ ୨୯୫, ଯାଜପୁର ୨୦୩, ବଲାଙ୍ଗୀର ୨୧୮ ଓ ଷ୍ଟେଟ୍‌ ପୁଲରୁ ୩୬୫ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୧୧ହଜାର ୯୫୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୫ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୫୨୫ରେ ପହଞ୍ଚିଛି।

ରାଜ୍ୟରେ ଆଜି ୧୦,୩୦୯ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ପର୍ଯ୍ୟନ୍ତ ୧୧ଲକ୍ଷ ୩୧ହଜାର ୯୧୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୧,୪୫୬କୁ ଖସି ଆସିଛି।

ସମ୍ବନ୍ଧିତ ଖବର