ଗୀତିକବି ନାରାୟଣ ପ୍ରସାଦଙ୍କ ପରଲୋକ

ଭୁବନେଶ୍ୱର : ଗତ ୪ ଦଶନ୍ଧି ଧରି ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ମିଠା ଗୀତ ମାଧ୍ୟମରେ ବାନ୍ଧି ରଖିଥିବା ଗୀତିକବି ରସରାଜ ନାରାୟଣ ପ୍ରସାଦ ସିଂହ ଆଉ ନାହାନ୍ତି। ଆଜି ସକାଳ ୯ଟା ୪୫ମିନିଟ୍‌ରେ ମଞ୍ଚେଶ୍ୱରସ୍ଥିତ ବାସଭବନରେ ୮୫ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ ଘରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଜଧାନୀ ଓ କଟକରୁ ବହୁ ସାହିତ୍ୟିକ, ଗୀତିକବି ଓ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଚଳି ଜଣାଇଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ୨୦୦୦ରୁ ଅଧିକ ଗୀତ ରଚନା କରିଥିବା ସ୍ୱର୍ଗତଃ ସିଂହଙ୍କୁ ‘ରସରାଜ’ ଆଖ୍ୟା ମିଳିଥିଲା।

କଟକ ଜିଲ୍ଲା ଅସୁରେଶ୍ୱରସ୍ଥିତ କୋଇଲ ଗାଁରେ ୧୯୩୩ ମସିହା ମେ’ ୨୮ତାରିଖରେ ରସରାଜଙ୍କ ଜନ୍ମ। ସ୍ୱର୍ଗତଃ ବିହାରୀ ଲାଲ ସିଂହ ଓ ସରୋଜିନୀ ଦେବୀଙ୍କ ସୁପୁତ୍ର ରାସରାଜ ୧୯୪୯ରେ ହାଇସ୍କୁଲ ଶିକ୍ଷା ପରେ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ। ଅସୁରେଶ୍ୱର ସ୍କୁଲରେ ପଢ଼ିବା ସମୟରେ ସାହିତ୍ୟ ଶିକ୍ଷକ ତଥା ଦ୍ୱିତୀୟ ଭଞ୍ଜ ଭାବେ ବିଦିତ ଗୋଲକ ଚନ୍ଦ୍ର ପ୍ରଧାନଙ୍କଠାରୁ ପ୍ରେରଣା ପାଇ ଅଷ୍ଟମ ଶ୍ରେଣୀରୁ ହିଁ କବିତା ଲେଖିବା ଆରମ୍ଭ କରିଥିଲେ। ‘କାମିନୀ କହେ ଚମ୍ପାରେ ନାହିଁ ତୋର ଅନୁକମ୍ପାରେ…’, ଜୋଛନା ଲୁଚନା ଦୂର ନୀଳ ଗଗନେ… ଓ ସାଗର ଅଧୀର ନୀଳ ତରଙ୍ଗ… ଭଳି ଗୀତ ଲେଖି ସେ ପାଲଟି ଯାଇଥିଲେ ରସରାଜ। ୧୯୫୮ ମସିହାରୁ ଗୀତିକବିତା ଲେଖିବା ଆରମ୍ଭ କରିଥିଲେ। ୧୯୬୦ ମସିହାରେ ଆକାଶବାଣୀରେ ଗୀତିକବି ଭାବେ ତାଙ୍କୁ ସ୍ୱୀକୃତି ମିଳିଥିଲା। ୧୯୬୨ ମସିହାରେ ‘ନୂଆବୋଉ’ ଚଳଚ୍ଚିତ୍ରରେ ‘ରଥ ଯା ଚାଲି ଯା…’ ଗୀତ ଲେଖିବାର ସୁଯୋଗ ମିଳିଥିଲା। ଏହାପରେ ମାଣିକଯୋଡ଼ି, ଅମଡ଼ାବାଟ, ନବଜନ୍ମ, ଜୀବନସାଥୀ, ଅଭିନେତ୍ରୀ, ଭାଇଭାଉଜ, କିଏ କାହାର, ସ୍ତ୍ରୀ, ଅଲିଭା ଦାଗ, ଅଦିନ ମେଘ, ଧରିତ୍ରୀ, ଘର ସଂସାର, ମନ ଆକାଶ, ରକ୍ତଗୋଲାପ, ପରିବାର, ଶଙ୍ଖ ମହୁରୀ, ଚିହ୍ନା ଅଚିହ୍ନା, ମଥୁରା ବିଜୟ, ଜୟ ମା’ ମଙ୍ଗଳା, ସୁବର୍ଣ୍ଣ ସୀତା, କାବେରୀ, ମାଣିକ, କସ୍ତୁରୀ, ଜୁଆରଭଟ୍ଟା, ଧୂଳିଘର ଭଳି ଅନେକ ଚଳଚ୍ଚିତ୍ରରେ ସେ ଗୀତ ରଚନା କରିଛନ୍ତି।

ବାଳକୃଷ୍ଣ ଦାସଙ୍କଠାରୁ ଆରମ୍ଭ କରି ମାନ୍ନା ଦେ’ଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କାମ କରିଥିଲେ ରସରାଜ। ଗୀତକବିତା ସହିତ ଅନେକ ପୁସ୍ତକ(ଗୀତିଗ୍ରନ୍ଥ) ମଧ୍ୟ ସେ ରଚନା କରିଛନ୍ତି। ‘ଦୁଇଟି ଆଖିର କବିତା’ ହେଉଛି ତାଙ୍କ ପ୍ରଥମ ପ୍ରକାଶିତ ପୁସ୍ତକ। ୧୯୯୨ ମସିହାରେ ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ ପକ୍ଷରୁ ‘ରସରାଜ ସମ୍ମାନ’, ୨୦୦୦ ମସିହାରେ ‘ଓଡ଼ିଶା ସଂଗୀତ ନାଟକ ଏକାଡେମି ସମ୍ମାନ’, ୨୦୦୩ ମସିହାରେ ରସରାଜଙ୍କ ଦ୍ୱାରା ରଚିତ ଗୀତିକବିତା ସଂକଳନ ‘ରସରାଜ ଗୀତି ବିଚିତ୍ରା’ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଥିଲା। ୨୦୦୭ରେ ଶାରଳା ପୁରସ୍କାର, ୨୦୧୧/୧୨ରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ତାଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର